ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ:ଆସନ୍ତାକାଲି ସକାଳ ୫ଟା ୩୦ସୁଦ୍ଧା ଛୁଇଁବ ସ୍ଥଳଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି ଏବେ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ୍‌ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ୫ଟା ୩୦ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାପରେ ରାଜ୍ୟ ସରକାର ସତକର୍ତ୍ତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସର୍ବାଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ୫ଟି ଜିଲ୍ଲାର ସମୁଦ୍ରକୂଳିଆ ଓ ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାସ୍ତର କରୁଛନ୍ତି ।ସୂଚନା ମୁତାବକ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନାନ୍ତର ଚାଲିଛି । ଏହି ଜିଲ୍ଳାରେ ଲୋକମାନଙ୍କୁ ସ୍କୁଲ, କଲେଜ ଓ ବନ୍ୟା ଆଶ୍ରୟସ୍ଥଳୀ ଆଦି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏଠାରେ ଏମାନଙ୍କ ପାଇଁ ରନ୍ଧା ଖାଦ୍ୟର ବି ବନ୍ଦୋବସ୍ତ କରାଯାଇଛି । ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ତିତ୍‌ଲି ଛୁଇଁବାକୁ ଥିବା ହେତୁ ଜିଲ୍ଳାର ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟିି ବ୍ଲକର ୨୦୦ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ନିଜ କାମ ଆରମ୍ଭ କରି ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାର ଏରସମା, ତିର୍ତୋଲ୍‌, କୁଜଙ୍ଗ ଓ ବାଲିକୁଦା ବ୍ଲକର ତଳି ଅଞ୍ଚଳରେ ସ୍ଥାନାନ୍ତରଣ ମଧ୍ୟ ଜାରି ରହିଛି । ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍‌ଲିର ରୂପ । ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍‌ର ରୂପ ନେବ । ଏହାସହ ଆସନ୍ତାକାଲି ସକାଳ ସାଢ଼େ ୫.୩୦ରେ ସ୍ଥଳପଥରେ ମାଡ଼ ହେବ । ତିତ୍‌ଲି ଆନ୍ଧ୍ରର କଳିଙ୍ଗପଟନମ୍‌ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳପଥ ଛୁଇଁବ ।ଏବେ ତିତ୍‌ଲି ଗୋପାଳପୁରଠାରୁ ୨୮୦ କିମି ଓ କଳିଙ୍ଗପଟନମ୍‌ ଠାରୁ୨୩୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସମ୍ଭାବ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିଛି ଜଳସମ୍ପଦ ବିଭାଗ । ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ ହେବା ପରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜଳସମ୍ପଦ ସଚିବ ।ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୨୦୦ ମିଲିମିଟର୍ ବର୍ଷା ହେବା ନେଇ ସମ୍ବାବନା ରହିଛି । ଏହାପରେ ବଂଶଧାରା ଏବଂ ରୂଷିକୂଲ୍ୟା ନଦୀରେ ବନ୍ୟା ଆଶଙ୍କା ମଧ୍ୟ ବଢ଼ିଛି । ସମ୍ଭାବ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ସତର୍କତା ଅବଲମ୍ବନ କରିଛି ଜଳସମ୍ପଦ ବିଭାଗ।ବିଭାଗ ପକ୍ଷରୁ ଗଞ୍ଜାମ, ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜଳ ପ୍ରକଳ୍ପକ ଉପରେ ତୀକ୍ଷଣ ନଜର ରଖାଯାଇଛି । ଏହାସହ ବର୍ଷା ପରେ ଏହି ସମସ୍ତ ଜିଲ୍ଲାରେ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିଛନ୍ତି । ମୁଖ୍ୟତଃ ବର୍ଷା ପରେ ପାଣି ଜମିବା ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ କକ୍ଷରେ ବାତ୍ୟା ମୁକାବିଲା ପାଇଁ ବୈଠକ ଉପରେ ବୈଠକ ଜାରୀ ରହିଛି