ସାମୁଦ୍ରିକ ଝଡ଼ ଫନିର ତାଣ୍ଡବରେ ଧ୍ୱଂସ ହୋଇଛି କୃଷ୍ଣ ପ୍ରସାଦ ବ୍ଲକ:ପଲିଥିନ ତଳେ କାଟୁଛନ୍ତି ଦିନ, ପ୍ରଶାସନର ସହାୟତା ଏ ଯାଏଁ ମିଳିପାରିନାହିଁ…

ଗଞ୍ଜାମ (ସମୃଦ୍ଧ ଓଡିଶା) ବିଗତ ଦିନରେ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଓଡ଼ିଶାବାସୀଙ୍କୁ ଯେଉଁଭଳି କ୍ଷୟକ୍ଷତି ଘଟାଇ ଦୁଃଖ ଯନ୍ତ୍ରଣା ଦେଇଯାଇଛି, ତା’ର ସ୍ମୃତି ଏବେ ଯାଏଁ ନ ଲିଭୁଣୁ ପୁଣି ଥରେ ସାମୁଦ୍ରିକ ଝଡ଼ ‘ଫନି’ ଅଜାଡ଼ି ଦେଇ ଯାଇଛି ଅସରାଏ ଦୁଃଖ । ସାଧାରଣତଃ ବାତ୍ୟା ଆସିଲେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଶତାଧିକ ପରିବାର ବେସାହାରା ହୋଇଯାଉଛନ୍ତି କିନ୍ତୁ ଅପ୍ରେଲ ୩ରେ ଯେଉଁ ଫନି ବାତ୍ୟା ଆସିଥିଲା ତାହା ସବୁ କିଛି ଉଜାଡି ଦେଇଯାଇଛି । ସମୁଦ୍ର କୁଳିଆ ଅଞ୍ଚଳରେ ଥିବା ପରିବାରର ଘର ମାଟିରେ ମିଶିବା ସହ ଧୋଇଯାଇଛି ରାସ୍ତା, ଉଜାଡ଼ି ଦେଇଛି ଜୀବିକା, ଖୋଲା ଆକାଶ ତଳେ କାଟୁଛନ୍ତି ଜୀବନ, ବିଜୁଳି ଓ ପାଣି ପାଇଁ ହାହାକାର, କିଛି ଲୋକଙ୍କ ମୃତ ସବୁଠାରୁ ଦୁଃଖଦ, କରୁଣ, ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ପଞ୍ଚାୟତର ଜହ୍ନିକୁଦା ରାଜରାସ୍ତା ପାର୍ଶ୍ୱ ପରାଳ ଗ୍ରାମକୁ ଯିବା ରାସ୍ତାରେ । ଏକ ନିଛାଟିଆ ବିଲ ଭିତରେ ପଲିଥିନ୍‌କୁ ଛାତ କରି ୧୯୦ କି.ମି. ବେଗରେ ଯେ କିପରି ଏହି ପରିବାର ବଞ୍ଚି ରହିଥିଲେ ତାହା ନିଶ୍ଚିତ ପକ୍ଷେ ପ୍ରତ୍ୟେକଙ୍କ ପକ୍ଷରେ ଅବିଶ୍ୱସନୀୟ । ପୁଣି ଉକ୍ତ ପରିବାରରେ ଜଣେ ମାନସିକ ବିକୃତଧାରୀ ୨୨ବର୍ଷର ପୁଅ ବି ରହିଛି । ସୂଚନା ଥାଉକି ପ୍ରିୟମ୍ବଦା ନାୟକ ନାମ୍ନୀ ମହିଳା ଜଣକ ନିଜର ମାନସିକ ବିକୃତ ପୁଅ ସଞ୍ଜୟ ପରିଡ଼ାଙ୍କ ସମେତ ଆଉ ତିନି ପୁଅ ଓ ଝିଅକୁ ଧରି ବିଲ ମଝିରେ ଝାଟିମାଟିରେ ନିର୍ମାଣ ଘର ଉପରେ ପଲିଥିନ୍‌ ବାନ୍ଧି ଦୀର୍ଘ ଦିନ ହେଲା ରହିଆସୁଛନ୍ତି । ବାତ୍ୟା ଆସିବାର ସୂଚନା ପାଇ ସ୍ଥାନୀୟ ପୋଲିସ ତାଙ୍କ ଘରେ ପହଞ୍ଚି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯିବାର ସୂଚନା ଦେଇଥିଲେ । ଏହି ଆଶାରେ ଅସହାୟା ପ୍ରିୟମ୍ବଦାଙ୍କ ସପରିବାର ଉକ୍ତ ଗୃହରେ ପ୍ରଶାସନର ସହାୟତାକୁ ଅପେକ୍ଷା କରି ବସିଥିଲେ । କିନ୍ତୁ ଦୁଇ ତାରିଖ ଦିନ ସଂଧ୍ୟା ହୋଇ ରାତି ହୋଇଯାଇଥିଲା ହେଲେ କୌଣସି ପ୍ରଶାସନ କର୍ମଚାରୀଙ୍କ ଦେଖା ମିଳିନଥିଲା । ରାତି ବଢ଼ିବା ସଙ୍ଗେ ସଙ୍ଗେ ପବନର ବେଗ ରାତ୍ର ୧୧ଟା ପରେ ଧୀରେ ଧୀରେ ବୃଦ୍ଧି ପାଇ ୩ ତାରିଖ ପ୍ରାତଃ ୩ଟା ବେଳକୁ ପ୍ରଳୟଙ୍କରି ସାମୁଦ୍ରିକ ଚକ୍ରବର୍ତ୍ତୀ ବାତ୍ୟା ଫନି ସୁଁ ସୁଁ ଗର୍ଜନ କରି ମାଡ଼ିଆସିଥିଲା । ଯାହାର ବେଗ ବଡ଼ ବଡ଼ ଗଛର ଗଣ୍ଡି ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡିଯାଇଥିଲା, ଏମିତି ପରିସ୍ଥିତିରେ ପ୍ରିୟମ୍ବଦା ଘରେ ମାନସିକ ବିକୃତ ପୁଅ ସଞ୍ଜୟକୁ କୌଣସି ପ୍ରକାର ବୁଝାଇ ସୁଝାଇ ଠାକୁରଙ୍କୁ ପ୍ରାର୍ଥନା କରି ପରିବାର ସମସ୍ତ ସଦସ୍ୟ ପରସ୍ପରକୁ ଜାବୁଡ଼ି ଧରି ରାତି କଟାଇଥିଲେ । ଏହା ଛଡ଼ା ସେମାନଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନଥିଲା । ୧୨ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ବାହାବାହା ନେଇ କହୁଥିବା ବେଳେ ଏମାନଙ୍କ ନିକଟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନିକ ସହାୟତା କିପରି ପହଞ୍ଚିପାରିଲା ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି । ଏମିତିରେ ବି ଗରିବ ଲୋକ ହିଁ ବହୁତ କ୍ଷତିଗ୍ରସ୍ତ ହୋଇଥାନ୍ତି ବାତ୍ୟାରେ ଯେମିତି କି ମତ୍ସ୍ୟଜୀବୀ, ଶ୍ରମଜୀବୀ ପରିବାର ଓ ଚାଷୀମାନେ । ଯାହାର ଭରଣା କରିବା ସହଜସାଧ୍ୟ ହୋଇନଥାଏ । ଏମିତି କିଛି ଦୁଃଖ, ଯନ୍ତ୍ରଣା, ସମସ୍ୟା ଜର୍ଜରିତ ଘଟଣା ପୁଣିଥରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକକୁ ଲାଗି ରହିଥିବା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ଘଟିଯାଇଛି । ଗତ ମଇ ୩ ତାରିଖ ପ୍ରାତଃ ୩ ଟାରୁ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଅନେକ କ୍ଷୟକ୍ଷତି ଘଟାଇଛି । ଶହ ଶହ ପରିବାର ବେସାହାରା ହୋଇଯାଇଛନ୍ତି । ଚିଲିକା ପାଣି ୧୫ ଫୁଟ ଉପରକୁ ଉଠିଯିବାରୁ ରାସ୍ତା ଧୋଇଯାଇ କ୍ଷତିଗ୍ରସ୍ତ ହୋଇଛି । ପବନରେ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଜାଲ ଉଡ଼ିଯାଇଛି । କଦଳୀ, ନଡ଼ିଆ ଗଛ ଭାଙ୍ଗି ହୋଇ ପଡ଼ିରହିଛି । ଟିଣ, ଛପର ଘର ଗୁଡ଼ିକର ଛାତ ଉଡ଼ିଯିବାରୁ ଲୋକେ ଖୋଲା ଆକାଶ ତଳେ ରହି ଜୀବନ ବିତେଇବାକୁ ବାଧ୍ୟ ହେଉଛନ୍ତି । ବିଜୁଳି ଖୁଣ୍ଟ ଉପୁଡ଼ିଯିବାରୁ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି ସମ୍ପୃକ୍ତ ଅଞ୍ଚଳବାସୀ ଜଳ ଓ ଆଲୁଅ ଯୋଗାଣରୁ ବଞ୍ଚିତ ହୋଇଛନ୍ତି । ଲୋକଙ୍କ ପାଖରେ ଖାଦ୍ୟ ମହଜୁଦ ନଥିବାରୁ ନଖାଇ ନପିଇ ଭୋକ ଉପାସରେ କାଳ କାଟୁଛନ୍ତି । ଏପରି ପରିସ୍ଥିତିରେ ବି ଘଟଣା ଘଟିବାର ପାଞ୍ଚ ଦିନପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିବାରୁ ଅଞ୍ଚଳବାସୀ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି । ସୂଚନା ଯେ ଗତ ୩ ତାରିଖ ଦିନ ସାମୁଦ୍ରିକ ଝଡ଼ ଫନି ପ୍ରଭାବରେ ଗଞ୍ଜାମ ବ୍ଲକକୁ ଲାଗି ରହିଥିବା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ୧୯୦ କିମି ବେଗରେ ପବନ ବହିଥିଲା କିନ୍ତୁ ଫନିର ପ୍ରଭାବ ଏଠାରେ ପଡ଼ିବ ବୋଲି କୌଣସି ପ୍ରକାର ଆଗୁଆ ସତର୍କ ସୂଚନା ଦିଆଯାଇନଥିବାରୁ ଲୋକେ ସତର୍କ ହୋଇପାରିନଥିଲେ । ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଗଲା ବୋଲି ରାମଲେଙ୍କା ପଞ୍ଚାୟତ କୁମାରପୁର ଗ୍ରାମର ଉଦୟନାଥ ପ୍ରଧାନ, ହୀରା ବେହେରା, ଦମନ୍ତୟୀ ଦାଶ, ପ୍ରଫୁଲ ଦାଶ ପ୍ରମୁଖ କ୍ଷୋଭର ସହ କହିଛନ୍ତି । ବାତ୍ୟା ପୂର୍ବରୁ କୌଣସି ପ୍ରକାର ସୂଚନା ନଥାଇ ହଠାତ୍‌ ୧୯୦ କି.ମି. ବେଗରେ ପବନ ବହିବାରୁ ଲୋକେ ଭୟଭୀତ ହୋଇଯାଇଥିଲେ । ଘର ଗୁଡ଼ିକ ସାଧାରଣତଃ ଚାଳ, ଛପର ଓ ପାଲ ଦ୍ୱାରା ଡ଼ାଙ୍କି ହୋଇଥିବାରୁ ଘରେ ରୁହନ୍ତୁ ଅବା ବାହାରକୁ ବାହାରନ୍ତୁ ଉଭୟ ପରିସ୍ଥିତିରେ ମୃତ୍ୟୁର ଭୟ ଥିବାରୁ ସେମାନଙ୍କ ନିକଟରେ ଉକ୍ତ ପରିସ୍ଥିତିରେ ଠାକୁରଙ୍କୁ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ କୌଣସି ପ୍ରକାର ଚାରା ନଥିଲା । ପରିବାର ସଦସ୍ୟମାନେ ପରସ୍ପରକୁ ଜାବୁଡ଼ି ଧରି କାନ୍ଥର ଗୋଟିଏ କଣେ ଜାକିଜୁକି ହୋଇ ପବନର ବେଗ କିପରି କମିବ ସେହି ସମୟକୁ କେବଳ ଅପେକ୍ଷା କରି ରହିଥିଲେ । କୌଣସି ମତେ ସେମାନେ ଯଦିଓ ଈଶ୍ୱରଙ୍କ କୃପାରୁ ବଞ୍ଚିଗଲେ ହେଲେ ସେମାନଙ୍କ ନିକଟରୁ କିନ୍ତୁ କୌଳିକ ବୃତ୍ତି ନିମିତ ଗଚ୍ଛିତ ରହିଥିବା ସମସ୍ତ ସମ୍ପଦ ବାତ୍ୟା ଛଡ଼ାଇ ନେଇଯାଇଛି । ମତ୍ସ୍ୟଜୀବଙ୍କ ଜାଲ ଓ ଡ଼ଙ୍ଗା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସରଞ୍ଜାମଗୁଡ଼ିକ ପାଣିମାଡ଼ି ନଷ୍ଟ ହୋଇଯାଇଛି । ଭୟଙ୍କର ପବନର ବେଗରେ ବିଦୁର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଟିଣ ସମ୍ପୂର୍ଣ୍ଣ ଉଡ଼ିଯାଇଥିବାରୁ ସେ ଖୋଲା ଆକାଶ ତଳେ ବର୍ତ୍ତମାନ କାଳ କାଟୁଛନ୍ତି । ସେହିପରି କଣ୍ଟାବଣିଆ ନୂଆଗାଁର ଚାଷୀ ତ୍ରିନାଥ ସାହୁଙ୍କ ନଡ଼ିଆ, କଦଳୀ ବାଡ଼ ଉଜୁଡ଼ି ଯିବାରୁ ସେ ଜୀବିକା ହରାଇ ବେସାହାରା ହୋଇପଡ଼ିଛନ୍ତି । ଉକ୍ତ ଗ୍ରାମରେ ଅନେକ ଘରର ଟିଣ, ଛପର ଉଡ଼ିଯାଇଛି । ଅଁଳାକୁଦା ଗ୍ରାମବାସୀ ପାଣ୍ଡବ ଜେନା, ଜୟକୃଷ୍ଣ ଜେନା, ମୁଳିରାମ ପରିଡ଼ାଙ୍କ କହିବା ଅନୁସାରେ ଏତେବଡ଼ ବାତ୍ୟା ଆସିବ ବୋଲି ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପୂର୍ବ ସୂଚନା ଦିଆଯାଇନଥିବାରୁ ଆମେ ଜାଣିପାରିନଥିଲୁ । ଯଦିଓ ଏଠାରେ ୭୦ ପ୍ରତିଶତ ମତ୍ସ୍ୟଜୀବୀ ପରିବାର ବାସ କରନ୍ତି ଓ ସେମାନଙ୍କ ଘର ଗୁଡ଼ିକ ପ୍ରାୟତଃ ଟିଣ ଓ ଛପର ଯୁକ୍ତ । ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି । ମତ୍ସ୍ୟଜୀବୀ ମାନେ ସୂଚନା ନ ପାଇ ସେମାନଙ୍କ ଡ଼ଙ୍ଗା ଗୁଡ଼ିକୁ ପୋଲ ନିକଟରେ ରଖିଥିଲେ । ହଠାତ୍‌ ପବନ ଆସିବାରୁ ଡ଼ଙ୍ଗା ବାନ୍ଧିବା ପାଇଁ ଯାଉଥିବା ସମୟରେ ଚିଲିକା ପାଣି ପ୍ରାୟ ୧୫ ଫୁଟ ଚାଲି ଆସିବାରୁ ଡ଼ଙ୍ଗା ଗୁଡ଼ିକ ସେଥିରେ ଭାସିଯାଇଥିଲା । ମତ୍ସ୍ୟଜୀବୀମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ି ପଳାଇବାକୁ ଉଦ୍ୟମ କଲାବେଳେ ପ୍ରଧାନ ଗ୍ରାମର ଗୋଲକ ପ୍ରଧାନ ଡ଼ଙ୍ଗାରେ ବାଡ଼େଇ ହୋଇ ମୃତ୍ୟୁ ବରଣ କରିଥିଲେ । ପାଣିର ସୁଅ ଏତେ ପ୍ରଖର ଥିଲା ଯେ ସେଥିରେ ରାସ୍ତାଗୁଡ଼ିକ ଧୋଇ ଯାଇ କ୍ଷତିଗ୍ରସ୍ତ ହୋଇଥିଲା । ଜହ୍ନିକୁଦାର ମହାନ୍ତି ସାହିର ସମସ୍ତ ଟିଣ, ଛପର ଚାଳ, ଛପର ଘର ପବନରେ ଉଡ଼ି ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବହୁ ପରିବାରର ଏପରି ଅବସ୍ଥା ହୋଇଛି ଯେ, ସେମାନେ ରୋଷେଇ କରିବା ନିମନ୍ତେ ଚୁଲି ଜଳାଇବା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁନି । ଏବେବି ଲୋକେ ଭୋକ ଉପାସରେ ରହୁଛନ୍ତି । ପାଣି ଓ ରିଲିଫ୍‌ ସେମାନଙ୍କ ପାଇଁ ସାତସପନ ପାଲଟିଛି । ଏଠାରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇନାହିଁ । ଖୋଲା ଆକାଶ ପାଲଟିଛି ସେମାନଙ୍କ ପାଇଁ ଛାତ । ସବୁଆଡ଼େ ଶୂନ୍ୟତାର ରାଜୁତି । ସେହି ଗ୍ରାମର ଚନ୍ଦ୍ରଶେଖରଙ୍କ ପରିବାର କାହାଣୀ ବହୁତ ଦୁଃଖଦ । ଜୀବନବ୍ୟାପୀ ରୋଜଗାର କରି ସଞ୍ଚିଥିବା ପୁଞ୍ଜିରେ ନିର୍ମାଣ କରିଥିବା ବାସଗୃହ ଖଣ୍ଡକ ଏବେ ଧୂଳିସାତ ହୋଇଯାଇଛି । ସେ ନିଜେ ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ । ପବନରେ ଘରର ଛାତ ଉଡ଼ିଯାଇଥିଲେ ବି ବାହାରକୁ ଯିବାକୁ ସାହସ ଜୁଟାଇ ପାରିନଥିଲେ । ସେମାନଙ୍କ ସମ୍ପର୍କୀୟ ଭାଇମାନେ ତାଙ୍କୁ ଉଦ୍ଧାର କରିଥିଲେ । ବ୍ଲକର ଅଧିକାଂଶ ଗ୍ରାମରେ ଏଭଳି ଅନେକ ଦୃଶ୍ୟ ଦୃଷ୍ଟିଗୋଚର ହୋଇଛି । କେହି କେହି ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିବାବେଳେ ଆଉ କିଏ ଅତୀତର ସ୍ମୃତି ସବୁକୁ ଭଙ୍ଗା ଘରେ ସାଉଁଟିବାରେ ଲାଗିଛନ୍ତି । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଅଭିଯୋଗ । ପ୍ରଶାସନ ତରଫରୁ ବାତ୍ୟା ପୂର୍ବରୁ କୌଣସି ସୂଚନା ଦିଆଯାଇନଥିବାରୁ ସେମାନେ ଆଜି ବହୁତ କିଛି ହରାଇବସିଛନ୍ତି । ନା ସେମାନଙ୍କ ନିକଟରେ ରହିଛି ଆୟର କୌଣସି ପନ୍ଥା, ନା ରହିଛି ଅତୀତର କିଛି ପୁଞ୍ଜି । ଅନ୍ୟପକ୍ଷରେ ଏବେବି କୌଣସି ପ୍ରଶାସନିକ ଅଧିକାରୀ କି ଜନପ୍ରତିନିଧି ସେମାନଙ୍କ ନିକଟରେ ପହଞ୍ଚିନାହାନ୍ତି ଦୁଃଖ ଦୁର୍ଦ୍ଦଶା ବୁଝିବାକୁ । ଅଞ୍ଚଳବାସୀ ପାଣି ଓ ରିଲିଫ୍‌ ସାମଗ୍ରୀ ଆଶାରେ ଅପେକ୍ଷା କରି ନିରାଶା ଭିତରେ କାଳ କାଟୁଛନ୍ତି । ପାନୀୟ ଜଳର ଘୋର ଅଭାବ ହେତୁ ଲୋକଙ୍କ ମଧ୍ୟରେ ହାହାକାର ପରିସ୍ଥିତି ଦେଖାଦେଇଛି । କିଛି ଅଞ୍ଚଳବାସୀ ନିର୍ବାଚନ ସରିଗଲା ପରେ ଭୋଟରଙ୍କୁ ନେତାମାନେ ଭୁଲି ଯାଆନ୍ତି ବୋଲି ଅଭିଯୋଗ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା