ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଟାଉନ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ ଜିଲ୍ଲାରେ ଆରମ୍ଭ କରାଯାଇଥିବା ପ୍ଲାଜମା ଥେରାପି ଯୋଗୁଁ ଅତି ଗୁରୁତ୍ଵପୂର୍ଣ୍ଣ ଅବସ୍ଥା ଥିବା ସଂକ୍ରମିତ ବ୍ୟକ୍ତି ଅତିଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ଅବଗତ କରାଇଛନ୍ତି । ଏହାସହ ଏଯାବତ ୯ ଜଣଙ୍କ ପ୍ଲାଜମା ଥେରାପି ଚିକିତ୍ସା କରାଗଲାଣି । ଜିଲ୍ଲାରେ ସଂକ୍ରମିତ ହୋଇଥିବା କୋଭିଡ ଯୋଦ୍ଧା ଏକ ହଜାରରୁ ଉର୍ଦ୍ଧ୍ଵ ସୁସ୍ଥ ହୋଇ ସେମାନଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତକାଲି ସୁଦ୍ଧା ଜିଲ୍ଲାରେ ୫୯୪୬୪ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ୧୨୩୫୯ ବ୍ୟକ୍ତିଙ୍କର ପଜିଟିଭ ବାହାରିଛି ଏବଂ ୮୯୧୧ ଜଣ ବ୍ୟକ୍ତି ସୁସ୍ମ ହୋଇ ଫେରିଛନ୍ତି । ୩୦୩୨୮ଟି ଆକ୍ଟିଭ କେଶ ରହିଛି ଏବଂ ସେଥିମଧ୍ୟରୁ ୧୨୦ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି, ୧୪୫୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ତନ୍ମଧ୍ୟରୁ ୯୧୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୫୧୨ ଜଣ ଆକ୍ଟିଭ କେଶରେ ରହିଛନ୍ତି ଓ ୨୧ ଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି । ଜିଲ୍ଲାରେ ଏଯାବତ ୨୦୭୨୧ଟି ଗ୍ରାମ ଗ୍ରୀନ ଜୋନରେ ଥିବାବେଳେ, ୭୧୪ଟି ଗ୍ରାମ ରେଡ଼ ଜୋନରେ ରହିଛି । କ୍ଷୀପ୍ର ଗତିରେ ରେଡ଼ ଜୋନରୁ ଗ୍ରୀନ ଜୋନରେ ପରିବର୍ତ୍ତିତ ହେଉଛି । ଜିଲ୍ଲାରେ ସ୍ବାବ ଟେଷ୍ଟ ବଢିଥିବା ହେତୁ ସଂକ୍ରମଣ ସଂଖ୍ୟା ମଧ୍ୟ କମିଛି । ଆଜିଠାରୁ ଗ୍ରାମାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି । ଏହି କାର୍ଯ୍ୟ ଆଉ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏଯାବତ ଜିଲ୍ଲାରେ ୫୯୧ ଜଣ କୋଭିଡ ବନ୍ଧୁ ଥିବାବେଳେ ୪୭୨ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବା ନିମନ୍ତେ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଜିଲ୍ଲାରେ କରୋନା ସଂକ୍ରମଣ ଚିକିତ୍ସା ନିମନ୍ତେ ଔଷଧ ଓ ଅକ୍ସିଜେନର ଅଭାବ ନାହିଁ, ଆମ୍ବୁଲେନ୍ସ ସେବା ଯୋଗେଇ ଦେବାରୁ ବିଶେଷ ଅସୁବିଧା ନାହିଁ । ଟାଟା ମେଡିକାଲରେ ରୋଗୀସେବା ଗୃହରେ ସି ସି ଟିଭି ଲଗାଯାଇ ସାରିଛି ଏବଂ ଅନ୍ୟ ଦୁଇଟି ମେଡିକାଲରେ ମଧ୍ୟ ଖୁବଶୀଘ୍ର ସି ସି ଟିଭି ଲଗେଇବାର ବ୍ୟବସ୍ଥା ରହିଛି । ଅଗଷ୍ଟ ମାସଟି ଜିଲ୍ଲାବାସୀଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ଅତି ଜରୁରୀ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ । ଯେଉଁମାନେ ବାହାରକୁ ଯାଉଛନ୍ତି ମାସ୍କ, ସାନିଟାଇଜର ଓ ଗ୍ଲୋବ୍ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖୀବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ | ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଗାମୀ ବୁଧବାର କିମ୍ବା ଗୁରୁବାର ଦିନଠାରୁ ଘରଠୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଆରମ୍ଭ କରାଯିବ ବୋଲି କହିଥିଲେ । ଯେଉଁସବୁ ଦୋକାନ ଖୋଳଲା ଯାଉଛି ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ବ୍ୟବହାର କରିବା ଏବଂ ପଞ୍ଚସୂତ୍ର ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସାମ୍ବାଦିକଙ୍କ ଠାରେ କିଛି କରୋନା ସଂକ୍ରମଣ ଲକ୍ଷଣ ଦେଖାଗଲେ ସେମାନେ ନିଜର ସ୍ଵାବ ପରୀକ୍ଷା କରିନିଅନ୍ତୁ ବୋଲି କହିଥିଲେ । ଏହି ସମ୍ମିଳନୀରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା