ଜଣେ ସାଲିସ୍ବିହୀନ ସ୍ୱାଭିମାନୀ ଦରଦୀ ତଥା ସ୍ପଷ୍ଟବାଦିତାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶାବାସୀଙ୍କ ହୃଦୟ ଜିଣି ପାରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସେ ପ୍ରାଣଭରି ଭଲ ପାଉଥିଲେ । ୧୯୫୧ ମସିହାରେ ଅବିଭକ୍ତ ଗଂଜାମ ଜିଲ୍ଲାର ଐତିହାସିକ ସହର ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ତାଙ୍କର କଲେଜ ଜୀବନ ଆରମ୍ଭ ହୋଇଥିଲା । ତା’ର ପର ବର୍ଷ ଅର୍ଥାତ୍ ୧୯୫୨ ମସିହାରେ ନିଜର ସାଂଗଠନିକ ଦକ୍ଷତା ବଳରେ କଲେଜ ଛାତ୍ରସଂସଦ ସଭାପତି ନିର୍ବାଚିତ ହେଲେ । ଯୁବକ ଓ ଛାତ୍ରମାନେ ହିଁ ସମାଜରେ ପରିବର୍ତ୍ତନ ଆଣିପାରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ତେଣୁ ସେ ସବୁବେଳେ ଛାତ୍ର ଓ ଯୁବ ସମାଜକୁ ଆନ୍ତରିକ ଭାବେ ଭଲ ପାଉଥିଲେ । ମୂଲ୍ୟବୋଧଭିତ୍ତିକ ରାଜନୀତିକୁ ସେ ଜୀବନସାରା ଆଦରି ନେଇଥିଲେ । ସ୍ପଷ୍ଟବାଦିତା ଥିଲା ତାଙ୍କର ଜୀବନର ସବୁଠାରୁ ବଡ଼ ପରିଚୟ । ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେ ଜନ୍ମ ଗ୍ରହଣ କରିଥିଲେ । ସେହି ଅଞ୍ଚଳରେ ଓଡ଼ିଆ ଭାଷା ପ୍ରତି ଚରମ ଅବହେଳାକୁ ସେ ବରଦାସ୍ତ କରିପାରି ନଥିଲେ । ସୁତରାଂ ଓଡ଼ିଆ ଜାତୀୟବାଦୀ ସଂଗଠନ ଉତ୍କଳ ସମ୍ମିଳନୀର ନେତୃତ୍ୱ ଜରିଆରେ ସେ ଦଳମତ ନିର୍ବିଶେଷରେ ଓଡ଼ିଆମାନଙ୍କୁ ସମ୍ମିଳିତ କରାଉଥିଲେ । ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ସେ ଛାତ୍ର ଓ ଯୁବଗୋଷ୍ଠୀକୁ ପ୍ରେରଣାଦାୟକ ଅଭିଭାଷଣ ମାଧ୍ୟମରେ ଓଡ଼ିଆ ଭାଷାର ସୁରକ୍ଷା ପ୍ରଦାନ ସହ ଓଡ଼ିଶାକୁ ଆଗେଇ ନେବାପାଇଁ ବରାବର ପରାମର୍ଶ ଦେଉଥିଲେ । ବକ୍ସିବାବୁ କଟକ ରେଭେନ୍ସା କଲେଜରେ ସ୍ନାତକେ ।ତ୍ତର (ଇତିହାସ) ପଢ଼ିଲେ । ସ୍ନାତକେ ।ତ୍ତର ଶ୍ରେଣୀର ଦ୍ୱିତୀୟ ବର୍ଷ ଅର୍ଥାତ୍ ୧୯୫୫ ମସିହାରେ ସେ ରେଭେନ୍ସା କଲେଜ ଛାତ୍ର ୟୁନିଅନ୍ର ସଭାପତି ନିର୍ବାଚିତ ହୋଇଥିଲେ । ଏହିଠାରୁ ତାଙ୍କର ରାଜନୈତିକ କ୍ୟାରିୟର୍ର ଲମ୍ବା ଯାତ୍ରା ଆରମ୍ଭ ହେଲା । ସେହି ସମୟରେ ସୀମା ପୁନର୍ଗଠନ କମିଟିର ଓଡ଼ିଶା ପ୍ରତି ଘୋର ଅନ୍ୟାୟ ବିରୁଦ୍ଧରେ ରେଭେନ୍ସା କଲେଜ ଛାତ୍ରମାନଙ୍କୁ ନେଇ ସେ କଟକ ରେଡ଼ିଓ ଷ୍ଟେସନ୍ ନିକଟରେ ବିରାଟ ବିକ୍ଷୋଭ ସଭାର ଅୟେ ।ଜନ କରିଥିଲେ । ସେଠାରେ ପୋଲିସର ଗୁଳିଚାଳନା ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଲା । ସେହି ଘଟଣା ପରେ ଓଡ଼ିଶାର ବିଭିନ୍ନ କଲେଜରେ ଛାତ୍ର ଧର୍ମଘଟ ସହ ପ୍ରତିବାଦ ସଭା ଆରମ୍ଭ ହୋଇଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ଛାତ୍ରନେତା ହରିଶ୍ଚନ୍ଦ୍ର । ସେତେବେଳେ କଟକ ମ୍ୟୁନିସିପାଲଟି ପଡ଼ିଆରେ ଆୟୋଜିତ ବିକ୍ଷୋଭ ସଭାରେ ହରିଶ୍ଚନ୍ଦ୍ର ବାବୁ ଯେଉଁଭଳି ଭାଷଣ ଦେଇଥିଲେ ତାହା ସେତେବେଳର ଛାତ୍ରମାନଙ୍କୁ ଖୁବ୍ ଉଦ୍ବୁଦ୍ଧ କରିଥିଲା । ବକ୍ସିବାବୁଙ୍କୁ ପୋଲିସ ଗିରଫ କରିନେଲା କିନ୍ତୁ କଟକରୁ ଆରମ୍ଭ ହୋଇଥିବା ସେହି ସୀମା ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ୟାପି ଯାଇଥିଲା । ତେବେ ବିହାରର ଟାଣୁଆ ନେତାମାନଙ୍କ ଯୋଗୁଁ ଶେଷରେ ଓଡ଼ିଶାରୁ ଷଢ଼େଇକଳା, ଖରସୁଆଁ ଆଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିହାରକୁ ଚାଲିଗଲା । ଛାତ୍ରନେତା ହରିଶ୍ଚନ୍ଦ୍ର ବାବୁ ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଲେ । ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ । ସେ ଥିଲେ ଜଣେ ସ୍ପଷ୍ଟବାଦୀ, ନିଷ୍କପଟ ଜନନେତା । ତେଣୁ ଗୋଡ଼ାଣିଆ କପଟ ରାଜନୀତିକୁ ସେ ଆଦୌ ପସନ୍ଦ କରୁନଥିଲେ । ସେ ସ୍ୱଚ୍ଛଳ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଗରିବର ହୃଦୟକୁ ଭଲଭାବରେ ଚିହ୍ନି ପାରିଥିଲେ । କୋରାପୁଟର ଗରିବ ଆଦିବାସୀ, ହରିଜନଙ୍କ ଜୀବନରେ ନୂଆ ଆଶା ଓ ସ୍ୱପ୍ନ ଭରିଦେବାରେ ସେ ଥିଲେ ଅଗ୍ରଗଣ୍ୟ ନେତା । ସମାଜରେ ଅର୍ଥନୈତିକ ସମାନତା ଆଣିବା ପାଇଁ ସେ ସବୁବେଳେ ଶୋଷଣ ବିହୀନ ସମାଜର ସ୍ୱପ୍ନ ଦେଖିଥିଲେ । ସେହି କାରଣରୁ ସେ ଗଠନ କରିଥିଲେ ‘ରୟତ କୁଲୀ ସଂଘ’ ଓ ‘ଚାଷୀ ସଂଘ’ ଭଳି ଅଗ୍ରଣୀ ସଂଗଠନ । ଓଡ଼ିଶାର ବଣପାହାଡ଼ ଘେରା କୋରାପୁଟ ଜିଲ୍ଲାରୁ ଆସି କଟକ ଯାଏଁ ରେଭେନ୍ସା କଲେଜ ଛାତ୍ରସଂସଦ ସଭାପତି ପଦ ମଣ୍ଡନ ଏବଂ କଟକ ପୌର ନିର୍ବାଚନରେ କାଉନ୍ସିଲର ନିର୍ବାଚିତ ହୋଇ ହରିଶ୍ଚନ୍ଦ୍ର ବାବୁ ଜଣେ ସଫଳ ନେତା ହେବାର ସୂଚନା ଦେଇଥିଲେ । ନିଜର ସ୍ପଷ୍ଟବାଦିତା ଗୁଣ ଯୋଗୁଁ ସେ ରାଜନେୈତିକ ଜୀବନରେ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଥିଲେ । ସାଲିସବିହୀନ ଓ ସ୍ୱାଭିମାନୀ ଜୀବନାଦର୍ଶ ହିଁ ତାଙ୍କୁ ଓଡ଼ିଶାର ଅନ୍ୟତମ ତୁଙ୍ଗ ନେତା ଭାବରେ ପ୍ରତିଷ୍ଠିତ କରାଇ ପାରିଥିଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ଛାତ୍ର ଜୀବନରୁ ପ୍ରତିଭାବାନ ବ୍ୟକ୍ତି ଭାବେ ପରିଚିତ ଥିଲେ । ସେ ଏକାଧାରରେ ଜଣେ ସୁବକ୍ତା, ସୁସଂଗଠକ, ରାଜନେତା, ବିଧାୟକ, ମନ୍ତ୍ରୀ, ଲେଖକ ଓ ସମ୍ପାଦକ ଭାବେ ପ୍ରତିଷ୍ଠା ପାଇଥିଲେ । ଜିଲ୍ଲାପ୍ରେମ, ଦେଶପ୍ରେମ, ଜାତିପ୍ରେମ, ଭାଷାପ୍ରେମ ତାଙ୍କର ଆଦର୍ଶ ଥିଲା । ରାୟଗଡ଼ା ସ୍କୁଲରୁ ପ୍ରାଥମିକ ଶିକ୍ଷା, ପାରଳାଖେମୁଣ୍ଡିରେ କଲେଜ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା, ମଧୁସୂଦନ ଆଇନ କଲେଜରୁ ଆଇନ ଶିକ୍ଷା ହାସଲ କରି ସେ ଉଚ୍ଚଶିକ୍ଷାର ଅଧିକାରୀ ହୋଇଥିଲେ । ସେ ଗରିବଙ୍କ ଓକିଲ ଭାବେ ବେଶ୍ ଜଣାଶୁଣା ଥିଲେ । ମଧୁବାବୁଙ୍କ ଆଦର୍ଶକୁ ଗ୍ରହଣ କରିଥିବା ହରିଶ୍ଚନ୍ଦ୍ର ବାବୁ ମକଦ୍ଦମା ଲଢ଼ିବା ପାଇଁ କାହାଠୁୁ କେବେହେଲେ ଅର୍ଥ ଦାବି କରିନଥିଲେ । ଜଣେ ଓଡ଼ିଆ ଭାବେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଉନ୍ନତି ପାଇଁ ସାରା ଜୀବନ ସେ ସଂଗ୍ରାମ ଚଳାଇଥିଲେ । ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ଓ ପରେ ସେ ଏହାର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । ଛାତ୍ରଜୀବନରୁ ସାମ୍ୟବାଦୀ ଚିନ୍ତାଧାରା ପ୍ରତି ଆକୃଷ୍ଟ ହୋଇ ଶ୍ରମିକ ନେତା ଭାବେ କାର୍ଯ୍ୟ କରିଥିଲେ । ସେ ଥିଲେ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ବକ୍ତା । ତେଣୁ ତାଙ୍କ ଭାଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଓଡ଼ିଶାର ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତି ଆକୃଷ୍ଟ ହୋଇ ସେ ଉତ୍କଳ କଂଗ୍ରେସରେ ଯୋଗ ଦେଇଥିଲେ । କୋରାପୁଟ ନୂତନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ଓ ପରେ ଓଡ଼ିଶାର ମନ୍ତ୍ରୀ ହୋଇଥିଲେ । ଉତ୍କଳ କଂଗ୍ରେସ ଦଳ ଜନତା ପାର୍ଟିରେ ବିଲୀନ ହେବାପରେ ଜୟପ୍ରକାଶ ନାରାୟଣଙ୍କ ନୀତି ଓ ଆଦର୍ଶ ପ୍ରତି ସେ ଆକର୍ଷିତ ହୋଇ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୧୯୭୭ ଜରୁରୀ କାଳୀନ ପରିସ୍ଥିତି ସମୟରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ । ସେ ପ୍ରଥମେ ଜନତା ପାର୍ଟି ପରେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଜେପିର ସଦସ୍ୟ ରହିଥିଲେ । ହରିଶ୍ଚନ୍ଦ୍ର ବାବୁ ‘ଲୋକନୀତି’ ନାମକ ଏକ ପାକ୍ଷିକ ପତ୍ରିକା ପ୍ରକାଶ କରି ଏହାର ସମ୍ପାଦନା ଦାୟିତ୍ୱ ନିଭାଇଥିଲେ । ନିର୍ବାଚନ ସମ୍ବନ୍ଧରେ ବକ୍ସିପାତ୍ରଙ୍କ ଦୃଷ୍ଟିଭଙ୍ଗୀ ଥିଲା ଅତ୍ୟନ୍ତ ନିଆରା । ସେ କହୁଥିଲେ ଯେ ନିର୍ବାଚନ ପ୍ରକ୍ରିୟାରେ ଯେଉଁ ଦୁର୍ନୀତି ଆରମ୍ଭ ହୁଏ ଆର୍ଥିକ ଦେଣନେଣ ଦ୍ୱାରା ହେ ।ଇଥାଏ । ଆଜି କିନ୍ତୁ ଅର୍ଥ ହିଁ ନିର୍ବାଚନର ମୂଳପୁଞ୍ଜି ହୋଇଛି । ଅର୍ଥଦ୍ୱାରା ହିଁ ଭୋଟକୁ କିଣାଯାଉଛି । ଅପରପକ୍ଷରେ ଏପରି ନୀତିକୁ ହରିଶ୍ଚନ୍ଦ୍ର ବାବୁ ନାପସନ୍ଦ କରୁଥିଲେ । ଅର୍ଥ କାରବାର ଜରିଆରେ ସରକାର ଓ ଜାତୀୟ ନୀତି ସ୍ଥିର ହେବା ଅତ୍ୟନ୍ତ ନିନ୍ଦନୀୟ ଓ ଅନୈତିକ ବୋଲି ତାଙ୍କର ମତ ରହିଥିଲା । ନିର୍ବାଚନ ଓ ସଂକୀର୍ଣ୍ଣ ଦଳୀୟ ରାଜନୀତି ପାଇଁ ମହାନ ଓଡ଼ିଆ ଜାତିର ସ୍ୱାର୍ଥକୁ ବଳି ଦିଆଯାଇ ପାରିବ ନାହିଁ ବୋଲି ସେ ସବୁବେଳେ କହି ଆସୁଥିଲେ । ଏଭଳି ଜଣେ ସାଲିସବିହୀନ ସ୍ୱାଭିମାନୀ ଜନନେତା ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ବିଚାରଧାରାର ମୃତ୍ୟୁ ଘଟିନାହିଁ । ତାଙ୍କର କର୍ମ ଓ ଜୀବନାଦର୍ଶ ଯୁବପିଢ଼ି ଓ ଜନସାଧାରଣଙ୍କୁ ଚିରଦିନ ପାଇଁ ପ୍ରେରଣା ଯୋଗାଉଥିବ, ଏଥିରେ ସନ୍ଦେହ ନାହିଁ ।