ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିବାରେ କବି ଓ ଲେଖକଙ୍କ ଭୂମିକା ଅତୁଳନୀୟ:ଜଷ୍ଟିସ ନାଇଡୁ…

କଟକ (ସମୃଦ୍ଧ ଓଡିଶା) ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରତିଭା ପୂଜା ସଂସଦର ୧୯ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ସତ୍ୟ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହଓଡିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ଉଦଘାଟନ କରି ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ କବି, ଲେଖକ ଓ ଔପନ୍ୟାସିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ମାତୃଭାଷାର ଉନ୍ନତି ପାଇଁ ଆମେ ସମସ୍ତେ ଉଦ୍ୟମ ଜାରି ରଖିବା ଉଚିତ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାଶ, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ, ‘ୱାର୍ଲଡ଼ ୱାଚ’ର ଏହି ପ୍ରତିଭା ସମ୍ମାନ ସମାରୋହକୁ ଭୁୟସୀ ପ୍ରଶଂସା କରିଥିଲେ । ବିଶେଷ କରି ଅନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇ ଆସୁଥିବା ‘କବି ଓ କବିତା’ ଓ ‘କଥା ଓ କଥାକାର’ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଏହି ସଂକଳନ ଗୁଡିକରେ ‘କବି ଓ ଲେଖକ’ମାନଙ୍କ ବଳିଷ୍ଠ ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସହ ସମ୍ପାଦକ ଧର୍ମାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ଶାଖାର ସଭାପତି ବହାଦୁର ପାଟ୍ଟସାହାଣୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଥିବା ରାଜ୍ୟସ୍ତରୀୟ କବିତା ସଂକଳନ ‘କବି ଓ କବିତା’ର ୧୫ ଶ ଭାଗ ଏବଂ ‘କଥା କଥାକାର’ର ୧୪ଶ ଭାଗ, ଧନେଶ୍ୱର ପ୍ରଧାନଙ୍କ ପ୍ରବନ୍ଧ ସଂକଳନ ‘ମହାଭାରତୀୟ ଜୀବନର ସ୍ଵରଲିପି’, ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କ କବିତା ସଂକଳନ ‘କବିତା ମଞ୍ଜରୀ’, ନମିତା ନାୟକଙ୍କ ଗଳ୍ପ ସଂକଳନ ‘ମାୟା’, ବାହାଦୂର ପାଟ୍ଟସାହାଣୀଙ୍କ ଗଳ୍ପ ସଂକଳନ ‘ନୂଆ ସକାଳ’, ଶିବ ଚରଣ ବେହେରାଙ୍କ କବିତା ସଂକଳନ ‘ଶ୍ରଦ୍ଧାହାର’, ଶିବ ପ୍ରସାଦ ରାଉତଙ୍କ ସଂକଳନ ‘ଅମୃତଂଗମୟ’, ଉମାଶଙ୍କର ମିଶ୍ର ଉପନ୍ୟାସ ‘ପ୍ରସ୍ତାବ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ସହର ଯୋଜନା ଓଡ଼ିଶାର ପୂର୍ବତନ ନିର୍ଦ୍ଦେଶକ ମୀନକେତନ ଦାସ ମୁଖ୍ୟ ଅତିଥି, ମନସ୍ଵିନୀର ମୁଖ୍ୟ ସମ୍ପାଦକ ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ଉର୍ବୀର ସମ୍ପାଦକ ଶ୍ରୀଧର ଶେଖର ମହାପାତ୍ର, ବୈଶାଖୀର ସମ୍ପାଦକ ବିଚିତ୍ରାନନ୍ଦ ପଣ୍ଡା, ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ମନୋରଞ୍ଜନ ଦାସ, ସାହିତ୍ୟ ସନ୍ଦେଶର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, ବିଶିଷ୍ଟ ଚିକିତ୍ସକ ଓ ସାହିତ୍ୟିକ ଡାକ୍ତର ତାରକା ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବନସୁରଭିର ସମ୍ପାଦକ ବଲ୍ଳଭ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସୁକାନ୍ତି ସାହୁ ଓ ପ୍ରଭାତୀ ଦେବନାଥଙ୍କ ସଂଯୋଜନାରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପ୍ରାୟ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପସଭାପତି ସୁରେଶ ଦାଶ, କମଳାକାନ୍ତ ଦାଶ, ଶରତ ଚନ୍ଦ୍ର ରଥ, ପ୍ରଶନ କୁମାର ଦାଶ, ଅଫସର ଅହମ୍ମଦ ଖାଁ, ପ୍ରଭାତ ଭୂୟାଁ, ନାରାୟଣ ଶତପଥୀ, ପ୍ରଭାକର ପୃଷ୍ଟି, ସ୍ମୃତି ରଞ୍ଜନ ଦାସ, ଭୁବନାନନ୍ଦ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।