ସି.ବି.ଆଇ. ନିର୍ଦ୍ଦେଶକଙ୍କ ରାତି ଅଧିଆ ଛୁଟିରେ ଯିବା ଆଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା : ସମାଜବାଦୀ ପାର୍ଟି

ଭୁବନେଶ୍ୱର ( ଆକାଶ ମିଶ୍ର ) : ସି.ବି.ଆଇ. ଭଳି ଏକ ସାମ୍ବିଧାନିକ ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତିକୁ ଦୁଇବର୍ଷ ଭିତରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ସ୍ୱୟଂ ପ୍ରଧାନମନ୍ତ୍ରୀ ଉଲ୍ଲଙ୍ଘନ କରିଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତିଯେ, ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ଏକ କମିଟି ଜରିଆରେ କରାଯାଇଥିଲା। ଏହି କମିଟିର ସଦସ୍ୟ ଭାବରେ ପ୍ରଧାନମନ୍ତ୍ରୀ, ବିରୋଧିଦଳ ନେତା ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ। କମିଟିର କେବଳ ଅଧିକାର ଅଛି କୌଣସି ଏକ ବିଶେଷ ପରିସ୍ଥିତିରେ ସିବିଆଇ ନିର୍ଦ୍ଦେଶକଙ୍କ ବଦଳି କରିପାରିବେ ବା ତାଙ୍କୁ ଛୁଟିରେ ଯିବାପାଇଁ ନିର୍ଦ୍ଦେଶ ଦେଇପାରିବେ। ବର୍ତ୍ତମାନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କର ରାତିଅଧିଆ ଛୁଟିରେ ଯିବା ନିଷ୍ପତ୍ତିକୁ ଏହି କମିଟି ଅନୁମୋଦନ କରିନାହାଁନ୍ତି। ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ଯିବାପାଇଁ ସିଭିସି ସୁପାରିଶ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଯେଉଁ ସଫେଇ ଦେଇଛନ୍ତି ତାହା ସୁପ୍ରିମକୋର୍ଟ ନିର୍ଦ୍ଦେଶର ଅବମାନନା ବୋଲି ଶ୍ରୀ ବେହେରା କହିଛନ୍ତି। କାରଣ ସିଭିସିଙ୍କର ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ଯିବାର ନିର୍ଦ୍ଦେଶ ଅଧିକାର ନାହିଁ। ରାଫେଲ୍ ଡିଲ୍ ସମ୍ପର୍କିତ କାଗଜପତ୍ରର ଖୋଳତାଡ ଆରମ୍ଭ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କର ଖାସ୍ ଲୋକ ତଥା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ବିରୁଦ୍ଧରେ ଦୁର୍ନୀତି ନେଇ ଏଫ୍.ଆଇ.ଆର. ଦରଜ କରିବା ଯୋଗୁଁ ସରକାର ଛାନିଆ ହୋଇ ସିବିଆଇ ନିର୍ଦ୍ଦେଶକଙ୍କୁ ଜବରଦସ୍ତ ଛୁଟିରେ ଯିବାପାଇଁ ବାଧ୍ୟ କରିଛନ୍ତି। ଏଭଳିକି କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଛିଯେ, ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ପ୍ରଧାନମନ୍ତ୍ରୀଙ୍କ ଦପ୍ତରର କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୁର୍ନୀତି ସମ୍ପର୍କିତ ଖବର ଶ୍ରୀଯୁକ୍ତ ବର୍ମାଙ୍କ ପାଖରେ ପହଞ୍ଚିବା ପରେ ସେ ଏ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଏକ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ମୁଖା ଖୋଲିଯିବା ଭୟରେ ରାତି ଅଧରେ ସିଭିସି ଙ୍କୁ ଆୟୁଧ କରି ସ୍ୱୟଂ ପ୍ରଧାନମନ୍ତ୍ରୀ ସିବିଆଇ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବର୍ମାଙ୍କୁ ଛୁଟିରେ ଯିବାପାଇଁ ବାଧ୍ୟ କରିଛନ୍ତି। ଗୋଟିଏ ଦିଗରେ ତାଙ୍କର ଖାସ୍ ଲୋକ ରାକେଶ ଆସ୍ଥାନଙ୍କୁ ସୁରକ୍ଷା ଦେବା, ଅନ୍ୟ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର କିଛି ଅଧିକାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍କୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଛନ୍ତି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଶ୍ରୀ ବର୍ମାଙ୍କ ଯାଗାରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବରେ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ଯେଉଁ ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦିଆଯାଇଛି, ତାଙ୍କ ଉପରେ ମଧ୍ୟ ଦୁର୍ନୀତିର ଛିଟା ରହିଛି। ଓଡ଼ିଶାରେ ଫାୟାର ସର୍ଭିସର ଡିଜି ଥିଲାବେଳେ ସେ ଦୁର୍ନୀତିରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ମଧ୍ୟ ପୂର୍ବରୁ ରହିଆସିଅଛି। ଏହାବ୍ୟତୀତ ଶ୍ରୀଯୁକ୍ତ ରାଓ ଜଣେ ଆର.ଏସ୍.ଏସ୍. ଆଦର୍ଶର ଅନୁଗତ ଏବଂ ଓଡ଼ିଶାରେ ଥିଲାବେଳେ ସେ ଆର.ଏସ୍.ଏସ୍. ଲୋକଙ୍କୁ ଖୋଲାଖୋଲି ସମର୍ଥନ କରିବା ସହିତ ଆର.ଏସ୍.ଏସ୍. ଆଦର୍ଶର ଜଣେ ପ୍ରଚାରକ ଥିଲେ। ବିଭିନ୍ନ ସଭା ସମିତିରେ ଆର.ଏସ୍.ଏସ୍. ଆଦର୍ଶକୁ ନେଇ ସେ ବକ୍ତୃତା ଦେବାର ନଜିର ରହିଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି। ଏନ୍ଡିଏ ସରକାର ଓ ପ୍ରଧାନମନ୍ତ୍ରୀ ନିଜେ ବିଭିନ୍ନ ସାମ୍ବିଧାନିକ ପଦପଦବୀରେ ଆର.ଏସ୍.ଏସ. ସମର୍ଥକମାନଙ୍କୁ ଥଇଥାନ କରିବାର ଯେଉଁ ରଣକୌଶଳ ଆପଣେଇଛନ୍ତି, ନାଗେଶ୍ୱର ରାଓଙ୍କର ନିଯୁକ୍ତି ସେହି କୌଶଳର ଏକ ଅଂଶବିଶେଷ। ତୁରନ୍ତ ଯଦି ସିବିଆଇ ସମ୍ପର୍କରେ ସରକାର ସାମ୍ବିଧାନିକ ପଦକ୍ଷେପ ଗ୍ରହଣ ନକରନ୍ତି ତା’ହେଲେ ଗଣଆନ୍ଦୋଳନ ଜରିଆରେ ଏହାର ଜବାବ ଦିଆଯିବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ସରକାରଙ୍କ ଏହି ଅଗଣତାନ୍ତ୍ରିକ ଓ ଅଣସାମ୍ବିଧାନିକ ନିର୍ଦ୍ଦେଶ ଉପରେ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ପଦକ୍ଷେପ ନେବେ ବୋଲି ଆମ୍ଭେ ଆଶା ପ୍ରକାଶ କରୁଛୁ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ରାଜ୍ୟସଭାପତି ଶ୍ରୀ ରବି ବେହେରା ମତ ପ୍ରକାଶ କରିଛନ୍ତି  ।