ରାୟଗଡ଼ା(ସମୃଦ୍ଧ ଓଡିଶା )ସଂସଦରେ ସଂଖ୍ୟା ଗରିଷ୍ଠତା ଯୋଗୁଁ ସମ୍ବିଧାନକୁ ବେଖାତିର କରିଛନ୍ତି କେନ୍ଦ୍ର ସରକାର ବୋଲି ଆଜି ଆଭିଯୋଗ କରି ରାୟଗଡା ଜିଲା ଅମ୍ବେଦକର ପାର୍ଟି ପକ୍ଷରୁ ସିଏଏ ଓ ଏନଆରସି ଆଇନ ବିରୋଧରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ କୋରାପୁଟ ଛକଠାରୁ ଦଳିୟ କର୍ମକର୍ତ୍ତା ଶୋଭାଯାତ୍ରାରେ ବାହାରି ବ୍ଲକ ଛକ ପରେ ଜିଲା ମୁଖ୍ୟାଳୟରେ ପହଞ୍ଚି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଉପରୋକ୍ତ ଆଇନ ସମ୍ବିଧାନ ବିରୋଧି ଦର୍ଶାଇ ଦଳ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଗଣତାନ୍ତ୍ରିକ ସମ୍ବିଧାନୀକ ବ୍ୟବସ୍ଥା ଏବଂ ଜାତିସଂଘର ନୀତି, ନିୟମ ଓ ଚୁକ୍ତିନାମା ଅନୁଯାୟୀ ଦେଶରେ ଶାସନ ବ୍ୟବସ୍ଥା ପରିଚାଳିତ । ଏଣୁ କେନ୍ଦ୍ର ସରକାର ଏକ ନିର୍ଦ୍ଧିଷ୍ଟ ଧାର୍ମିକ ବିଚାର ଧାରା ଆଧାରରେ ଏହି ଆଇନ ସଂସଦରେ ସଂଖ୍ୟା ଗରିଷ୍ଠତା ଯୋଗୁଁ ପାସ କରି ଦେଶର ସମ୍ବିଧାନକୁ ବେଖାତିର କରିଥିବା ଦଳ ଅଭିଯୋଗ କରିଛି । ଭାରତ ଏକ ଗଣତାନ୍ତ୍ରୀକ ସର୍ବଭୌମ ରାଷ୍ଟ୍ର । ଯେଉଁ ଦେଶର ସର୍ବଶ୍ରେଷ୍ଠ ଆଇନ ସମ୍ବିଧାନ । ସଂସଦରେ ପାରିତ ସିଏଏ ଆଇନ ସମ୍ବିଧାନ ଧାରା ୧୪,୧୫,୧୯ ଓ ୨୧କୁ ସଂମୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରୁଛି । ଏଥିଯୋଗୁଁ ଭାରତୀୟ ସମ୍ବିଧାନ ମୁଖବନ୍ଧରେ ଥିବା ସମତା, ସ୍ୱତନ୍ତ୍ରତା ଭାତୃତ୍ୱ ଓ ନ୍ୟାୟର ବିଚାରଧାରାକୁ କ୍ଷୁଣ୍ଣ କରୁଥିବା ଦଳ ସ୍ମାରକପତ୍ରରେ ଉଲ୍ଲେଖ କରିଛି । ଏହି ଦାବିପତ୍ର ପ୍ରଦାନ ଅବସରରେ ଦଳ ସଭାପତି ସନ୍ତୋଷକୁମାର ବିଡିକା, ରାଜ୍ୟ ସଂଯୋଜକ ରାଜୁ କୁଲଦୀପ, ସଂସଦ ପ୍ରାର୍ଥୀ ବନମାଳୀ ମାଝିଙ୍କ ସମେତ ଜିଲା ସମ୍ପାଦକ ରଞ୍ଜନ କୁମାର ତାଡିଙ୍ଗି ଓ ଦଳର ଅନ୍ୟ ପ୍ରମୁଖ ସଦସ୍ୟ ଏଠାରେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ