ସିପିଆଇ ର ସହଯୋଗ ଲୋଡିଲା ବିଜେଡ଼ି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସଂସଦ ଓ ବିଧାନସଭାରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ସିପିଆଇର ସହଯୋଗ ଲୋଡିଛି ବିଜେଡି । ଆଜି ନୂଆଦିଲ୍ଲୀ ଠାରେ ବିଜେଡି ପ୍ରତିନିଧିଦଳ ସିପିଆଇର କର୍ମକର୍ତ୍ତାମାନଙ୍କ ସହ ଏ ସଂକ୍ରାନ୍ତରେ ସାକ୍ଷାତ ଆଲୋଚନା କରିଛନ୍ତି । ଦଳ ତରଫରୁ ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ କୁଳମଣି ସାମଲ ସିପିଆଇର ଜାତୀୟ ସମ୍ପାଦକ ତଥା ସାଂସଦ ଡି.ରାଜାଙ୍କୁ ଭେଟି ସଂସଦ ଓ ସମସ୍ତ ବିଧାନଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାଲାଗି ନୀତିଗତ ସମର୍ଥନ ଲୋଡିଥିଲେ । ଶ୍ରୀ ରାଜା ମଧ୍ୟ ଏ ପ୍ରସଙ୍ଗରେ ସକରାତ୍ମକ ମନ୍ତବ୍ୟ ପ୍ରଦାନ ସହିତ ପ୍ରୟାସର ସଫଳତା ନେଇ ଆଶା ପ୍ରକାଶ କରିଥିଲେ । ତତ୍‍ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ସ୍ୱାଗତ ଓ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାରେ ସଙ୍କଳ୍ପ ଆଣିବା ସହିତ ତାହା ପାରିତ ହୋଇଛି । ଏଥି ସହିତ ସମଗ୍ର ଦେଶରେ ଯେଭଳି ଏହା କାର୍ଯ୍ୟକାରୀ ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖିବା ସହିତ ସେମାନଙ୍କ ସହଯୋଗ ଲୋଡିଛନ୍ତି । ସେହିଭଳି ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ହାସଲ ପାଇଁ ବିଜେଡି ତାହାର ସାଂସଦ, ମନ୍ତ୍ରୀ, ବିଧାୟକ ଓ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ଦେଇଛି । ତଦନୁଯାୟୀ ଦଳର ଦୁଇ ସାଂସଦ ଶ୍ରୀ ସିଂହଦେଓ ଶ୍ରୀ ଶର୍ମା ଆଜି ସିପିଆଇ ନେତାମାନଙ୍କୁ ସାକ୍ଷାତ କରିଛନ୍ତି । ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଧ୍ୟ ମହିଳା ସଂରକ୍ଷଣ ବିଲ୍‍ ନେଇ ବିଜେଡିର ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ।  

ରିପୋର୍ଟ : ଆକାଶ ମିଶ୍ର