ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ….

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ପକ୍ଷରୁ ସ୍ଥାନୀୟ ସିବିଆଇ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । 
ରାଫେଲ ଯୁଦ୍ଧବିମାନ କିଣାରେ ହୋଇଥିବା ଦୁର୍ନୀତିର ତଦନ୍ତ ସିବିଆଇ କରିବାକୁ ଯାଉଥିବାବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଆଇ ନିର୍ଦ୍ଧେଶକ ଆଲୋକ ବର୍ମାଙ୍କୁ ରାତି ଅଧରେ ପରିବର୍ତନ କରି ତଦନ୍ତକାରୀ ସଂସ୍ଥାର କଣ୍ଠରୋଧ କରିବାକୁ ଅପଚେଷ୍ଟା କରୁଥିବା ପିସିସି ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏହାଦ୍ୱାରା ଦୁର୍ନୀତି ପ୍ରସଙ୍ଗ ଦବିଯିବ ନାହିଁ ବୋଲି ଦଳ ସ୍ପଷ୍ଟ କରିଦେଇଛି । ପିସିସି ସଭାପତିଙ୍କ ସମେତ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ କଳା ଡ୍ରେସ୍ ଓଦଳୀୟ ଟୋପି ପିନ୍ଧି , ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରାରେ ସିବିଆଇ କାର୍ଯ୍ୟାଳୟ ଠାରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିବିଆଇ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ଏହାର ନେତୃତ୍ୱ ନେଇ କହିଛନ୍ତି ଯେ ଦେଶରେ ନ୍ୟାୟ ନାହିଁ । ବର୍ତମାନ ଅନ୍ୟାୟ ଓ ଦୁର୍ନୀତି ଚାଲିଛି । ସିବିଆଇକୁ ମୋଦି ସରକାର ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଚାଲିଛନ୍ତି । ରାଫେଲ ଦୁର୍ନୀତିକୁ ଚପାଇବା ପାଇଁ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଯାଇଛି । ଦେଶର ବହୁ ବଡ ବଡ ଦୁର୍ନୀତି ବିଶେଷ କରି ଚିଟଫଣ୍ଡ ତଦନ୍ତ ଦାୟିତ୍ୱରେ ଥିବା ରାକେଶ ଅସ୍ଥାନା ଏପର୍ଯ୍ୟନ୍ତ କାହା ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଦେଶରେ ହିଟଲରୀ ଶାସନ ଚାଲିଛି ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି । ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ରର ବିଜେପି ସରକାର ବିବାଦୀୟ କରିଦେଇଥିବାବେଳେ ବିଜେଡି ସରକାର ନିରବତା ଅବଲମ୍ବନ ଘଟଣାକୁ ପିସିସି ସଭାପତି ନିନ୍ଦା କରିଛନ୍ତି । ସବୁ ସମୟରେ ବିଜେପିକୁ ସମର୍ଥନ ଓ ସହଯୋଗ କରିଆସିଥିବା ବିଜେଡିର ପ୍ରକୃତ ଚେହେରା ଏହାଦ୍ୱାରା ପଦାରେ ପଡିଯାଇଛି ବୋଲି ସେ କହିଛନ୍ତି । ବିଜେପି ଓ ବିଜେଡି ଭାଇଭାଇ, ଏକଥା ଜନସାଧାରଣ ଜାଣିରଖିବା ଦରକାର ବୋଲି ସେ ମନେପକାଇ ଦେଇଛନ୍ତି । ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସମୟରେ ଦଳର ବରିଷ୍ଠ ନେତୃବୃନ୍ଦ, କର୍ମୀ ଉପସ୍ଥିତ ଥିଲେ ।