ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ନଂ ଓ ୮ ନଂ ୱାର୍ଡ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ୍ କାଠ ପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ ଶିଖରପୁର ପଞ୍ଚାୟତର ଭାନୁପୁର ଫେରିଘାଟ ମଧ୍ୟରେ ରହିଥିବା ଏହି କାଠପୋଲ ଉପରେ ରାଇବଣିଆ ଅଂଚଳର ବିଭିନ୍ନ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ନଦୀ ଶୁଖି ଯାଉଥିବାରୁ ଆଜକୁ ୩୦ବର୍ଷ ହେଲା ଅସ୍ଥାୟୀ କାଠପୋଲ ୨ଟି ନିର୍ମାଣ କରାଯାଇ ଅଂଚଳବାସୀ ସେହିବାଟ ଦେଇ ପ୍ରତ୍ୟେକ ଦସିନ ସ୍କୁଲ, କଲେଜ ଏପରିକି ଦମକଳ ଗାଡି ଓ ପୋଲିସ୍ ଓ ପ୍ରଶାସନ ଗାଡି ମାନ ଯାତାୟାତ କରିଥାଏ । ମାତ୍ର ଏହି ପୋଲ ଦୁଇଟି ନିର୍ମିତ ହେବା ଦ୍ୱାରା ନଦୀର ଗତିପଥ ବଦଳିିଯିବା ସଂଗେ ସଂଗେ କୂଳବର୍ତ୍ତ ସ୍ଥାନ ଓ ଘର ଗୁଡିକ ବିପଦ ସଂକୁଳ ଅବସ୍ଥାରେ ରହୁଛି ବୋଲି କିଛି ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶପାଇ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୩୯୫/୨୨-୧-୨୦୨୦ ମୂଳେ ବାଲେଶ୍ୱର ଏସ୍ପିଙ୍କୁ ଆସନ୍ତା ୩ତାରିଖ ଦିନ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ଚିଠି ଲେଖି ଜଣାଇବା ସଂଗେ ସଂଗେ ଆବଶ୍ୟକତୀୟ ପୋଲିସ୍ ଫୋର୍ସ ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ । ସେହି ଚିଠିର ନକଲ ମଧ୍ୟ ଜଳେଶ୍ୱର ତହସିଲଦାର, ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜଳେଶ୍ୱର ଏସ୍ଡିପିଓ ଓ ଜଳେଶ୍ୱର ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରିଥିଲେ । ମାତ୍ର ନିର୍ଦ୍ଧାରିତ ସମୟରେ ଆଜି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ, ଜଳେଶ୍ୱର ସଦର ଆର୍ଆଇଙ୍କ ସମେତ ୭/୮ଜଣ କନେଷ୍ଟବଳ ସଂପୃକ୍ତ ବେଆଇନ୍ପୋଲ ଉଚ୍ଛେଦ ପାଇଁ ସେଠାରେ ପହଞ୍ଚିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଶହ ଶହ ପୁରୁଷ ଓ ମହିଳା ରାସ୍ତା ଉପରେ ବସିଯାଇ ପୋଲ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଥିଲେ । ଯାହା ଫଳରେ ଉଚ୍ଛେଦ କାର୍ଯ୍ୟ ହେବାରେ ବାଧା ସୃଷ୍ଟି ହେଲା । ଯଦି ପୋଲ ଉଚ୍ଛେଦ କରାଯାଏ, ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସେମାନେ ଚେତାବନୀ ଦେଇଥିଲେ । ଶେଷରେ ଅନ୍ୟ ଉପାୟ ନ ପାଇ ଉଚ୍ଛେଦ କାର୍ଯ୍ୟକୁ ସ୍ତଗିତ ରଖି ତହସିଲଦାର ଫେରିଆସିଥିଲେ । ଏ ସଂପର୍କରେ ଶ୍ରୀ ପଣ୍ଡାଙ୍କ ମତାମତ ଲୋଡିବାରୁ ସେ ଆଜିର ଉଚ୍ଛେଦ କାର୍ଯ୍ୟ ଆବଶ୍ୟକୀୟ ପୋଲିସ୍ ଫୋର୍ସ ଅଭାବରୁ ସ୍ତଗିତ ରଖାଗଲା ବୋଲି କହିବା ସହିତ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା