ଜଳେଶ୍ୱର (ସମୃଦ୍ଧ ଓଡିଶା) ରାତି ପାହିଲେ ଶ୍ରାବଣ ମାସର ରାକ୍ଷୀ ପୂର୍ଣ୍ଣିମା । ପ୍ରତ୍ୟେକ ଗାଁରେ ଥିବା ଶିବ ମନ୍ଦିରରେ ପବିତ୍ର ପାଣି ଢାଳିବା ଲାଗି କାଉଡିଆଙ୍କ ଭିଡ ଲାଗିଥିବା ବେଳେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ଘାଟରୁ ପବିତ୍ର ପାଣିନେଇ କାଉଡିଆମାନେ ସୁଦୂର ଚନ୍ଦନେଶ୍ୱର ଜୀଉଙ୍କଠାରେ ପାଣି ଲାଗି ହେବାଲାଗି ଜଳେଶ୍ୱର ଚନ୍ଦନେଶ୍ୱର ରାସ୍ତା ଗୈରୀକମୟ ହୋଇଥିଲା । କାଉଡିଆଙ୍କ ସେବା କରିବାଲାଗି ରାସ୍ତା ତମାମ ବ୍ୟାପକ ବ୍ୟବସ୍ଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଛି । ବୈଶାଖ ଜ୍ୟେଷ୍ଠ ମାସର ପ୍ରବଳ ରୌଦ୍ରତାପରେ ପୃଥିବୀ ଆତଜାତ ହେଉଥିବା ବେଳେ ଆଶାଢର ବାରିପାଦ ସାମୟିକ ଶୀତଳତା ଆଣିଥାଏ । ବିଭିନ୍ନ ସ୍ଥାନର ପବିତ୍ର ପାଣି ନେଇ ଦେବ ଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବାଲାଗି ପ୍ରତ୍ୟେକ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳାଭିଶେଷ କରିଥାନ୍ତି । ଉତ୍ତର ବାଲେଶ୍ୱରରେ ବିଶେଷ କରି ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ଓ ପ୍ରତି ଗାଁରେ ଥିବା ଶିବ ମନ୍ଦିରରେ ଶ୍ରାବଣ ମାସର ପ୍ରତି ସୋମବାର ଏହି ଜଳାଭିଷେକ ହୋଇ ଆସୁଥିବା ବେଳେ ରାକ୍ଷୀ ପୂର୍ଣ୍ଣମୀ ଏହି ଜଳାଭିଷେକ କରିବାଲାଗି ଭକ୍ତଙ୍କର ଭିଡ ଜମିଥାଏ । ଏହା ବ୍ୟତିତ ଜଳେଶ୍ୱରରୁ ଟ୍ରେନ୍ଯୋଗେ କାଶି ବିଶ୍ୱନାଥ, କୋଲକତାର ତାରକେଶ୍ୱରକୁ ମଧ୍ୟ ପ୍ରତି ରବିବାର ଏଠାରୁ ହଜାର ହଜାର କାଉଡିଆ ଯାଇଥାନ୍ତି । ଆଜି ସକାଳଠାରୁ ଜଳେଶ୍ୱର ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ଶାସନବାର୍ଡ, ସେଖବାଡ, ରାଜପୁର, ମହମ୍ମଦନଗର ପାଟଣା, ଗୋବରଘଟ୍ଟା, ଲକ୍ଷ୍ମଣନାଥ, ଗୋବର୍ଦ୍ଧନପୁର, ରେଳା, ଜମାଳପୁର, ପଶ୍ଚିମବାର୍ଡ, ଝାଡପିମ୍ପଳ, ବାଇଗଣବାଡିଆ ପ୍ରଭୃତି ନଦୀଘାଟରୁ ପବିତ୍ର ପାଣିନେଇ ଶ୍ରଦ୍ଧାଳୁମାନେ ଚନ୍ଦନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏଠାରୁ ପ୍ରାୟ ୩୦ ହଜାର କାଉଡିଆ ଆଜି ଅପରାହ୍ନରେ ବିଭିନ୍ନ ନଦୀ କୂଳରୁ ବିଧିମତେ ପବିତ୍ର ସ୍ନାନ ପୂଜାର୍ଚ୍ଚନା ସାରି ଚନ୍ଦନେଶ୍ୱର ଯାଇଛନ୍ତି । ଜଳେଶ୍ୱର ଚନ୍ଦନେଶ୍ୱର ରାସ୍ତାର ସୁବର୍ଣ୍ଣରେଖା ନଦୀକୂଳ ଜଳେଶ୍ୱର ସହର, ଆମ୍ବଳିଅଠା, କାଶିଡିହା, ସୁଗୋ, ନାମ୍ପୋ, ଡେମୁରିଆ, ଆମ୍ବପୁଞ୍ଜା, ମନ୍ଦାରୁଣୀ, ନହରା, କାହ୍ନୁପୁର, ସାତଶୁଳିଆ ପ୍ରଭୃତି ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତଙ୍କର ପବିତ୍ର ପାଣି ରଖିବା ସ୍ଥାନ ସଂଗ୍ରକ୍ଷୀତ କରିବା ସହ ଜଳଖିଆ ବନ୍ଦୋବସ୍ତ ଓ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା