‘ସୁଭଦ୍ରା’ଯୋଜନା ସମୀକ୍ଷା ସମ୍ବନ୍ଧୀୟ ମନ୍ତ୍ରିମଣ୍ଡଳ ବୈଠକ : ଜନତାଙ୍କୁ ସଠିକ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ପ୍ରସ୍ତାବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟାନ୍ୱୟନ ସମୀକ୍ଷା ସମ୍ବନ୍ଧୀୟ ମନ୍ତ୍ରିମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମହିଳା ଶିଶୁ ବିକାଶ ବିଭାଗ ଓ ସମାଜ କଲ୍ୟାଣ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଶା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ଓ ଯୋଜନାର ପ୍ରଚାର, ପ୍ରସାର ଓ ଯୋଗାଯୋଗ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜନସାଧାରଣଙ୍କୁ ସଠିକ୍‌ ସୂଚନା ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ । ହୋର୍ଡିଂ, ବ୍ୟାନର, ଲିଫଲେଟ ଓ ରେଡିଓ ଗୀତ ଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିଲା । ଗାଁ ଗାଁରେ ‘ସୁଭଦ୍ରା ସଚେତନ ରଥ’ ଦ୍ୱାରା ଜନସାଧାରଣଙ୍କୁ ‘ସୁଭଦ୍ରା’ ଯୋଜନା ବିଷୟରେ ଅବଗତ କରାଯାଉଛି । ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହାତ ହେବାରୁୁ ଫର୍ମ ପଞ୍ଜିକରଣ ବାଧାପ୍ରାପ୍ତ ହୋଇଥିଲା । ଆଗାମୀ ଦିନରେ ଏହାର ସଂଖ୍ୟା ବଢିବା ସହ କମ୍‌ ସମୟ ମଧ୍ୟରେ ‘ସୁଭଦ୍ରା’ ଯୋଜନାରେ ଅଧିକରୁ ଅଧିକ ପଞ୍ଜିକରଣ ପାଇଁ ପ୍ରୟାସ ଜାରି ଅଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାସ୍ତରରେ ଆଭାସି ମାଧ୍ୟମରେ ଏହି ଯୋଜନାର ସମୀକ୍ଷା କରାଯିବାକୁ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ରିପୋର୍ଟ : ରଜତ ମହାପାତ୍ର