

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୁରକ୍ଷl ମଞ୍ଚ ପକ୍ଷରୁ ଗଣ ସଂକଳ୍ପ ଦିବସ ପାଳନ କରାଯାଇଛି । ଏହି ଅବସରରେ କର୍ପୋରେଟ ସ୍ୱାର୍ଥ ରକ୍ଷାକାରୀ ଓ ଜନବିରୋଧୀ ତିନୋଟି କଳା କୃଷି ଆଇନ ଏବଂ ବିଦ୍ୟୁତ ସଂଶୋଧନ ବିଲର ପ୍ରତ୍ୟାହାର ଦାବି ନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଡାକରା କ୍ରମେ ଆଜି ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ଛତ୍ରପୁର ଉପଖଣ୍ଡର ମାଟିଖକ୍ଷଲ ଗ୍ରାମରେ ଗଣସଂକଳ୍ପ ଦିବସ ପାଳନ ହୋଇଯାଇଥିଲା । ଏହି ଉପଲକ୍ଷେ ଆବାହକ ଗୁରୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଗ୍ରାମବାସୀଙ୍କୁ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ଶପଥ କରାଯାଇ ନୂତନ ତିନୋଟି ଜନବିରୋଧୀ କର୍ପୋରେଟ ସପକ୍ଷବାଦୀ କୃଷି ଆଇନକୁ ପ୍ରତ୍ୟାହାର କରିବା ପର୍ୟ୍ୟନ୍ତ ଏହି ଆନ୍ଦୋଳନକୁ ବଳବତ୍ତର କରାଯିବାକୁ ଗଣସଂକଳ୍ପ ନିଆଯାଇଥିଲା । ଆଜିର ଏହି ସଭାରେ ସିପିଆଇ (ଏମଏଲ) ରେଡଷ୍ଟାର ରାଜ୍ୟ ସମ୍ପାଦକ ସାଥି ଶିବରାମ, ଗଞ୍ଜାମ ଜିଲ୍ଲା ସମ୍ପାଦକ ସାଥି ଶଙ୍କର, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ତଥା ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ଉପଦେଷ୍ଟା ଅବନୀ ଗୟା, ସମାଜସେବୀ ମନୋଜ ତରାଇ, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଆଇନଜୀବୀ ସୁମା ଦାସ, କ୍ରାନ୍ତି ଯୁବ ଛାତ୍ର ସଂଗଠନର ନେତା ଇଜୁ ଅମିନ ଖାଁ, ଜନ ଆନ୍ଦୋଳନର ନେତା ଉଦୟ ପ୍ରଧାନ, ଭଗବାନ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ବନ୍ଧୁ ପ୍ରଧାନ, ଇନ୍ଦୁ ପ୍ରଧାନ, ଶଶୀ ପ୍ରଧାନ, ସର ପ୍ରଧାନ, ଝୁନା ପ୍ରଧାନ ପ୍ରମୁଖ ଏହି ସଭା ପରିଚାଳନା କରିଥିଲେ । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଶେଷରେ ସାଥି ଗୁରୁଦେବ ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା