ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜାତିଗତ ବିଦ୍ୱେଷ ଓ ହିଂସାର ଶିକାର ହୋଇଥିବା ସୋରଡ଼ା ଥାନା ଏସ ଗୁଣ୍ଡିରିବାଡି ଗାଁର ୪୦ଟି ଦଳିତ ପରିବାରକୁ ସୁରକ୍ଷା ଯୋଗାଇଦେବା ଏବଂ ଅପରାଧିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ପୀଡିତଙ୍କ ବିରୁଦ୍ଧରେ ମିଥ୍ୟା କେଶ ଦେବା ବିରୁଦ୍ଧରେ ନ୍ୟାୟ ପାଇଁ ଡ଼ିଆଇଜି କାର୍ଯ୍ୟାଳୟ ଘେରାଉ କରିବା ସହ ଡ଼ିଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ସୋରଡ଼ା ଥାନା ଗୁଣ୍ଡିରିବାଡ଼ି ଗ୍ରାମରେ ୪୦ ଦଳିତ ପରିବାର ବସବାସ କରୁଛନ୍ତି । ସୁରକ୍ଷା ଓ ଅପରାଧୀଙ୍କୁ ଦଣ୍ଡ ଦେବା ଦାବିରେ ଦକ୍ଷୀଣାଞ୍ଚଳ ଡ଼ିଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଦଳିତ ପରିବାର । ଗତ ୨୪ ତାରିଖରେ ଗୁଣ୍ଡିରିବାଡ଼ି ଗ୍ରାମରେ ଶିବ ନାୟକଙ୍କ ପୁଅର ବାହାଘର ଥିଲା ।ଏହି ସମୟରେ ଗ୍ରାମଦେବତୀ ମନ୍ଦିରକୁ ପାଣିତୋଳା ଯାଉଥିଲେ । ମାତ୍ର ସେହି ସମୟରେ ସେହି ଗାଁର କିଛି ସବର୍ଣ୍ଣ ଲୋକମାନେ ଗଣ୍ଡଗୋଳ କରିଥିଲେ । ବିଭିନ୍ନ ପ୍ରକାର ଭାଷାରେ ଗାଳିଗୁଲଜ କରି ସେହି ରାସ୍ତା ଦେଇ ଶୋଭାଯାତ୍ରା ଯିବାକୁ ବାରଣ କରିବା ସହ ବିଭିନ୍ନ ପ୍ରକାର ଆକ୍ରମଣକାରୀ ଜିନିଷ ବ୍ୟବହାର କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଗଣ୍ଡଗୋଳରେ ଦଳିତ ପରିବାର କେତେକ ବ୍ୟକ୍ତି ଆହାତ ହୋଇ ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ସୋରଡ଼ା ଏବଂ ପରେ ବ୍ରହ୍ମପୁର ଏମ.କେ.ସି.ଜିରେ ଭର୍ତ୍ତି କରାଯାଇଥିଲା । ତେବେ ଏଭଳି ଘଟଣା ଘଟିବା ପୂର୍ବରୁ ସ୍ଥାନୀୟ ଥାନାକୁ ଆଗରୁ ଜଣାଇଥିଲେ ମଧ୍ୟ ଏହି ଦିଗରେ କୌଣସି ଦୃଢ ପଦକ୍ଷେପ ନ ନେବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରାଯାଇଛି । ହେଲେ ଇତି ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡି ତାର ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଏଥିସହିତ ଆକ୍ରମଣର ଶିକାର ହୋଇଥିବା ଦଳିତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଯାହାକୁ ବିରୋଧ କରି ମହିଳାମାନେ ବ୍ରହ୍ମପୁର ଆସି ଏକ ଲିଖିତପତ୍ର ଡ଼ିଆଇଜିଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା