ସ୍କୁଲ ଦେୟ ଓ ପରୀକ୍ଷା ଦେୟ ସମ୍ପୂର୍ଣ୍ଣ ଛାଡ କଲେ ମୂଖ୍ୟମନ୍ତ୍ରୀ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) – ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଦେୟ ଓ ପରୀକ୍ଷା ଦେୟ ସମ୍ପୂର୍ଣ୍ଣ ଛାଡ ହେବ । ସେହିଭଳି ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଦୁଇ ହଳ ସ୍କୁଲ ପୋଷାକ ଓ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ଏଥି ସହିତ ତିତ୍‍ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷତିଗ୍ରସ୍ତ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ପାଇଁ ବି ରାଜ୍ୟ ସରକାର ଆଜି କେତେକ ପ୍ୟାକେଜ ଘୋଷଣା କରିଛନ୍ତି । ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଘୋଷଣା କରାଯାଇଛି ।ଘୋଷଣା ଅନୁଯାୟୀ ୩୩ପ୍ରତିଶତ ବା ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଣଜଳସେଚିତ ଜମିପାଇଁ ହେକ୍ଟର ପିଛା ୬୮୦୦ ଓ ଜଳସେଚିତ ଜମିପାଇଁ ହେକ୍ଟରପିଛା ୧୩,୫୦୦ ଟଙ୍କା ଇନ୍‍ପୁଟ୍‍ ସବ୍‍ସିଡ୍‍ ଦିଆଯିବ । ସେହିଭଳି ସବୁଦିନିଆ ଫସଲ କ୍ଷେତ୍ରରେ ହେକ୍ଟର ପିଛା ଚାଷୀମାନେ ୧୮ହଜାର ଟଙ୍କାର ସହାୟତା ପାଇବେ ।ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ୨୦୧୮-୧୯ ରବି ଫସଲପାଇଁ ଡାଲି, ତୈଳବୀଜ ଓ ପନିପରିବା ବିହନ ଥିବା ୨ଲକ୍ଷ ମିନି କିଟ୍‍ ଯୋଗାଇ ଦିଆଯିବ । କାଜୁ, ଆମ୍ବର, ନଡିଆ, କିଆ, ରେଶମ ଆଦି ଚାଷ କ୍ଷେତ୍ରରେ ନଷ୍ଟ ହୋଇଥିବା ୨୦ହଜାର ହେକ୍ଟର ଜମିର ପୁନରୁଦ୍ଦା ହେବ ।କ୍ଷତିଗ୍ରସ୍ତ ହୋଇଥିବା ୨୦୦୦ ହେକ୍ଟର ଆଖୁ ଫସଲକୁ ସ୍ୱତନ୍ତ୍ର ସହାୟତା, ମୂଳ ଓ ଆଳୁ ଜାତୀୟ ଫସଲ ପାଇଁ ୟୁନିଟ୍‍ ପିଛା ୭୦୦୦ ଟଙ୍କା ହିସାବରେ ୨୦୦୦ ଚାଷୀଙ୍କୁ ସହାୟତା, ୫୦୦ ଛତୁ ଚାଷୀଙ୍କୁ ୟୁନିଟ୍‍ ପିଛା ୧୦ହଜାର ଟଙ୍କା ମିଳିବ । ସେହିଭଳି ୫୦ ପ୍ରତିଶତ ରିହାତିରେ ୧୦୦୦ ପମ୍ପସେଟ୍‍ ଓ ୯୦ ପ୍ରତିଶତ ରିହାତିରେ ୧୦୦୦ ସୌର ପମ୍ପସେଟ୍‍ ଦିଆଯିବ ।ଚାଷୀମାନେ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର ଓ ୫୦ ହଜାର ଚାଷୀଙ୍କୁ ଆମ୍ବର, ନଡିଆ ଚାରା ପ୍ରଦାନ କରାଯିବ ।ଗୁହାଳ ଗୁଡିକର ପୁନରୁଦ୍ଧାର ପାଇଁ ୧୦ହଜାର ଚାଷୀଙ୍କୁ ଏକ ଲକ୍ଷ ୧୩ହଜାର ଟଙ୍କା କରି ଦିଆଯିବା ସହିତ ଛେଳି ଗୁହାଳ ପୁନରୁଦ୍ଧା ପାଇଁ ଅନୁରୂପ ସଂଖ୍ୟକ ଚାଷୀଙ୍କୁ ୪୪ହଜାର ଟଙ୍କା କରି ମିଳିବ । କୁକୁଡା ପାଳନ ପାଇଁ ୨୦ହଜାର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ।ମାଛ ଚାଷରେ କ୍ଷତି ସହିଥିବା ଚାଷୀମାନଙ୍କୁ ୭୫ ପ୍ରତିଶତ ରିହାତିରେ ହେକ୍ଟର ପିଛା ୧.୧୨୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ସେହିଭଳି ଡଙ୍ଗା ପିଛା ୨୨,୫୦୦ ଓ ଜାଲ ପିଛା ୧୫ହଜାର ଟଙ୍କାର ସହାୟତା ମିଳିବ । ସାମୁଦ୍ରିକ ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗାପିଛା ୬୦ହଜାର ଓ ଜାଲପିଛା ୧୫ଟଙ୍କା କରି ଦିଆଯିବ ।ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରମାନଙ୍କୁ ନୂତନ ଯନ୍ତ୍ରପାତି ପାଇଁ ଜଣ ପିଛା ୪୧ହଜାର ଟଙ୍କା ଓ କଞ୍ଚାମାଲ ପାଇଁ ଜଣକୁ ୪୧୦୦ ଟଙ୍କା ଦିଆଯିବ । ରେଶମଚାଷୀଙ୍କୁ ହେକ୍ଟର ପିଛା ୪୮୦୦ ଟଙ୍କାର ଇନ୍‍ପୁଟ୍‍ ସବ୍‍ସିଡ୍‍ ମିଳିବ ।କ୍ଷତିଗ୍ରସ୍ତ ଅଞ୍ଚଳରେ ସରକାରଙ୍କର ସହାୟତା ବୃଦ୍ଧି ପାଇଁ ୩୦ହଜାର ଚାଷୀ ଥିବା ୨୦୦ ଉତ୍ପାଦକ ଗୋଷ୍ଠିକୁ ପ୍ରୋତ୍ସାହନ ଦିଆଯିବ । ଚାଷକାର୍ଯ୍ୟରେ ଲିପ୍ପ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଅତିରିକ୍ତ ଭାବେ ୫୦୦୦ ଟଙ୍କା କରି ସିଡ୍‍ ମନି ଦିଆଯିବ ।ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ ଓ ଅନ୍ୟ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର