ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ଅଧିକ ଚଷାକଣମଣା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅନ୍ୟ ଏକ ସ୍କୁଲରେ ମିଶ୍ରଣକୁ ବିରୋଧ କରି ଗ୍ରାମବାସୀମାନେ ଧାରଣା ଦେବା ସହ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚଷାକଣମଣା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ପର୍ଯ୍ୟନ୍ତ ୩୬ଜଣ ଛାତ୍ର ଛାତ୍ରୀ ପଡୁଛନ୍ତି । ସେମାନେ ଅନ୍ୟ ଏକ ପଂଚାୟତକୁ ଯାଇ ସେଠାରେ ଥିବା ସ୍କୁଲରେ ପଢିବାକୁ ସୁରକ୍ଷିତ ନୁହେଁ ବୋଲି ସ୍କୁଲ କମିଟି ସଭାନେତ୍ରୀ ଶାନ୍ତିଲତା ପ୍ରଧାନ କହିଛନ୍ତି । ଏପରିକି ସ୍କୁଲ ପରିଦର୍ଶନରେ ଆସିଥିବା ସିଆରସିସି କମଲ କୁମାର ବେହେରାଙ୍କୁ ତାଲା ପକାଇବା ସହିତ ଲିଖିତ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ସରପଞ୍ଚ କହିଥିଲେ । ଘଟଣା ସମ୍ପର୍କରେ ଛତ୍ରପୁର ଶିକ୍ଷାବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସିଆରସିସି କହିବା ପରେ ଗ୍ରାମବାସୀମାନେ ତାଙ୍କୁ ଛାଡିଛନ୍ତି । ସେପଟେ ଯେତେ ଦିନ ପର୍ଯ୍ୟନ୍ତ ଶିକ୍ଷା ବିଭାଗ ସ୍କୁଲର ମିଶ୍ରଣକୁ ବନ୍ଦ କରିବେ ନାହିଁ । ସେତେଦିନ ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ଏବଂ ଗ୍ରାମର କୌଣସି ପିଲା ଅନ୍ୟଗ୍ରାମକୁ ପାଠ ପଢିବାକୁ ଯିବେ ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର ବିଇଓଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା