ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ଯାଜପୁର ଜିଲ୍ଲା ଗ୍ରାମସେଵୀକା ତଥା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୩୧ତାରିଖ ଦିନ ରାଜଭବନ ଘେରାଉ କରିବ। ବିଜେପି ଏହି ନେଇ ଗତକାଲି ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା । କଂଗ୍ରେସର ରାଜଭବନ ଘେରାଉ ଏବେ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରୁଛି। କଂଗ୍ରେସ କଟକ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ସ୍ମିତାରାଣୀଙ୍କ ମୃତ୍ୟୁର ଯାଂଚ କରିବାକୁ ଘଟଣାସ୍ଥଳକୁ ଯାଇଥିଲା। ଏହି ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ହେଉଛି। ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣା ପଛର ପ୍ରକୃତ ରହସ୍ୟ ଲୋକଙ୍କ ସାମ୍ନାକୁ ଆଣିବା ନିମନ୍ତେ ଏହାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ କଂଗ୍ରେସ ଦାବି କରିଆସୁଛି। ସିବିଆଇ ତଦନ୍ତ ଦାବିରେ ଆସନ୍ତା ୩୧ତାରିଖରେ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ। ଏହାପରେ ରାଜ୍ୟପାଳଙ୍କୁ ଭେଟି ଦଳ ପକ୍ଷରୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯିବ। ଏଥିରେ ଦଳର ବହୁ ନେତା ଓ କର୍ମୀମାନେ ଯୋଗ ଦେବେ ବୋଲି ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି।