ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାବଧାରା ସାହିତ୍ୟ ସଂସଦ ଓ ଡକ୍ଟର ଅବଦୁଲ କଲାମ ଜନକଲ୍ୟାଣ ପରିଷଦ, ଖଲ୍ଲିକୋଟ ସମ୍ମିଳିତ ଆନୁକୂଲ୍ୟରେ “କାଶତଣ୍ଡୀ କବିତା ଆସର” ତଥା ସୁସାହିତ୍ୟିକା, ସୁଲେଖିକା, ସୁସଂପାଦିକା ସ୍ୱର୍ଗତ ଡକ୍ଟର ମନୋରମା ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ଗ୍ରାମ୍ୟଦେବୀ ମନ୍ଦିର ପରିସରସ୍ଥ ଗୋଷ୍ଠୀଗୃହ କେନ୍ଦ୍ର ଠାରେ ପରିଷଦ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁସାହିତ୍ୟିକା, ସୁସଂପାଦିକା ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା ସକାଶେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ରଥ ମୁଖ୍ୟଅତିଥି, ବରିଷ୍ଠ ଚିତ୍ରଶିଳ୍ପୀ ବସନ୍ତ କୁମାରୀ ସାମନ୍ତ ମୁଖ୍ୟବକ୍ତା, କବି ତଥା ଶିକ୍ଷକ ନୀଳକଣ୍ଠ ଦାଶ, ଆଷାଢ ସାହିତ୍ୟ ସଂସଦର ସଂପାଦକ ତଥା କବି ମହେଶ୍ୱର ବରାଡ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମନୋରମା ମହାପାତ୍ରଙ୍କ ଜନ୍ମଜୀବନୀ, କର୍ମମୟ ଜୀବନ, ସାହିତ୍ୟ କୃତି ସଂପର୍କରେ ଆଲୋଚନା କରିବା ସହିତ ଶାରଦୀୟ କାଶତଣ୍ଡୀ ଫୁଲର ମହତ୍ତ୍ୱ, ଶୋଭାସଂପଦ, ପ୍ରାକୃତିକ ପରିବେଶରେ କାଶଫୁଲର ପରିପ୍ରକାଶ ଆଦି ବହୁବିଧ ଦିଗ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଷଦ ସଭାପତି ଆସରର ଉଦ୍ଦେଶ୍ୟ, ପୂଜ୍ୟପୂଜା ପରଂପରା ବିଷୟରେ ମତପ୍ରକାଶ କରିଥିଲେ । ଯୁବକବି ତଥା ଭାବଧାରା ସାହିତ୍ୟ ସଂସଦର ସଂପାଦକ ଡକ୍ଟର ଦ୍ୱାରିକାନାଥ ମହାରଣାଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ କବି ଶରତ ଚନ୍ଦ୍ର ଜାଲି, ଶେଷଦେବ ବେହେରା, ମହେଶ୍ଵର ବରାଡ, ନୀଳକଣ୍ଠ ଦାଶ, ପ୍ରଭାତ କୁମାର ମିଶ୍ର, ଡକ୍ଟର ଦ୍ଵାରିକାନାଥ ମହାରଣା, ଶ୍ରୀପ୍ରସାଦ ଆଚାର୍ଯ୍ୟ, କବୟିତ୍ରୀ ବସନ୍ତ କୁମାରୀ ସାମନ୍ତ, ପ୍ରଭାତୀ କୁମାରୀ ଦାସ, କଳ୍ପଲତା ମହାପାତ୍ର, ମିତାରାଣୀ ପଟ୍ଟନାୟକ, ସରୋଜବାଳା ପଟ୍ଟନାୟକ, ମିତାଞ୍ଜଳି ମିଶ୍ର ପ୍ରମୁଖ କୋଡିଏରୁ ଊର୍ଦ୍ଧ୍ବ କବି କବୟିତ୍ରୀ ଉପସ୍ଥିତ ରହି ମନୋଲୋଭା କାଶତଣ୍ଡୀ ଫୁଲକୁ ଆଧାରିତ ସାରସ୍ୱତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦ ସଂପାଦକ ଶ୍ରୀହର୍ଷ ମହାରଣାଙ୍କ ସମେତ ସୁଶାନ୍ତ କୁମାର ଗୌଡ, ମଧୁସୂଦନ ଦାଶ ଆଦି ବହୁ କର୍ମ କର୍ତ୍ତା, ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା