

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ଶାସକ ଦଳ ବିଜେଡିକୁ ଛାଡିଦେଲେ ଅନ୍ୟାନ୍ୟ ସମସ୍ତ ରାଜନୈତିକ ଦଳର ପ୍ରଚାର ପ୍ରସାର ଗାଡି ଘନ ଘନ ବୁଲୁଥିବା ପରିଲଖିତ ହେଉଛି । ସୋମବାର ସକାଳେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ୱାଧିନ ପ୍ରାର୍ଥୀ ଚକ୍ରଧର ସାହୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିଲେ । ମିଳିଥିବା ଚିହ୍ନକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ସେହିପରି ଅସନ୍ତୁଷ୍ଟ ବିଜେପି ନେତା ତଥା ଦିଗପହଣ୍ଡି ବିଧାନସଭା ଆସନର ସ୍ୱାଧିନ ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ମଧ୍ୟ ସକାଳେ ଜକର, କରପଡା, କଇଠଡା, ଓଡାସିଙ୍ଗି, କଲ୍ୟାଣପୁର ଏଦି ବିଭିନ୍ନ ଗାଁ ବୁଲି ନିର୍ବାଚନୀ ଅସ୍ତହାର ନେଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ମଧ୍ୟ ଘମାଘୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପୂର୍ବାହ୍ନରେ ଖମ୍ବାରୀ ଗାଁ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ନିର୍ବାଚନୀ ମୁର୍ଦ୍ଦା ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ । ଜାତୀୟ କଂଗ୍ରେସ ଦଳରୁ ଦିଗପହଣ୍ଡି ଅଞ୍ଚଳର ଜଣେ ଜଣାଶୁଣା ନେତା ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ଗାଁ ଗାଁରେ ତାଙ୍କୁ ସଆଦରେ ଗ୍ରହଣ କରି ପାଛୋଟି ନିଆଯାଉଥିବା ଦେଖିବାକୁ ମିଳିଥିଲା । ଦୀର୍ଘବର୍ଷ ଧରି ବିଭିନ୍ନ ଗାଁରେ ଲାଗି ରହିଥିବା ସମସ୍ୟା ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକମାନଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର କରୁଥିବା ବେଳେ ଅଦ୍ୟାବିଧି ଶାସକ ଦଳ ବିଜେଡିର ସେଭଳି ପ୍ରଚାର ଜମୁନଥୁବା ନେଇ ସାଧାରଣରେ ସମାଲୋଚନା ଜୋର୍ ଧରିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
