ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଖା ଦେଇଛି ଦୁର୍ନିତୀର ଗନ୍ଧ । ସ୍ୱାମୀଙ୍କ ନାମରେ ୨ ମହଲା ପକ୍କାଘର ଥିବାବେଳେ ସ୍ତ୍ରୀଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବସ ଯୋଜନା । ପ୍ରଥମ ପର୍ଯ୍ୟୟରେ ତାଙ୍କୁ ୨୦ହଜାର ଟଙ୍କା ଦିଆଯାଇଥିବାରୁ ପଞ୍ଚାୟତର କେତେକ ବ୍ୟକ୍ତି ପ୍ରଥମେ ବିଡିଓ ଓ ପରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଘଟଣାରୁ ପ୍ରକାଶ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଦିଆମାଝିସାହି ପଞ୍ଚାୟତର ବେହେରା ସାହି ଗ୍ରାମର ରାମହରି ବେହେରାଙ୍କ ପୁଅ ନିଜନାମରେ ଥିବା ଖାତା ନଂ ୪୧୫/୧୬୭ ଓ ପ୍ଲଟ ନଂ ୧୪୪୪/୨୦୧୯ ସ୍ଥାନରେ ଏକ କଂକ୍ରିଟ ସହ ୨ମହଲା ପକ୍କାଘର ରହିଛି । ସେଠାରେ ପରିବାରବର୍ଗ ରହି ଆସୁଥିବା ବେଳେ ତାଙ୍କ ସ୍ତ୍ରୀ କାମିନୀ ବେହେରା ୨୦୧୯-୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କାଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏ ସଂପର୍କରେ ଗ୍ରାମର କେତେକ ବ୍ୟକ୍ତି ପ୍ରିୟଙ୍କା ବେହେରା, ଅଜୟ କୁମାର ବେହେରା, ବିଜୟ ପରିଡା, ପ୍ରତାପ ଚନ୍ଦ୍ର ଘୋଷ, ଶିବ କୁମାର ଘୋଷ, ତପନ ଘୋଷ ଓ ହରିଶ ବେହେରା ପ୍ରମୁଖ ପ୍ରଥମେ ଜଳେଶ୍ୱର ବିଡିଓଙ୍କୁ ଗତ ୨୬-୮-୧୯ରେ ଜଣାଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେମାନେ ବାଲେଶ୍ୱର ଜିଲାପାଳଙ୍କୁ ଗତ ୧୦-୧୦-୧୯ରେ ଜଣାଇବାରୁ ସେ ପିଡିଡିଆର୍ଡିଏଙ୍କୁ ତଦନ୍ତଭାର ଅର୍ପଣ କରିଛନ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ ବିଭିନ୍ନ ଗାଁରେ ଏପରି ବେଆଇନ୍ ଭାବେ କେତେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଗତ କରାଯାଇଥିବା ଶୁଣିବାକୁ ମିଳୁଛି । ଏ ଘଟଣା ସମଗ୍ର ଜଳେଶ୍ୱରରେ ଆଲୋଚ୍ୟର ବିଷୟ ହୋଇଛି । ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ସତ୍ୟଶୋଭନ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଉକ୍ତ ସ୍ଥାନରେ ତାଙ୍କ ବାପାଙ୍କ ସମୟରେ ଏକ ଇନ୍ଦିରା ଆବାସ ଦିଆଯାଇଥିବାରୁ ସେ ଘରଟି ବଡପୁଅ ବ୍ୟବହାର କରୁଛନ୍ତି । ଏବେ ସାନପୁଅର ସ୍ତ୍ରୀଙ୍କ ନାମରେ ଅନ୍ୟ ଏକ ଆବାସ ଗୃହ ପ୍ରଦାନ କରାଯାଇଛି ।
ରିପୋର୍ଟ : ଭୁପିତ କୁମାର ପରିଡା