ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ବିଧାନରେ ସ୍ୱାସ୍ଥ୍ୟ ଏକ ମୌଳିକ ଅଧିକାର ହୋଇଥିବା ବେଳେ ଜଳେଶ୍ୱର ବାସୀ ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମୀର ଅଭାବ ଯୋଗୁଁ ଅବହେଳିତ ହୋଇ ଆସୁଛନ୍ତି । କ୍ରମାଗତଭାବେ ଏହି ଅବହେଳାକୁ ବରାଦାସ୍ତ କରାଯିବନାହିଁ, ଏବଂ ଆବଶ୍ୟକ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ହେବ ବୋଲି କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଏକ ପ୍ରେସ୍ ବିବୃତିରେ ଏଠାରେ ପ୍ରକାଶ କରିଛନ୍ତି । ଜଳେଶ୍ୱର ବ୍ଳକର ପ୍ରାୟ ୨ଲକ୍ଷ୬୦ହଜାର ବ୍ୟକ୍ତି ବିଶେଷଙ୍କ ପାଇଁ ଜଳେଶ୍ୱରଠାରେ ଜିକେଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଭଟ୍ଟର ଡାକ୍ତରଖାନାରେ ଦୀର୍ଘବର୍ଷ ଧରି ପ୍ରସୂତୀ, ଭେଷଜ, ଅସ୍ତ, ଶଲ୍ୟ, ନିସ୍ତେଜକ ଇତ୍ୟାଦି ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ନାହାନ୍ତି । ଜଳେଶ୍ୱର ସହର ପାଖ ଦେଇ ୬୦ନଂ ଜାତୀୟ ରାଜପଥ ଓ ୫୭ ରାଜ୍ୟ ରାଜପଥ ରହିଥିବାରୁ ତଥା ଏହି ବିଭାଗର ବହୁ ରୋଗୀ ଆସୁଥିବାରୁ ଜଣେ ହାଡଭଂଗା ଡାକ୍ତର ନିଯୁକ୍ତି ଓ ଟ୍ରମା କେୟାର ସେଣ୍ଟର ଲାଗି ଦାବୀ ହୋଇ ଆସୁଛି । ୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭାଗୀୟ ଡାକ୍ତର ନଥିବା ବେଳେ କାଁ-ଭାଁ ଛାଡିଦେଲେ ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡିଛି । ଏବେ ୧୦ଜଣ ଡାକ୍ତର ନିଯୁକ୍ତି ପାଇବା ଜାଣି ଲୋକେ ଖୋସି ହୋଇଛନ୍ତି । ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇନଥିବା ବେଳେ ଏହି ନୂଆ ୧୦ଜଣ ଡାକ୍ତର କେତେଦୀନ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଉପାନ୍ତରେ ଏକ ଗୋଷ୍ଠୀ ଡାକ୍ତରଖାନା ପ୍ରତିଷ୍ଠା ଲାଗି ପ୍ରସ୍ତାବ ଥିଲା । ଆବଶ୍ୟକ ସ୍ଥାନ ଜିଲାକର୍ତ୍ତୃପକ୍ଷ ଦେଖିଥିଲେ କିନ୍ତୁ ଏହା ଏବେ ବାଲେଶ୍ୱରରେ ପ୍ରତିଷ୍ଠା ହେବବୋଲି ପ୍ରତିଷ୍ଠା ହେବ ବୋଲି ଜଳେଶ୍ୱରରେ ନୈରାଶ୍ୟ ପ୍ରକାଶ ପାଇଛି । ସେପରି ଏକ ମହାମାରୀ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବୀ କରାଯାଇଛି । ତେଣୁ ସ୍ଥାୟୀ ଡାକ୍ତର ନିଯୁକ୍ତି, ଭିତ୍ତିଭୂମୀ ସଜାଡିବା, ହୁ ଦ୍ୱାରା ପ୍ରସ୍ତାବିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନ କରିବା, ସବୁ ଡାକ୍ତରଖାନାରେ ଡାକ୍ତର ରହିବା ଇତ୍ୟାଦି ଦାବୀ ପୂରଣ ନ ହେଲେ ଆସନ୍ତା ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଓ କଂଗ୍ରେସ ନେତାମାନେ ସୂଚାଇଛନ୍ତି ।