

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଦାବି ଉଠାଇଛି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ । ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଥିବା ବିଶ୍ୱନାଥ ପଣ୍ଡିତ ଭବନ ପରିସରରେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ମିଳନୀରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉକିଟ ହୋଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଓ ଚାଷୀ ବିରୋଧୀ ବିଲ ଆଗତ କରିଥିବାରୁ ଉଦବେଗ ପ୍ରକାଶ କରିବା ସହ ଏହା ବିରୋଧରେ ସମସ୍ତ ଶ୍ରମିକ, କର୍ମଚାରୀ ଓ ଚାଷୀମାନେ ସଂଗଠିତ ଆନ୍ଦୋଳନ କରିବାକୁ ରାଜ୍ୟ ସଭାପତି ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ । ସମ୍ମିଳନୀରେ ମୁଖ୍ୟତଃ ଡ଼ାକ୍ତରଙ୍କ ଭଳି ମେଡିକାଲ କର୍ମଚାରୀଙ୍କ ଅବସର ବୟସ ୬୫କୁ ବୃଦ୍ଧି କରିବା, ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା, କର୍ମଚାରୀମାନଙ୍କୁ ବାସଗୃହ ଯୋଗାଇବା ସହିତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସ୍ୱାସ୍ଥ୍ୟବୀମା କରିବା ଇତ୍ୟାଦି ଉପରେ ଦାବି ଆଗତ କରାଯାଇଥିଲା । ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ଉପସଭାପତି ଶାକିର ଖାନ, ଉପ ସମ୍ପାଦକ ଶିବ ପ୍ରସାଦ ମହାନ୍ତି, ରାଜ୍ୟ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ରାଉତ, ଅନ୍ୟତମ ଉପସଭାପତି ସୁକାନ୍ତ ମୁଖୀ, ଉପଦେଷ୍ଟା ଲାଲୁ ମୋହନ ବେହେରା, ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ଜି.ନରସିଂହ ରାଓ, ମେଡିକାଲ କଲେଜ ଶାଖାର ସମ୍ପାଦକ ରାଜୁ ଚିନ୍ନା, ରବି ନାରାୟଣ ବେହେରା, ରେଣୁପି୍ରୟା ପାଢ଼ୀ, ବିପିନ ବିହାରୀ ନାୟକ, ଟୁନା ଜେନା, ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ସଂଘ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ସହ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ଉପଦେଷ୍ଟା ରବି ରଥ ଜଣାଇଛନ୍ତି ।