ହକ୍ ମାଗୁଛି ଜଳେଶ୍ୱର କଂଗ୍ରେସ : ପ୍ରାର୍ଥୀତ୍ୱରେ ପୁନଃ ପରିବର୍ତ୍ତନ ଲାଗି ବିଶାଳ କର୍ମୀ ସମ୍ମିଳନୀ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କୁ ହାଇକମାଣ୍ଡ ପ୍ରାର୍ଥୀରୂପେ ମନୋନୀତ କରିଥିବା ବେଳେ ତାର ପ୍ରତିବାଦରେ ଗତକାଲି ଅପରାହ୍ନରେ ରାଜପୁର ପଂଚାୟତର ବାଘାବାଳୀ ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସମ୍ମିଳନୀରେ ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତପନ ଦାସ ଯୋଗ ଦେଇ ଦଳୀୟ ଟିକଟ ଜଳେଶ୍ୱର ଅଂଚଳର କର୍ମୀମାନଙ୍କ ମଧ୍ୟରୁ କାହାକୁ ନଦେଇ ଅନ୍ୟ ଅଂଚଳର ବ୍ୟକ୍ତିଙ୍କୁ ଟିକଟ ପ୍ରଦାନ କରାଯଇଥିବା ଯୋଗୁଁ ସେ କଂଗ୍ରେସ କର୍ମୀ ମାନଙ୍କର ସଂପୂର୍ଣ୍ଣ ବିଶ୍ୱାସ ହରାଇ ବସିଛନ୍ତି ବୋଲି ପ୍ରକାଶ କରିଥିଲେ । ପିସିସି ସଭାପତି ତଥା ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯଦି ଜଳେଶ୍ୱର ବିଧାନ ସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ନ ବଦଳାନ୍ତି ତେବେ ବାଧ୍ୟହୋଇ କର୍ମୀମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ ଚେତାବନୀ ଦେଇଥିଲେ । ଜିଲା କଂଗ୍ରେସ କମିଟିର ସଂପାଦକ ତଥା ରାଜପୁର ସମିତି ସଭ୍ୟ ମଧୁସୂଦନ ଦାସ ଉକ୍ତ ସମ୍ମିଳନୀରେ ଯୋଗ ଦେଇ ଗତ ୬ମାସ ପୂର୍ବେ କଂଗ୍ରେସରେ ନୂତନ ଯୋଗ ଦେଇଥିବା ସୁଦର୍ସନ ଦାସ ଜଳେଶ୍ୱରର କୌଣସି ପୁରୁଖା କଂଗ୍ରେସ କର୍ମୀ ମାନଙ୍କ ସହିତ ସଂପର୍କ ନ ରଖିବା ଓ ସେମାନଙ୍କୁ କୋଣଠେସା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପ୍ରକାଶ କରିଥିଲେ । ଅତୀତରେ କଂଗ୍ରେସକୁ ବିରୋଧ କରୁଥିବା ଏବଂ ଯଥେଷ୍ଟ କ୍ଷତି ପହଞ୍ଚାଇଥିବା ବ୍ୟକ୍ତିଙ୍କୁ କିପରି ଟିକଟ ଦିଆଗଲା ତାହା ସନ୍ଦେହ ମଧ୍ୟ ରହିଥିବା କହିଥିଲେ । ଏହି ସଭାରେ ଜିଲା ସଂଖ୍ୟାଲଘୁ ସେଲ୍ର ସଭାପତି ଆକବର ଅଲ୍ଲି, ସେକ୍ ମଜାର ମୁସ୍ତାଫା, ଟାଉନ୍ ସଭାପତି ରିଆଜ୍ ଖାଁ, ସେକ୍ ତଇରୁଦ୍ଦିନ, ପୂର୍ବତନ ସବିତି ସଦସ୍ୟ ହରିଶ୍ଚନ୍ଦ୍ର ଭୂୟାଁ, ସୁଶାନ୍ତ ପ୍ରଧାନ, ଅଶ୍ୱିନୀ ଦାସଅଧିକାରୀ, ଝୁନା ଜେନା, ହରିଜନ ସେଲ୍ର ଜିଲା ସଭାପତି ଗତିକୃଷ୍ଣ ଦଳେଇ, ତାପସ ଦାସ, ଅତୁଲ ଦାସ ପ୍ରମୁକ ବକ୍ତବ୍ୟ ରଖିଥିବା ବେଳେ ନୟନ ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା