ହାଓଡା-ଯଶୋବନ୍ତପୁର ଦୁରୋନ୍ତ ଏକ୍ସପ୍ରେସ ଅଳ୍ପକେ ବର୍ତ୍ତିଲା : ୨ ଅଧିକାରୀ ନିଲମ୍ବିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣପୂର୍ବ ରେଳ ପଥର ଖଡଗପୁର ଡିଭିଜନ ଅନ୍ତର୍ଗତ ରୂପସା ଜଙ୍ଗସନଠାରେ ଆଜି ଅପରାହ୍ନରେ ହାୱାଡ-ଯଶୋବନ୍ତପୁର ଦୂରୋନ୍ତ ଏକ୍ସପ୍ରେସ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯିବା ଫଳରେ ଶହ ଶହ ଯାତ୍ରୀ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାଇ ଆଜି ଅପରାହ୍ନ ୨ଟା୨ମିଟି ସମୟରେ ହାୱାଡରୁ ଯଶୋବନ୍ତପୁର ଯାଉଥିବା ଦୁରନ୍ତ ଏକ୍ସପ୍ରେସ୍ ରୂପ୍ସା ଷ୍ଟେସନରେ ୪ନଂ ଲାଇନରେ ଅତିକ୍ରମ କରୁଥିବା ସମୟରେ ହଠାତ୍ ରେଳ ଧାରଣା ଉପରେ ପଡିଥିବା କଂକ୍ରିଟ୍ ସ୍ଲିପର ଉପରେ ଚଢିଯିବା ଫଳରେ ଇଞ୍ଜିନର କେଟେଲଗାଡ୍ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା । ଫଳରେ ଟ୍ରେନଟି ଆଗକୁ ଯାଇନପାରି ଦୀର୍ଘ ୩ଘଣ୍ଟାଧରି ସେଠାରେ ଅଟକି ରହିଥିଲା । ପରେ ଏକ ଇଞ୍ଜିନ ସେଠରେ ପହଞ୍ଚି ବଦଳ କରିବା ପରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା । ରେଳ ଧାରଣାରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ସ୍ଲିପର ନେଇ ଯାଉଥିବା ୨ଜଣ ଶ୍ରମିକ ଟ୍ରେନ୍ଟିକୁ ଦୂରରୁ ଦେଖିପାରି ରେଳଧାରଣା ଉପରେ ଉକ୍ତ ସ୍ଲିପରକୁ ଛାଡି ପଳାଇଥିଲେ । ଫଳରେ ଏହି ଅଘଟଣା ଘଟିଥିବା ହେତୁ ସିନିୟର ସେକ୍ସନ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟର କାର୍ଯ୍ୟରେ ଅବହେଳା ପାଇଁ ନିଳମ୍ବିତ କରାଯାଇଛି ବୋଲି ରେଳବାଇ ସୂତ୍ରରୁ ପ୍ରକାଶ ।

ରିପୋର୍ଟ : ଭୂପତି କୁମାର ପରିଡା