ହିଞ୍ଜିଳି ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ:୫ ଆଶାୟୀଙ୍କ ମଧ୍ୟରେ କିରଣ ପଟ୍ଟନାୟକ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ମୁଖ୍ୟମନ୍ତ୍ରୀ ନିବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଆଗାମୀ ପୌର ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ପୁଣି ସରଗରମ ହୋଇ ଉଠିଛି । କେବଳ ବିଜେଡି ଦଳରେ ଆଶାୟୀ ମାନଙ୍କ ମଧ୍ୟରେ ଜୋର ସୋର ଲବି ଆରମ୍ଭ ହୋଇ ଯାଇଥିବା ବେଳେ କିଏ ପ୍ରାର୍ଥୀ ହେବ ସେ ନେଇ ଛକା ପଞ୍ଜା ଲାଗି ଯାଇଛି । ଫଳରେ ପୁଣି ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ବିଜେପି ଓ କଂଗ୍ରେସ ପାଇଁ ପ୍ରାୟତଃ ପ୍ରାର୍ଥୀ ମିଳୁ ନ ଥିବା ବେଳେ ବିଜେଡିରୁ ହିଞ୍ଜିଳି ମହାନଗର ନିଗମର ଅଧ୍ୟକ୍ଷ ପଦବୀ ପାଇଁ ଏକାଧିକ ଆଶାୟୀ ନିଜ ନିଜ ପତିଆରା ବିସ୍ଥାର କରିବାରେ ଏବେଠୁଁ ଲାଗି ପଡିଥିବା ଯୋଗୁଁ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ପୂର୍ବତନ କାଉନସିଲର ଯୁବନେତା କିରଣ କୁମାର ପଟ୍ଟନାୟକ ଏଥର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ସେ ବିଜେଡିରୁ ପ୍ରାର୍ଥୀ ହୋଇ ଅଧ୍ୟକ୍ଷ ପଦ ପାଇଁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲରେ ତାଙ୍କର ପ୍ରଭାବ ରହିଥିବା ଯୋଗୁଁ ସେ ନିଶ୍ଚିତ ମନୋନୀତ ହେବେ ବୋଲି କୁହାଯାଉଛି । ସେ ହିଞ୍ଜିଳି ଆଙ୍କୋରଡାର ବାସିନ୍ଦା ହୋଇଥିବା ବେଳେ ୧୯୯୭ ମସିହାରୁ ବିଜେଡିରେ ରହି ନବୀନ ବାବୁଙ୍କ ପାଇଁ କାର୍ଯ୍ୟ କରି ଆସିଛନ୍ତି । ସେ ଜଣେ ସାମାଜିକ ବ୍ୟକ୍ତି ହିସାବରେ ଜିଲ୍ଲାରେ ବେଶ ସୁପରିଚିତ ଥିବାରୁ ସେ ପ୍ରାର୍ଥୀ ହେଲେ ବହୁ ଗରିବ ପରିବାର ଉପକୃତ ହେବେ ବୋଲି କୁହାଯାଇଛି । କିରଣଙ୍କ ବୟସ ମାତ୍ର ୩୯ ବର୍ଷ, ଏ ଭିତରେ ସେ ୧୧୪ ଥର ରକ୍ତ ଦାନ କରି ଜିଲ୍ଲାରେ ପ୍ରଶଂସନୀୟ ହୋଇଛନ୍ତି । ପିଲା ଦିନରୁ ରକ୍ତଦାନ ଭଳି ମହତ ଦାନ ସହ ଗରିବ ଲୋକମାନଙ୍କୁ ଆର୍ଥିକ ସହାୟତା, ଶୀତ ଦିନରେ କମଳ ବଣ୍ଟନ, ଖାଦ୍ୟ ବିତରଣ ଭଳି କାର୍ଯ୍ୟ କରିଛନ୍ତି । ସେ କାଉନସିଲର ଥିବାବେଳେ ବହୁ ଗରିବ ଅସହାୟଙ୍କୁ ସରକାରୀ ସୁବିଧା ଯୋଗାଇ ଦେଇଥିଲେ । ସେ ଯୁବନେତା ତଥା ସମାଜସେବୀ ହିସାବରେ ବେଶ ପରିଚିତ ଥିବାରୁ ବହୁ ଲୋକଙ୍କ ଆଶା ଓ ଆସ୍ଥା ତାଙ୍କ ଉପରେ ରହିଛି । ତେଣୁ ଅଧ୍ୟକ୍ଷ ପ୍ରାଥୀ କରାଗଲେ ସେ ନିଶ୍ଚୟ ବିଜୟ ହେବେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ହିଞ୍ଜିଳିର ଯୁବନେତା ପବିତ୍ର ମୋହନ ପାଣିଗ୍ରାହୀ ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ଥିବା କୁହାଯାଉଛି । ପବିତ୍ରଙ୍କ ସହଧର୍ମଣି ଗତ ନିର୍ବାଚନରେ ବିଜୟୀ ହୋଇ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରି ଆସୁଥିଲେ । ପବିତ୍ରଙ୍କ ପତିଆରା ବେଶ ଭଲ ରହିଛି । ବିଜେଡି ତାଙ୍କୁ ଯଦି ପ୍ରାର୍ଥୀ କରେ ସେ ବହୁତ ଭୋଟରେ ବିଜୟୀ ହେବେ ବୋଲି କୁହାଯାଉଛି । ଯଦିଓ ହିଞ୍ଜିଳି ପୌରାଧ୍ୟକ୍ଷ ପଦବୀ ସଂରକ୍ଷଣ ହୁଏ ପଛୁଆ ବର୍ଗ ପ୍ରାର୍ଥୀ ରୂପେ ପୂର୍ବତନ ଅଧ୍ୟକ୍ଷ ଶିବରାମ ଗୌଡ଼ ପୁଣି ଅଧ୍ୟକ୍ଷ ହେବା ପାଇଁ ଆଶାୟୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ପୁଣି ସଞ୍ଜୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନଗର ପ୍ରତିନିଧି ହୋଇଥିବାରୁ ସେ ମଧ୍ୟ ଅଧ୍ୟକ୍ଷ ପଦବୀ ପାଇଁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେ ଗତ ନିର୍ବାଚନ ବେଳେ ଆକ୍ରାନ୍ତ ପରିଶ୍ରମ କରି ବିଜେଡି ପାଇଁ ଭୋଟ ସଂଗ୍ରହ କରିଥିଲେ ବୋଲି ଯୁବ ପିଢ଼ି ମଧ୍ୟରେ ଚର୍ଚ୍ଚା ହୋଉଛି । ତେଣୁ ସଞ୍ଜୟଙ୍କ ପ୍ରାର୍ଥୀତ୍ୱକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ । ବର୍ତ୍ତମାନ ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ହୋଇଥିବା ନୀଳମଣି ପଟ୍ଟନାୟକ ମଧ୍ୟ ଗତ ନିର୍ବାଚନ ବେଳେ ହିଞ୍ଜିଳି ପୌରାଧ୍ୟକ୍ଷ ଆଶା ନେଇ କାର୍ଯ୍ୟ କରିଥିଲେ ତେଣୁ ସେ ମଧ୍ୟ ପ୍ରାର୍ଥୀତ୍ୱ ପାଇଁ ଦରଖାସ୍ତ କରିପାରନ୍ତି । ଏଭଳି ୫ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ଆଶାୟୀ ଥିବା ଓ ବିଜେଡି ପାଇଁ କାର୍ଯ୍ୟ କରୁଥିବା ଯୁବ ଚେହେରା ମଧ୍ୟରୁ କାହାକୁ ବିଜେଡି ସୁପ୍ରିମୋ ଚୟନ କରିବେ ସେ ନେଇ ଏବେଠୁଁ ଚର୍ଚ୍ଚା ଜୋର ଧରିଛି । ଏଥର ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ପଦ ପ୍ରତକ୍ଷ ନିର୍ବାଚନ ହେଉଥିବାରୁ ଏହି ୫ ଜଣଙ୍କ ବ୍ୟତୀତ ଆହୁରି ଯୁବ ଚେହେରା ଆଶାୟୀ ଥିବା ଖବର ମିଳିଛି । ତେବେ ଉପଯୁକ୍ତ ପ୍ରାର୍ଥୀ ଯେଉଁମାନେ ସାଧାରଣ ଜନତାଙ୍କ ସେବା କରିବେ ସେଭଳି ବ୍ୟକ୍ତି ବିଶେଷକୁ ଚୟନ କରିବାକୁ ସାଧାରଣରେ ଦାବୀ ହେଉଛି । ଏବେଠୁଁ ବିଜେଡି ଏହି ଆଶାୟୀ ପ୍ରାର୍ଥୀମାନେ ଲୋକ ସେବାରେ ଲାଗି ରହିବାକୁ ମଧ୍ୟ ବିଜେଡି ମୁଖିଆଙ୍କ ନିର୍ଦ୍ଦେଶ, ଆଦେଶ, ପରାମର୍ଶ ରହିବା 0ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା