ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ମତଦାତା ନିଜ ନିଜ ଭୋଟ ଦେବା ପାଇଁ ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡା ହୋଇ ନିଜର ମତଦାନ କରିଛନ୍ତି । ହିଞ୍ଜିଳି ବିଧାନସଭା ଆସନରେ ନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଯାହାର ଫଳ ଆସନ୍ତା ମେଇ ୨୩ରେ ଜଣାପଡିବ ।ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଭୋଟର ମତଦାତା ଚଳିତ ବିଧାନସଭା ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଥିବା ୮ ଜଣ ପ୍ରାର୍ଥୀ ସବୁ ନୂଆ ମୁହଁ ବିଜେପିରୁ ବରିଷ୍ଠ ଆଇନଜୀବୀ ତଥା ବିଜେପିର ମୁଖପାତ୍ର ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ, କଂଗ୍ରେସରୁ ଶମ୍ଭୁ ପାଣିଗ୍ରାହୀ, ଏସୟୁ ସିଆଇ(ସି)ର ଡି. ତିରୁପତି ଦୋରା, ବହୁଜନ ସମାଜପାର୍ଟିର ଭାସ୍କର ଚୌଧୁରୀ, ଆମ୍ବେଦକର ଜାତୀୟ କଂଗ୍ରେସର ରଞ୍ଜନ କୁମାର ଆପଟ, ସ୍ୱାଧୀନ ପ୍ରାର୍ଥୀ ବାବୁଲା ସାହୁ, ସୁକାନ୍ତ କୁମାର ପଣ୍ଡା ଓ ସ୍ୱାଧୀନ ପ୍ରାର୍ଥୀନି ସି. ଲକ୍ଷ୍ମୀ ଆଚାରି ପ୍ରମୁଖ ବିଜେଡି ସୁପ୍ରିମୋଙ୍କ ବିପକ୍ଷରେ ଲଢେଇ ଜାରି ରଖିଛନ୍ତି । ସେପଟେ ତ୍ରିମୁଖୀ ଲୋକସଭା ପ୍ରାର୍ଥୀ ବିଜେଡିରୁ ପ୍ରମିଳା ବିଷୋୟୀ, ବିଜେପିରୁ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, କଂଗ୍ରେସ ସମର୍ଥିତ ସିପିଆଇରୁ ରାମକୃଷ୍ଣ ପଣ୍ଡା ପ୍ରମୁଖ ମଇଦାନରେ ଲଢ଼ୁଛନ୍ତି । ଏନେଇ ହିଞ୍ଜିଳିକାଟୁ ବ୍ଲକ ୨୧ ପଞ୍ଚାୟତ, ଶେରଗଡ଼ ବ୍ଲକର ୨୨ଟି ପଞ୍ଚାୟତ ଓ ହିଞ୍ଜିଳି ମୁନିସିପାଲଟିର ୨୧ ୱାର୍ଡରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଲୋକସଭା ଓ ବିଧାନସଭାରୁ ଭୋଟ ଗ୍ରହଣ ସରିଯାଇଛି । ନିର୍ବାଚନ ଶାନ୍ତି ଶୃଙ୍ଖଳା ନିମନ୍ତେ ବହୁ ପୋଲିସ ଫୋର୍ସ ସହ ପୋଲିସ ଅଧିକାରୀ ନିୟୋଜିତ ରହିଥିଲେ । ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର ୧୮୨ ବୁଥରେ ଧସେଇ ପଶି ଇଲେକଟ୍ରିନିକ ୟୁନିଟକୁ ଭାଙ୍ଗିବା ଅଭିଯୋଗରେ ସୋରଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇଥିବା ସୂଚନା ମିଳିଥିଲା । ଏହି ବୁଥରେ ମୋଟା ୫୩୯ ଜଣ ଭୋଟରଙ୍କ ମଧ୍ୟରୁ ୪୧୪ ଜଣ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରିସାରିଥିଲେ । ହଠାତ ବିଜେପି ପ୍ରାର୍ଥୀ ସେଠାରେ ପହଞ୍ଚି ଅନ୍ୟାୟ ସହିବି ନାହିଁ କହି ସେଠାରେ ନିୟୋଜିତ ଥିବା ନିର୍ବାଚନ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଇଲେକ୍ଟ୍ରୋନିକ ୟୁନିଟକୁ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବୁଥରେ ପ୍ରିଜାଇଡ଼ିଂ ଅଫିସର ସୋରଡ଼ା ଥାନାରେ ଲିଖିତ ଅଭିଯୋଗ ଦାଏର କରିବା ପରେ ସୋରଡ଼ା ଥାନା ପୋଲିସ ନୀଳମଣି ବିଷୋୟୀଙ୍କୁ ଗିରଫ କରିଥିବା ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ନୀଳମଣୀ ବିଷୋୟୀ । ବରଂ ବିଜେଡିର କିଛି କର୍ମୀ ସେହି ବୁଥରେ ରେଗିଙ୍ଗ କରୁଥିବା ଖବର ପାଇ ସେ ସେଠାରେ ପହଞ୍ଚି ଥିଲେ ଓ ତାହାର ପ୍ରତିବାଦ କରି ସେଠାରେ ପୁନଃ ମତ ଗ୍ରହଣ ପାଇଁ ଦାବି କରିଥିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା