ହିଞ୍ଜିଳିକାଟୁରେ ପ୍ରଥମ ଥର ପାଇଁ ଚକ୍ଷୁ ଚିକିତ୍ସା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଓଡ଼ିଶାର ଏକ ବୃହତ ଏବଂ ଅତ୍ୟାଧୁନିକ କ୍ଷମତା ସଂପନ୍ନ ଚକ୍ଷୁ ଚିକିତ୍ସାନୁଷ୍ଠାନ ମାନଙ୍କ ମଧ୍ୟରେ ଅଗ୍ରଣୀ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ରାଜ୍ୟ ସ୍ତରରେ ପ୍ରଥମ ଥର ପାଇଁ ଚକ୍ଷୁ ଚିକିତ୍ସା ସଂପର୍କରେ ଏକ ସଂଭ୍ରାନ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହା ହିଞ୍ଜିଲିକାଟୁ ଅନ୍ତର୍ଗତରେ ଥିବା ସମର ଝଲ ଗାଁ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିନିଧିତ୍ୱ କରୁଥିବା ଶ୍ରେଷ୍ଠ ଚକ୍ଷୁ ଚିକିତ୍ସକ ଏବଂ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଲୋଚନା କରିବା ସହ ପ୍ରଥମଥର ପାଇଁ ଚକ୍ଷୁ ଅସ୍ତ୍ରୋପଚାରର ସିଧା ପ୍ରସାରଣ କରାଯାଇଥିଲା । ଏହି ଆଲୋଚନାଚକ୍ରକୁ ହିଞ୍ଜିଳି ବ୍ଲକ୍ ସଭାପତି ଏନ.ରଘୁନାଥ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରିଚାଳନା ମୁଖ୍ୟ ଅରବିନ୍ଦ ମହାନ୍ତି ଉଦଘାଟନ କରିଥିଲେ । ଚକ୍ଷୁ ଚିକିତ୍ସାକ ଡ଼ା.ପ୍ରଦୀପ ମହାନ୍ତି, ଡ଼ା.ସୁଭୀରା ଜୈନ୍, ଡ଼ା.ମନୋଜ ଖତ୍ରୀ, ଡ଼.ସି.ଭି ଗୋପାଳ ରାଜୁ, ଡ଼ା.ସୁନୀଲ୍ ଅଙ୍ଗରାଜ, ଡ଼ା.ମହମ୍ମଦ ସୟଦ, ଡ଼ା.ଅନୁରାଗ ମିଶ୍ର, ଡ଼ା.ପ୍ରବୀଣ ସୁବୁଦ୍ଧି ପ୍ରମୁଖଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୨୦ ଜଣ ଚକ୍ଷୁ ଚିକିତ୍ସକ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାୟ ୧୬ ଜଣ ଚକ୍ଷୁରୋଗୀଙ୍କ ମାଗଣା ଅସ୍ତ୍ରୋପଚାର କରାଯାଇଥିଲା । ଚିକିତ୍ସାଳୟର ଅସ୍ତ୍ରୋପଚାର ପ୍ରମୁଖ ଡ଼ା.ସୁଦୀପ ଦାସ ସମସ୍ତ ଅସ୍ତ୍ରୋପଚାର କରିଥିବା ବେଳେ ଆଇନ ପରାମର୍ଶଦାତା ବି.ଶ୍ରୀନିବାସ ଏବଂ ଚିକିତ୍ସାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା