

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋସାଇଁନୂଆଗାଁ କେ.ସି ହାଇସ୍କୁଲ ପଡିଆରେ ୧୦ ଦିନ ଧରି ଚାଲିଥିବା ମହାନଗର ମହୋତ୍ସବର ଗତକାଲି ଶେଷ ଦିବସ ଥିଲା । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମର କଳା ସଂସ୍କୃତିକୁ ପ୍ରଶଂସା କରିଥିଲେ ଓ ଗଞ୍ଜାମରୁ ଲକ୍ଷ ଲକ୍ଷ ଯୁବକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବିଷୟକୁ ନେଇ ସମାଲୋଚନା କରିଥିଲେ । ସେ କହିଥିଲେ ଜିଲ୍ଲାବାସୀ ବେଶ ପରିଶ୍ରମୀ ହୋଇଥିବା ବେଳେ ଏଠାକାର ଯୁବକଙ୍କ ନିକଟରେ କୌଶଳ ରହିଛି ହେଲେ ସୁବିଧା ସୁଯୋଗ ଅଭାବରୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।

ଏହାସହ ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲଫର ମୁଖ୍ୟପାତ୍ର ସତ୍ୟପ୍ରକାଶ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକଙ୍କ ଦ୍ୱାରା ଆୟୋଜିତ ଏଭଳି ଉତ୍ସବକୁ ପ୍ରଶଂସା କରିଥିଲେ । ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର
ଜେନା ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ ଏଭଳି ମହୋତ୍ସବ ଆୟୋଜନ ଦ୍ୱାରା ଗଞ୍ଜାମର ଅନେକ କୁନି କୁନି କଳାକାର ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି କହି ଆୟୋଜକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।


ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିଆ ରାୟ ଏନଏଚଆରସି କୋର କମିଟି ସଦସ୍ୟ ତଥା ପିସିସି ସେବାଦଳ ଉପଦେଷ୍ଟା ମନୋଜ ଜେନା, ଏସଏସଆଇଟି ସଭାପତି ଡ଼. ଭଗବାନ ଗନ୍ତାୟତ, ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, ଅକ୍ସଫୋର୍ଡ ସ୍କୁଲ ଅଧ୍ୟକ୍ଷ ଅଶୋକ ପାଳ, ସାମନ୍ତରା ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ, ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଡା. ନୃସିଂହ ଚରଣ ପାଢ଼ୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ପାଦକ ଗୋପାଳ ପଟ୍ଟନାୟକ କୋଷାଧ୍ୟକ୍ଷ ପ୍ରଣୟ କୁମାର ପଣ୍ଡା, ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ମୁଖ୍ୟ ସଂଯୋଜକ ମନୋଜକାନ୍ତ ଦାସ, ମନୋରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ଶକ୍ତିଧର ରାଜଗୁରୁ, ଜଗନମୋହନ ମହାପାତ୍ର, ସୂଦୀପ ସାହୁ ସହଯୋଗ କରିଥିଲେ । ଶେଷରେ ସତ୍ୟଚେତନ ପରିଡା ଧନ୍ୟବାଦ ଦେଇଥିଲେ ।


ମହୋତ୍ସବର ୧୦ ଦିନ ମଧ୍ୟରେ ରାଜ୍ୟର ବହୁ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଯୋଗଦେଇ ବ୍ରହ୍ମପୁରବାସୀଙ୍କୁ ଅନେକ ଗୀତ ଭେଟି ଦେଇଥିଲେ । ରାଜ୍ୟ ତଥା ବାହାରର ବ୍ୟବସାୟୀଙ୍କ ଦ୍ୱାରା ବିକ୍ରି କରାଯାଉଥିବା ହସ୍ତତନ୍ତ, କୁଟୀର ଶିଳ୍ପ, ଘରକରଣା ସାମଗ୍ରୀ ସହରବାସୀଙ୍କ ମନ କିଣି ନେଇଥିଲା । ଏହି ଅବସରରେ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ରର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଏସ.ମୋହନ ରାଓ ଏବଂ ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତିଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



