ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିକାଶ ପରିଷଦ ଓ ସର୍ବଭାରତୀୟ ଅଗ୍ରଗାମୀ ଦିବ୍ୟାଙ୍କ ସମିତି ଦ୍ୱାରା ଆୟୋଜିତ ୧୦ ଦିନ ବ୍ୟାପି ଜଳେଶ୍ୱର ବିକାଶ ମହୋତ୍ସବ ଓ ୩୧ତମ କୃଷି, ଶିଳ୍ପ ଓ ବାଣିଜ୍ୟମେଳା ଆଜି ସଂଧ୍ୟାରେ ସମାଜସେବୀ ତଥା ରେବତୀର ସଂପାଦିକା ସୁବାସିନୀ ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସୁସଜ୍ଜିତ ପଟୁଆର ବ୍ଲକ ଛକଠାରୁ ବାହାରି ଶାନ୍ତିଆ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିବା ପରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ପ୍ରାଧ୍ୟାପକ ଡ. ଲଳିତରଂଜନ ସେନାପତିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଶ୍ରୀମତୀ ଜେନା ଯୋଗ ଦେଇ ପ୍ରଥମ ଥରପାଇଁ ସୀମାନ୍ତରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ଜଳେଶ୍ୱର ବିକାଶ ସାଂଗକୁ ଓଡିଶା ପଶ୍ଚିମବଂଗ ମଧ୍ୟରେ ଭାତୃତ୍ୱର ବନ୍ଧନ ସୁଦୃଢ କରିପାରିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ରୂପେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ସମ୍ମାନୀତ ଅତିଥି ରୂପେ ସମାଜସେବୀ ଆରତୀ ଦାସ, ବଳରାମ ସାହୁ, ଅରୁଣ କୁମାର ବେଜ, ସିତାଂଶୁ ସେନାପତି, ପୂର୍ବତନ କାଉନ୍ସିଲର ଅନନ୍ତ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ପରିଷଦର ସଂପାଦକ ମନୋରଂଜନ ଦାସ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବାବେଳେ ଚନ୍ଦ୍ରପଅକାଶ ଶାସ୍ତ୍ରୀ ବେଦମନ୍ତ୍ର ଉଚ୍ଚରଣ କରିଥିଲେ । ଏହି ଅବସରରେ ପୂର୍ବତନ କାଉନ୍ସିଲର ଭୂପତି ଚରଣ ଅଣ୍ଡିଆଙ୍କୁ ସମ୍ବଦ୍ଧିତ କରାଯାଇଥିବା ବେଳେ ପୂର୍ବତନ ନଗରପାଳ ବସନ୍ତ ସେନାପତି, ସ୍ୱାଧିନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ସେନାପତି ଗାନ୍ଧି ସେବାଶ୍ରମର ପ୍ରତିଷ୍ଠାତା କେଶବ ଚନ୍ଦ୍ର କରଙ୍କ ଜଳେଶ୍ୱର ବିକାଶ କ୍ଷେତ୍ରରେ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଶେଷରେ ଓଡିଶୀ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା