ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ୧୦ରୁ ଅଧିକ ଲୋକ ଏକଜୁଟ ହେଲେ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବା ନେଇ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡିଛି । ସୂଚନା ଯେ, ବିନାନୁମତିରେ ୧୦ଜଣରୁ ଅଧିକ ଲୋକ କୌଣସି ସ୍ଥାନରେ (ବନ୍ଦ ରୁମ୍ ହେଉ ଅବା ବାହାରେ) ଏକ ସମୟରେ ଏକଜୁଟ ହେଲେ ସେମାନଙ୍କଠୁ ଅବା ସମ୍ପୃକ୍ତ କାର୍ଯ୍ୟକ୍ରମର ଆୟୋଜକଙ୍କଠୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର କୋଭିଡ-୧୯ ନିୟମାବଳୀ-୨୦୨୦ରେ ଚତୁର୍ଥ ସଂଶୋଧନ କରି ବିଭିନ୍ନ ନିୟମ ଉଲ୍ଲଘଂନ ନିମନ୍ତେ ଜୋରିମାନା ପରିମାଣକୁ ଏଭଳି ଭାବେ ବୃଦ୍ଧି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଦସ୍ତଖତରେ ଜାରି ବିଜ୍ଞପ୍ତି ଅନୁସାରେ ମହାମାରୀ ଆଇନ-୧୯୮୭ର ଧାରା ୨ ଓ ୩ ଅନ୍ତର୍ଗତ ପ୍ରଦତ୍ତ କ୍ଷମତାର ଉପଯୋଗ କରି ସ୍ୱାସ୍ଥ୍ୟ ବିଭାଗ ଗତକାଲି ଓଡ଼ିଶା କୋଭିଡ-୧୯ ରେଗୁଲେସନ-୨୦୨୦ରେ ଚତୁର୍ଥ ସଂଶୋଧନ କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ କୋଭିଡ ନିୟମାବଳୀ-୨୦୨୦ର ୪(କ,ଖ,ଗ,ଘ,ଙ,ଚ)ରେ ଧାରାରେ ବିଭିନ୍ନ ନିୟମ ଉଲ୍ଲଘଂନ ପାଇଁ ଜୋରିମାନା ଧାର୍ଯ୍ୟ କରିଛନ୍ତି । ସଂଶୋଧିତ ନିୟମ ଅନୁସାରେ, ରାଜ୍ୟର କୌଣସି ସ୍ଥାନରେ ବିନା ଅନୁମତିରେ ଏକସଙ୍ଗେ ୧୦ଜଣରୁ ଅଧିକ ଲୋକ (ବନ୍ଦ ରୁମ୍ ହେଉ ଅବା ବାହାରେ) ଏକ ଜୁଟ ହୋଇ ରହି ପାରିବେ ନାହିଁ । ଏକଜୁଟ ହେବା ନିମନ୍ତେ ଉପଯୁକ୍ତ କାରଣ ଦର୍ଶାଇ ସ୍ଥାନୀୟ ଜିଲ୍ଲାପାଳ ଅବା ମହାନଗର ନିଗମର କମିଶନରଙ୍କଠୁ ଲିଖିତ ଅନୁମତି ନେବାକୁ ପଡ଼ିବ । ଏହି ନିୟମକୁ ଉଲ୍ଲଘଂନ କଲେ ସମ୍ପୃକ୍ତ ଆୟୋଜକ ଅବା ସାମିଲ ଲୋକଙ୍କଠୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ । ଏହି ଜୋରିମାନା ସମ୍ପୃକ୍ତ ଅଂଚଳର ଅତିରିକ୍ତ ବିଡିଓ, ଅତିରିକ୍ତ ତହସିଲଦାର, ପୋଲିସ୍ ଏସଆଇ ଓ ମ୍ୟୁନସିପାଲଟିର ଡେପୁଟି କମିଶନର ପାହ୍ୟାର ଅଧିକାରୀମାନେ ଆଦାୟ କରିପାରିବେ । ପୂର୍ବରୁ କୌଣସି ସ୍ଥାନରେ ୭ଜଣ ବ୍ୟକ୍ତି ଏକଜୁଟ ହେବା ଉପରେ କଟକଣା ରହିଥିଲା । ସେହିପରି ମାସ୍କ ନ ପିନ୍ଧିଲେ ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ପ୍ରଥମ ଓ ଦ୍ୱିତୀୟ ଅପରାଧ ନିମନ୍ତେ ୧ହଜାର ଟଙ୍କା ଓ ପରବର୍ତ୍ତୀ ନିୟମ ଉଲ୍ଲଘଂନ ପାଇଁ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏହି ଜୋରିମାନା ଆଦାୟ ପାଇଁ ବ୍ଲକ ସ୍ତରରେ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୋଲିସ ଏଏସଆଇ ଓ ୱାର୍ଡ ଅଫିସରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ପାଳନ ନକଲେ ସମ୍ପୃକ୍ତ ଦୋକାନର ମାଲିକଙ୍କୁ ପ୍ରଥମେ ୫୦ହଜାର ଓ ପରେ ୧ଲକ୍ଷ ଟଙ୍କା ସହ ନିୟମ ଭଙ୍ଗ କରିଥିବା ଗ୍ରାହକଙ୍କଠୁ ପ୍ରଥମେ ୨ହଜାର ଓ ପରବର୍ତ୍ତୀ ଥର ନିମନ୍ତେ ୧୦ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ । ଏହି ଜୋରିମାନା ଆଦାୟ ନିମନ୍ତେ ମହାନଗର ଅଂଚଳର ଡେପୁଟି କମିଶନର, ପୌରାଂଚଳର ଜୋନାଲ ଅଧିକାରୀ, ପୋଲିସ ଏସଆଇ ଓ ଅତିରିକ୍ତ ବିଡିଓଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ବିବାହ ଉତ୍ସବ ପାଇଁ ପ୍ରଥମେ ଲିଖିତ ଅନୁମତି ନେବାକୁ ପଡ଼ିବ । ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ବିବାହ ସମାରୋହରେ ସାମିଲ ହୋଇପାରିବେ ନାହିଁ । କୌଣସି ପରିସ୍ଥିତିରେ ବି ବିବାହ ପ୍ରୋସେସନ (ବର ଯିବାବେଳେ ପ୍ରୋସେସନ) ହୋଇପାରିବ ନାହିଁ । ନିୟମ ଉଲ୍ଲଘଂନ କଲେ ଆୟୋଜକଙ୍କଠୁ ୧ଲକ୍ଷ ଟଙ୍କା ଜୋରିମାନା ଓ ବିବାହରେ ସାମିଲ ହୋଇଥିବା ବ୍ୟକ୍ତିଙ୍କଠୁ ୨ରୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ସେହିପରି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଅବା ଅନ୍ତେଷ୍ଟି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ । ଏଥିପାଇଁ ସ୍ଥାନୀୟ ଥାନାକୁ ଟେଲିଫୋନ୍ ଅବା ଯେକୌଣସି ମାଧ୍ୟମରେ ଅବଗତ କରିବାକୁ ପଡ଼ିବ । ଅନ୍ତେଷ୍ଟି ସଂକ୍ରାନ୍ତ ସମସ୍ତ କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କ ସମାବେଶ ଉପରେ କଟକଣା ଜାରି ହୋଇଛି । ନିୟମ ଉଲ୍ଲଘଂନ କଲେ ଆୟୋଜକଙ୍କଠୁ ୫୦ହଜାର ଓ ସେଥିରେ ସାମିଲ ହେଉଥିବା ଲୋକଙ୍କଠୁ ୨ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା