୧୩ ବର୍ଷର ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲେ ଚାଇଲଡଲାଇନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଳ୍ପ କିମ୍ବା ବିନା ପାଉଣା ଦେଇ ଜବରଦସ୍ତ ଖଟାଇ ନିଜକୁ ଲାଭବାନ କରିବା ନିମନ୍ତେ ମାଲିକମାନେ କୋମଳ ମତି ଶିଶୁ ମାନଙ୍କୁ ହୋଟେଲ, ଢ଼ାବା, ଚାହା ଦୋକାନ, ଗେରେଜ ଭଳି ବିଭିନ୍ନ ସ୍ଥାନରେ କାର୍ଯ୍ୟରେ ଲଗାଇ ଥାଆନ୍ତି । ବହୁ ସମୟରେ ଚାଇଲଡଲାଇନର ୧୦୯୮ ସେବା ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ଏଥିରୁ ନିବୃତ ନିମନ୍ତେ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ କରି ଓ ମାଲିକମାନଙ୍କୁ ତାଗିବ କରିଥାଆନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବହୁ ଜାଗରେ ଶିଶୁମାନଙ୍କୁ କାମରେ ଲଗାଯାଉଥିବା ଦେଖିବାକୁ ମିଳୁଛି । ଗତକାଲି ପୋଲସରା ମୁଖ୍ୟ ରାସ୍ତାରେ ଥିବା ଭୈରବୀ ହୋଟେଲରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଛତ୍ରପୁର, ଚାଇଲଡଲାଇନ ଓ ପୋଲସରା ପୋଲିସଙ୍କ ମିଳିତ ଚଢ଼ାଉ କରି ଏକ ୧୩ ବର୍ଷର ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଚାଇଲଡଲାଇନର ୧୦୯୮ ସେବା ମାଧ୍ୟମରେ ଘଟଣାଟି ଆସିବା ପରେ କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ ସଂଗେ ସଂଗେ ଛତ୍ରପୁର ସ୍ଥିତ ସହକାରୀ ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ, ଗଞ୍ଜାମଙ୍କ ଦୃଷ୍ଟି ଆକର୍ଷଣ କରାଇ ଶିଶୁକୁ ଯଥାଶୀଘ୍ର ଉଦ୍ଧାର କରିବା ନିମନ୍ତେ ଜଣାଇଥିଲେ । ଏହି ଖବର ପାଇ ଗାଇଡଲାଇନର ଦୁଇ ସଦସ୍ୟ ବଳରାମ ମଲ୍ଲିକ ଓ ଶମ୍ଭୁ ପ୍ରସାଦ ପାତ୍ର ଏହାର ସତ୍ୟତା ଯାଞ୍ଚ କରିବାକୁ ଯାଇ ଶିଶୁଟିକୁ କାର୍ଯ୍ୟ କରୁଥିବା ଦେଖିବାକୁ ପାଇଥିଲେ ଏହାପରେ ତୁରନ୍ତ ଶ୍ରୀ ତ୍ରିପାଠୀଙ୍କୁ ଖବର ପ୍ରଦାନ କରି ଉକ୍ତ ସ୍ଥାନକୁ ଆସିବାକୁ ଜଣାଇଥିଲେ । ଶ୍ରୀ ତ୍ରିପାଠୀ ପହଞ୍ଚିବା ପରେ ସମସ୍ତେ ମିଶି ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ସହ ସାକ୍ଷାତ କରି ଚଢ଼ଉ ନିମନ୍ତେ ପୋଲିସର ସହଯୋଗ ନେଇଥିଲେ । ଶ୍ରୀ ମଲ୍ଲିକ ତତକ୍ଷଣାତ ପୋଲିସର ଏକ ଦଳକୁ ସେମାନଙ୍କ ସହ ପଠାଇଥିଲେ । ଚଢଉପରେ ଶିଶୁଟି ଉଦ୍ଧାର ହୋଇଥିଲା ଓ ବୟାନ ଦେଇଥିଲା ଯେ, ସେ ଗତ ୮ ମାସ ହେଲା ବିନା ମଜୁରିରେ କାମ କରୁଛି କେବଳ ହୋଟେଲ ମାଲିକ ତାଙ୍କୁ ଖାଇବାକୁ ଓ ରହିବାକୁ ସୁବିଧା କରିଛି । ସେ କହିବା ଅନୁସାରେ ସେମାନେ ତିନୋଟି ସନ୍ତାନ, ଦୁଇ ଭାଇ ଭଉଣୀଙ୍କୁ ଅଜା ଆଇଙ୍କ ପାଖରେ ଛାଡି ନିଜ ପିତା ହିଁ ଶିଶୁଟିକୁ ଉକ୍ତ ହୋଟେଲରେ ନିୟୋଜିତ କରାଇଥିଲେ ।ଯେଉଁ ହାତରେ କଲମ ବହି ରହିବା କଥା ସେ ହାତରେ ଚୂଲିରେ କାଠ ଭରିବା ଓ ନିଜ ସମ୍ମାନକୁ ଜଳାଞ୍ଜଳି ଦେଇ ହୋଟେଲରେ ପ୍ଲେଟ ଉଠାଇବା ଟେବୁଲ ପୋଛିବା କାର୍ଯ୍ୟରେ ନିୟୋଜିତ ହୋଇଅଛି । ଉଦ୍ଧାର ଶିଶୁଙ୍କୁ ହରିହର ପାଢ଼ୀ, ସଦସ୍ୟ ଶିଶୁ ମଙ୍ଗଳ ସମିତି, ଗଞ୍ଜାମରେ ହାଜର କରାଯାଇଥିଲା ଓ ସମିତିଙ୍କ ଆଦେଶ କ୍ରମେ ଅସ୍ଥାୟୀ ଆଶ୍ରୟ ନିମନ୍ତେ ଶିଶୁ ଯତ୍ନ ଗୃହକୁ ଚାଇଲଡଲାଇନ ସଦସ୍ୟଙ୍କ ସହଯୋଗରେ ପଠାଇ ଦିଆଯାଇଛି । ଶ୍ରୀ ତ୍ରିପାଠୀ ହୋଟେଲ ମାଲିକ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଓ ଶିଶୁକୁ ପ୍ରକୃତ ନ୍ୟାୟ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କିରଛନ୍ତି । ଶିଶୁ ଓ କିଶୋର ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୨୦୧୬କୁ ଆହୁରି କଡାକଡ଼ି କରାଯିବା ସହ ସାମାଜିକ ସଚେତନତା ନ ହେବା ପର୍ଯ୍ୟନ୍ତ ଶିଶୁ ଶ୍ରମିକ ପ୍ରଥା ଲୋପ ହେବା ଅତ୍ୟନ୍ତ କଠିନ କର । ପ୍ରତ୍ୟେକ ନାଗରିକ ଏହା ହୃଦୟଙ୍ଗମ କରିବା ଉଚିତ ଯେ କେବଳ ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କ ଉପରେ ନ ଛାଡି ଯେକୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ଥିଲେ ଉକ୍ତ ମାଲିକଙ୍କୁ ସିଧା ପ୍ରଶ୍ନ କରି ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବାରେ ସହଯୋଗ କରିବା ଆବଶ୍ୟକ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା