୧୪ତମ ପଞ୍ଚାୟତ ସମିତି ବୈଠକ : ଯୋଗଦେଲେ ସାଂସଦ ଓ ବିଧାୟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ୧୪ତମ ପଞ୍ଚାୟତ ସମିତି ବୈଠକରେ ଆଜି ଶୁକ୍ରବାର ସାଂସଦ ପ୍ରତାପ ଷଡଙ୍ଗୀ ପ୍ରଥମକରି ଯୋଗ ଦେଇଥିବା ବେଳେ ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର ଉପସ୍ଥିତ ଥିଲେ । ଏଥିରେ କୃଷି, ଜଳସମ୍ପଦ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ପିଇବା ପାଣି, ଶିଶୁ ଓ ମହିଳା ମଂଗଳ ବିଭାଗ ସହିତ ପଞ୍ଚାୟତରାଜ ବିଭାଗକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସ୍ଥାନୀୟ ବିଭାଗୀୟଙ୍କ କର୍ମକର୍ତ୍ତାଙ୍କ ଉଦାସୀନତା ସଂପର୍କରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ।
କୃଷି ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି ୧୧ଟି ପଂଚାୟତର ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଥିବାରୁ କ୍ଷୟକ୍ଷତି ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ହେଉଥିବାର କହିଥିଲେ । ୟୂରିଆ ସାରର ସରକାରୀ ମୂଲ୍ୟ ବୁରାପ୍ରତି ୨୬୫ଟଙ୍କା ଥିବା ବେଳେ କେତେକ ଡିଲର ୩୫୦ଟଙ୍କାରେ ବିକ୍ରି କରୁଥିବାର ଅଭିଯୋଗ ପରେ ଜଣକଙ୍କର ଲାଇସେନ୍ସ ବାଜ୍ୟାପ୍ତି କରାଯିବା, ସାର ଓ କିଟମରା ଔଷଧ ରିହାତି ଅର୍ଥ ଚାଷୀଙ୍କ ଜମାଖାତାକୁ ଯିବା ସଂପର୍କରେ କହିଥିଲେ । ଚଳିତବନ୍ୟାରେ ଶିଖରପୁର ଠାରେ ୧ କୋଟି ଟଙ୍କର ପଥର ପେକିଂ ଧୋଇ ଯାଇଥିବାରୁ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଥିଲା ଓ ନଦୀ ବନ୍ଧ ର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଥିବାର ସହକାରୀ ଯନ୍ତ୍ରୀ ଇଂ ପ୍ରିୟବ୍ରତ ସିଂ କହିଥିଲେ । ବିଦ୍ୟୁତ ବିଭାଗରେ ସୌଭାଗ୍ୟ ଯୋଜନା ଠିକ୍‌ଭାବେ କାର୍ଯ୍ୟ ହେଉନଥିବା ଏବଂ ସେହି ଯୋଜନାରେ ହିତାଧିକାରୀଙ୍କୁ ବିନା ମିଟରରେ ବିଲ ଲାଗୁଥିବାରୁ ଏ ସମ୍ପର୍କରେ ବୈଠକରେ କ୍ଷୋଭ ପ୍ରକାଶ କରାଯାଇଥିଲା । ସଂଯୋଗ ବେଳେ ଠିକାଦାର ମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହୋଇଛି । ଲକ୍ଷ୍ମଣନାଥଠାରେ ଏକ ନୂତନ ଷ୍ଟକ୍‌ଚର ହେବାକୁ ଯାଉଥିବା ସଂପର୍କରେ ସହକାରୀ ଯନ୍ତ୍ରୀ ଇଂ ଭୂବନାନନ୍ଦ ସାହୁ କହିଥିଲେ । ଜଳେଶ୍ୱର ବ୍ଲକରେ ୭୫ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଓ ୭୦ ହଜାର ଲୋକଙ୍କୁ ୨ୟୟ ଡୋଜ୍ ଦିଆଯାଇଛି । ଅଦ୍ୟାବଧି ୧୬ଟି ସବ୍ ସେଣ୍ଟରେ ଗୃହ ନିର୍ମାଣ ହୋଇଥିବା ବେଳେ ଅନ୍ୟ ୧୦ଟିର ସ୍ଥାନ ଚିହ୍ନଟ ହୋଇନଥିବାରୁ ତାହା ନିର୍ମାଣ ହୋଇପାରୁନଥିବା ସଂପର୍କରେ ଡ. ପ୍ରଭାସ ଚନ୍ଦ୍ର ନାୟକ କହିଛନ୍ତି । ଜିକେ ଭଟ୍ଟର ହସ୍ପିଟାଲରେ ୮ଜଣ ଡାକ୍ତର କାର୍ଯ୍ୟ କରୁଥିବାର ସେ କହିଥିଲେ । ଏଣିକି ଶିକ୍ଷା ଓ ସ୍ୱାସ୍ଥ ବିଭାଗ ପଞ୍ଚାୟତ ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଥିଲା । ଗ୍ରାମ ଉନ୍ନୟୟନ ବିଭାଗ ଅଧିନରେ ୫ଟି ରାସ୍ତାର ନବିକରଣ ଓ ପ୍ରସସ୍ତିକରଣ ଲାଗି ୨୩.୩୨ କୋଟି ଟଙ୍କା ବ୍ୟୟ ବରାଦ ସଂପର୍କରେ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ କୁମାର ସାମଲ ଓ ସହକାରୀ ଯନ୍ତ୍ରୀ ବିଜୟ କୁମାର ଦାସ ଗୃହକୁ ସୂୂଚନା ଦେଇଥିଲେ । ୫ଶହରୁ ଉର୍ଦ୍ଧ୍ୱ ବସବାସ କରୁଥିବା ରାଜସ୍ୱ ଗ୍ରାମକୁ ସରକାରଙ୍କ ପାଇକ୍ ପାଣି ଯୋଗାଣ ସଂପର୍କରେ ଇଂ ପ୍ରଦ୍ୟୁମ୍ନ ଦାସ କହିଥିଲେ । ଜଳେଶ୍ୱର ବ୍ଲକରେ ୫ଲକ୍ଷ ଟଙ୍କା ବ୍ୟୟରେ ମୋଟ ୩୫ଟି ମିିଶନଶକ୍ତି ଗୃହ ନିର୍ମାଣ ଓ ୬୦ଟି ଅଂଗନବାଡି ଗୃହ ନିର୍ମାଣ ଚାଲିଥିବା ସଂପର୍କରେ ଆଲୋଚନା ହୋଇଥିଲା । ରୁରବାନ ଯୋଜନାରେ ରାଇବଣିଆର ୧୧ଟି ପଞ୍ଚାୟତକୁ ୪.୫ କୋଟି ଟଙ୍କା ଅନୁଦାନ ମିଳିିଥିବା ସଂପର୍କରେ ଆଲୋଚିତ ହୋଇଥିଲା । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷା ସବିତା ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ମନୋଜ ମୁୁଣ୍ଡ, ତହସିଲଦାର ସ୍ମୃତି ରଂଜନ ମଲ୍ଲିକ ଉପସ୍ଥିତ ଥିବା ବେଳେ ବିଡିଓ ଦିପ୍ତିରଂଜନ ସେଠୀ ସଂଚାଳନ କରିଥିଲେ । ଜିପିଓ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ :ଭୂପତି ପରିଡା