୧୫ ହଜାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବ : ମନ୍ତ୍ରୀ ସ୍ୱାଇଁ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ପୂର୍ବାହ୍ନରେ ଶିଳ୍ପମନ୍ତ୍ରୀ ଶ୍ରୀସମ୍ପଦ ଚନ୍ଦ୍ର ସ୍ୱାଇଁ ଡେରାସସ୍ଥିତ ସି-ଫୁଡ୍‌ ପାର୍କ ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀସ୍ୱାଇଁ ଶିଳ୍ପାଞ୍ଚଳର ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ସଂପୃକ୍ତ ଅଂଶୀଦାର ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ବିଭିନ୍ନ ଦାବି ଉପରେ ବିଚାର ବିମର୍ଶ କରି ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ଶିଳ୍ପୋଦ୍ୟୋଗ ପରି ଭ୍ରମଣ ପରେ ଏଠାରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀସ୍ୱାଇଁ କହିଲେ ଯେ ଇଡ୍‌କୋ ଦ୍ୱାରା ଅଧିକୃତ୧୫୧ ଏକର ଜମିରୁ ୮୮ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆ ଯାଇଛି । ଉକ୍ତଶିଳ୍ପାଞ୍ଚଳରେ ୧୭ଟି ସଂସ୍ଥା ସେମାନଙ୍କ ଉଦ୍ୟୋଗ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ୩ଟି ସଂସ୍ଥା କାର୍ଯ୍ୟରତ ଥିବା ବେଳେ ଆଉ ୪ଟି ସଂସ୍ଥା ସେମାନଙ୍କ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହ ଆଉ ୧୦ଟି ସଂସ୍ଥା ନିଜ ନିଜର ଉଦ୍ୟୋଗ ଖୋଲିବା ପାଇଁ ଜମି ନେଇଛନ୍ତି । ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ସହ କିଭଳି ଖୁବ୍‌ ଶୀଘ୍ର ସେମାନେ ଉଦ୍ୟୋଗ ପ୍ରତିଷ୍ଠା କରିବେ ସେ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ । ଏହା ଦ୍ୱାରା ପ୍ରାୟ ୧୦ ହଜାର ମହିଳାଙ୍କ ସମେତ ୧୫ ହଜାର ଯୁବକ ଯୁବତୀ ରୋଜଗାରକ୍ଷମ ହୋଇ ପାରିବେ । ଏତଦ୍‌ ବ୍ୟତୀତ ଏହି ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ସହ ବିଚାର ବିମର୍ଶ ଜାରି ରଖିଛନ୍ତି । ରାଜ୍ୟରେ ଶିଳ୍ପାୟନକୁ ଗୁରୁତ୍ୱ ଦେବା ସହ ବିଭିନ୍ନ ଜିଲ୍ଲାରେ ଏହି ଭଳି ଆଉ ୧୧ଟି ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥି ନିମନ୍ତେ ସ୍ଥଳ ବିଶେଷରେ ଥିବା ବିିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୁ୍ତି ଦେବା ସହ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀସ୍ୱାଇଁ ସ୍ଥାନୀୟ ଲୋକ ମାନଙ୍କ ସହଯୋଗ ଲୋଡ଼ି ଥିଲେ । ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀସ୍ୱାଇଁ ୩ ଗୋଟି ଇଣ୍ଡଷ୍ଟ୍ରିଆଲ୍‌ ୟୁନିଟ୍‌ ବୁଲି ଦେଖି ଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦରସିଂ ପୁନିଆ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀସୁରେଶ ଚନ୍ଦ୍ର ଦଳାଇ, ସିଜିଏମ୍‌ ଶ୍ରୀ ବିଜୟ ଚନ୍ଦ୍ର ତି୍ପାଠୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀନୀତିଶ ତି୍ପାଠୀ, ଇଡ୍‌କୋ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ପୁଷ୍ପାଞ୍ଜଳି ପାଇକରାୟ,ସୂଚନା ଅଧିକାରୀ