ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) କରୋନା ଭୁତାଣୁ ସଂକ୍ରମଣକୁ ନେଇ ଗତ ମାର୍ଚ୍ଚ ୨୨ ଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ ଲାଗୁ କରାଯାଇଥିବା ବେଳେ ଲକ୍ଡାଉନ୍ କଟକଣାର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲି ଶେଷ ବେହାକୁ ଯାଉଛି । ଏହି ଲକ୍ଡାଉନ୍ ଅବଧିକୁ କେନ୍ଦ୍ର ସରକାର ଆଗକୁ ଆଉ ବୃଦ୍ଧି କରିବେ କି ନାହିଁ ତାହାର କିଛି ନିଷ୍ପତ୍ତି ନିଆଯାଇନଥିବା ଜଣାପଡିଛି । ଅନ୍ୟପକ୍ଷରେ ଓଡ଼ିଶା ସରକାର ଏହି ଅବଧିକୁ ବୃଦ୍ଧି କରିବାଥିବା ଘୋଷଣା କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୩୦ ଯାଏଁ ଚାଲିବ । କିନ୍ତୁ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ବେଳେ କିଛି କଟକଣାକୁ କୋହଲ କରାଯାଇଥିବା ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସୂଚନା ଦେଇଛନ୍ତି । କିନ୍ତୁ ଭୁବନେଶ୍ୱର ସହରରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ର କୋହଳ ନିୟମକୁ ଲାଗୁ କରାଯିବ ନାହିଁ ଏହା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି । ସୂଚନା ଅନୁଯାୟୀ, ଧାନ ବୁଣା, ତଳି ରୁଆ, ଫସଲ ଅମଳ କାର୍ଯ୍ୟ, ବିହନ ବୁଣା ଓ ବିହନ ପରିବହନ, ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର ଚଳାଚଳ କରିବା, କୃଷି ଯନ୍ତ୍ରପାତି ବିକ୍ରୟ ଓ ମରାମତି କେନ୍ଦ୍ର ଖୋଲିବା, ରାସାୟନିକ ସାର ଓ ଶୀତଳ ଭଣ୍ଡାର କେନ୍ଦ୍ର ଖୋଲିବା, କୃଷି କାର୍ଯ୍ୟ ପାଇଁ ମୋ ପୋଖରୀ ଖୋଳାରେ ଶ୍ରମିକ କାମ କରିପାରିବେ, ଖରିଫ୍ ଋଣ ଯୋଗାଇ ଦେବା ପାଇଁ ସବୁ ବ୍ୟାଙ୍କ କାର୍ଯ୍ୟ କରିବେ, ଅଫିସ୍ ବି ଖୋଲା ରହିବ, ରବି ଧାନ ସଂଗ୍ରହ ପାଇଁ ୧୭/୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ, ଗାଁରୁ ମଣ୍ଡି ଓ ମଣ୍ଡିରୁ ମିଲ୍କୁ ଧାନ ନେବା ପାଇଁ ଟ୍ରକ୍ ଓ ଟ୍ରାକ୍ଟର ଚାଲିପାରିବ, ଅଣ୍ଡା, ମାଛ, ମାଂସ, ଦୁଗ୍ଧ ଆଦି ଦ୍ରବ୍ୟର ପରିବହନ ଚାଲୁ ରହିବ, ମାଛ ଖାଦ୍ୟ, ପଶୁ ଖାଦ୍ୟ ଉତ୍ପାଦନ ଓ ପରିବହନ, ଯୋଗାଣ ଚାଲୁ ରହିବ, ପ୍ରାଣୀ ଚିକିତ୍ସାଳୟ ଓ ଟୀକା କରଣ କେନ୍ଦ୍ର ଖୋଲା ରହିବ, ପୋଖରୀ ମାଛ ଚାଷ, ମାଛ ଧରା, ସାମୁଦ୍ରିକ ମାଛ ଧରା, ମାଛ ଯାଆଁଳ ଉତ୍ପାଦନ, ମାଛ ଜାଲ କାରଖାନା, ଗୋଶାଳା ଚାଲୁ ରହିବ, ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ, ମନରେଗା କାର୍ଯ୍ୟକ୍ରମ ରାଜ୍ୟର ସବୁ ଗ୍ରାମାଞ୍ଚଳରେ ଚାଲୁ ରହିବ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପାଇଖାନା ନିର୍ମାଣ କାର୍ଯ୍ୟ, ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କାର୍ଯ୍ୟ, ପାନୀୟ ଜଳ ଯୋଗାଣ, ନଳକୂପ ମରାମତି କାର୍ଯ୍ୟ, ବନୀକରଣ ପାଇଁ ନର୍ସରୀ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ କାର୍ଯ୍ୟ, କେନ୍ଦୁପତ୍ର ତୋଳା, କେନ୍ଦୁପତ୍ର ଫଡ଼ି କାର୍ଯ୍ୟକ୍ରମ କରାଯାଇପାରିବ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କାର୍ଯ୍ୟ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କାର୍ଯ୍ୟ କରାଯାଇପାରିବ, ଇ-କମର୍ସ ଜରିଆରେ ସବୁ ଜିନିଷ ଘରକୁ ମଗାଇ ପାରିବେ, ଖାଦ୍ୟ ହୋମ୍ ଡେଲିଭରି ଓ ଢାବା ଚାଲୁ ରହିବ କିନ୍ତୁ ଢାବାରେ ବସି ଖାଇପାରିବେ ନାହିଁ, ଖାଦ୍ୟ ନେଇ ଖାଇପାରିବେ । ଏହି ସମସ୍ତ କାର୍ଯ୍ୟକୁ କରିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ଏହାସହ କଣ୍ଟେନମେଣ୍ଟ ଜୋନ୍ରେ ଲକ୍ଡାଉନ୍ କୋହଳ ଲାଗୁ କରାଯିବ ନାହିଁ ବୋଲି କୁହାଯାଇଛି ।