

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ବ୍ରହ୍ମପୁର ଷ୍ଟାଡିୟମରେ ପ୍ଲାଷ୍ଟିକକୁ ବ୍ୟବହାର ନ କରିବାକୁ ନେଇ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଏନସିସି କ୍ୟାଣ୍ଡେଟଙ୍କ ସହିତ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟଙ୍କୁ ନେଇ ଶପଥ ଗ୍ରହଣ କରାଯାଇଥିଲା । ଏହି ଅବସରରେ ପ୍ଲାଷ୍ଟିକ ବଦଳରେ ସମସ୍ତଙ୍କୁ ଚକଲେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଏନସିସି କମାଣ୍ଡର ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ସ୍ୱଚ୍ଛାସେବୀ ତଥା ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ଫୋରମ ଫର ଗଞ୍ଜାମ, ବ୍ରହ୍ମପୁର ଟିମ କ୍ଲିନ ସିଟି, ରବୀନ ହୁଡ଼ ଆର୍ମି ଓ ସବୁଜ ବାହିନୀ ସଂଗଠନକୁ ବୃକ୍ଷ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରେ ଏନସିସି କ୍ୟାଣ୍ଡେଟ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଜରିଆରେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





