


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୟୁନିୟନ କ୍ଲବ ପରିସରରେ ଓଡିଶା ଟେନିସ ଆସୋସିଏସନ ସହଯୋଗରେ ଗଞ୍ଜାମ ଜିଲ୍ଲା ଟେନିସ ଆସୋସିଏସନ ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ ସର୍ବଭାରତୀୟ ଟେନିସ ଆସୋସିଏସନ ପ୍ରତିଯୋଗିତା ଗତ ରବିବାର ଦିନ ଆୟୋଜିତ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଅରବିନ୍ଦ ପ୍ରେମରଜୁ ବାଳକ ବିଭାଗ ସିଙ୍ଗଲସରେ ଚମ୍ପିୟାନ ହୋଇଛନ୍ତି । ବାଳିକା ବିଭାଗରେ ମଧ୍ୟ ଜଣେ ଏନସିଡେଡ଼ ଖେଳାଳି ପଶ୍ଚିମବଙ୍ଗର ଭୂମି ଶେଖର ଟାଇଟଲ ହାତେଇଛନ୍ତି । ଅରବିନ୍ଦ ୬-୭ (୭), ୬-୧, ୭-୬ (୨)ରେ ଓଡ଼ିଶାର ଡି. ଆର୍ଯ୍ୟନ ସ୍ୱାମୀଙ୍କୁ ପରାସ୍ତ କରିଥିଲେ । ଏହି ଦୁହିଁଙ୍କ ମଧ୍ୟରେ ଦିର୍ଘ ସମୟ ଧରି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିବାରୁ କ୍ରୀଡ଼ାପ୍ରେମୀ ଓ ଆୟୋଜକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବାଳିକା ବିଭାଗରେ ପଶ୍ଚିମବଙ୍ଗର ସାନ୍ୟା ଯାଦବଙ୍କୁ ତାଙ୍କରି ରାଜ୍ୟର ଭୂମି ଶେଖର ୬-୪, ୬-୧ ସିଧାସଳଖ ପଏଣ୍ଟରେ ପରାଜିତ କରି ବିଜୟ ହୋଇଛନ୍ତି । ବାଳକ ପରି ବାଳିକା ବିଭାଗରେ ମଧ୍ୟ ଅନସିଡେଡ଼ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଟାଇଟଲ ଜିତିଛନ୍ତି । ପୁରସ୍କାର ବିତରଣ ଉତ୍ସବ ଗଞ୍ଜାମ ଟେନିସ ଆସୋସିଏସନର ବରିଷ୍ଠ ସଦସ୍ୟ ରଞ୍ଜିତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିଶ୍ୱ ରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ରାଜୀବ ମିଶ୍ର ବାଳିକା ଚାମ୍ପିଅନ ଓ ରନର୍ସ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଅନ୍ୟତମ ବରିଷ୍ଠ ସଦସ୍ୟ ଅବଦୁଲ ସତ୍ତାର ଓ ଭେଟେରାନ ଖେଳାଳି ଅର୍ଜୁନ ସ୍ୱାଇଁ ବାଳକ ବିଭାଗର ରନର୍ସଅପ ଓ ଚମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ । ଯତିନ ବୈଶ୍ୟଙ୍କ ସମେତ ରାଜେଶ ସାହୁ, ସି.ଏଚ. ଶିବାଜୀ ପାତ୍ର, ବାଳକ୍ରିଷ୍ଣ୍ଣା ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
