୧୭ କେନ୍ଦ୍ରରେ ୩୦୫୭ ମ୍ୟାଟ୍ରିକ ପରୀକ୍ଷାର୍ଥୀ : ୮ କେନ୍ଦ୍ରରେ ସିସି କ୍ୟାମେରା, ବ୍ୟାପକ ଅସନ୍ତୋଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ମ୍ୟାଟ୍ରିକ ପରୀକ୍ଷା ଲାଗି ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଜଳେଶ୍ୱର ବ୍ଲକରେ ୧୭ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୦୫୭ ପରୀକ୍ଷାର୍ଥୀଙ୍କ ଭାବ୍ୟ ନିର୍ଣ୍ଣୟ ହେବାକୁ ଯାଉଥିବା ଜଣାଯାଇଛି । କିନ୍ତୁ ମାତ୍ର ୮ଟି କେନ୍ଦ୍ରରେ ସିସି କ୍ୟାମେରା ଲାଗାଯାଇଥିବାରୁ ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ମନରେ ବିଭିନ୍ନ ସନ୍ଦେହ ଓ ଶଙ୍କା ପ୍ରକାଶ ପାଇଛି । ବାଗପୁଞ୍ଜିର ଶ୍ରୀ ଚୈତନ୍ୟ, ନାମ୍ପୋ ହାଇସ୍କୁଲ, ଜଳେଶ୍ୱର ସରକାରୀ ହାଇସ୍କୁଲ, ଲକ୍ଷ୍ମଣନାଥ ସରକାରୀ ହାଇସ୍କୁଲ, ମୁଣୁତୁଣିଆର ପିସି ହାଇସ୍କୁଲ, ଓଲମରା ହାଇସ୍କୁଲ, ଭଣ୍ଡାରୀପଲ୍ଲିର ଏନ୍‌ସି ହାଇସ୍କୁଲ, ଚମାରଗାଁର ପିଏନ୍ ହାଇସ୍କୁଲ, ଶିଖରପୁରର ଏସ୍‌ଏସ୍‌ବିବି ହାଇସ୍କୁଲ, ମହୁଲିଆର ଏମ୍‌ସି ହାଇସ୍କୁଲ, ପ୍ରସାଦଶୋଳର ଜଳେନ୍ଦର ହାଇସ୍କୁଲ, ଚାଲନ୍ତିର ଏସ୍‌ଏନ୍ ହାଇସ୍କୁଲ, ଜମାଳପୁରର ବିଏନ୍ ଏକାଡେମୀ, ଛମୌଜର ଏନ୍‌ସି ହାଇସ୍କୁଲ, ପଶ୍ଚିମବାର୍ଡର ଆର୍‌କେ ହାଇସ୍କୁଲ, ଖୁଲୁଡା ଶୀତଳାମାତା ହାଇସ୍କୁଲ, କମାରଶାଳିଆର ମନୋରଂଜନ ହାଇସ୍କୁଲରେ ୩୦୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଳେଶ୍ୱର ନୋଡାଲ ଅଫିସର ମୂରଲୀ ମୋହନ ପ୍ରଧାନ କହିଛନ୍ତି । ଏ ସବୁ କେନ୍ଦ୍ର ମଧ୍ୟରୁ ବହୁ ଦୂରଦୁରାନ୍ତ ଗ୍ରାମାଂଚଳରେ ଥିବା ୮ କେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବାର ଜଣାଯାଇଛି । ପୂର୍ବରୁ ଅଭ୍ୟସ୍ତ ନ ଥିବା ଛାତ୍ରଛାତ୍ରୀମାନେ ସିସି କ୍ୟାମେରା ଯୋଗୁଁ ଅଧିକ ବିବ୍ରତ ଓ ଆତଙ୍କିତ ହୋଇ ପଡିଥିବା ଜଣାପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା