+୨ ବିଜ୍ଞାନ ପରୀକ୍ଷା ଫଳ ମେ ୩୧ ସୁଦ୍ଧା ପ୍ରକାଶ ପାଇବ:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ମେ ୩୧ ସୁଦ୍ଧା ପ୍ରକାଶ ପାଇବ । ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍‌ ମାସରେ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆକଳନ କରାଯାଇଛି । ହେଲେ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଖାତା ଦେଖା ପ୍ରାୟ ୯୫% ଶେଷ ହୋଇଛି । ଦିନେ ଦୁଇ ଦିନ ଭିତରେ ବାକି ସବୁ ଖାତା ଶେଷ ହୋଇଯିବ । ପରେ ଛାତ୍ରଛାତ୍ରୀଙ୍କ ନମ୍ବରକୁ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ । ମେ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ । ଅନ୍ୟପକ୍ଷରେ ଖାତା ଦେଖାକୁ ନେଇ ମୂଲ୍ୟାୟନକାରୀ ଓ ପରିଷଦ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି । ବିଜ୍ଞାନ, କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଖାତା ଦେଖା ପ୍ରାୟ ୯୫% ଶେଷ ହେଲାଣି । ହେଲେ ଏଯାଏ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଅଲ୍‌ଟର୍‌ନେଟିଭ୍‌ ଇଂରାଜୀ ଓ ଷ୍ଟାଟିଷ୍ଟିକ୍‌ ବିଷୟ ଖାତା ଦେଖା ୧୦% ବି ସରିନି । ଅଲ୍‌ଟର୍‌ନେଟିଭ୍‌ ଇଂରାଜୀ ଖାତା ଅନ୍‌ଲାଇନ୍‌ରେ ମୂଲ୍ୟାୟନ କରିବା ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ବହୁ ମୂଲ୍ୟାୟନକାରୀଙ୍କୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ଅଧ୍ୟାପକମାନେ ରାଜି ହୋଇନଥିଲେ । ଅନ୍ୟତ୍ର ଯିବାକୁ ସେମାନେ ରୋକଠୋକ ମନା କରିଥିଲେ । ଏସମ୍ପର୍କରେ ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାସ କହିଛନ୍ତି, ଅଲ୍‌ଟର୍‌ନେଟିଭ୍‌ ଇଂରାଜୀ ଓ ଷ୍ଟାଟିଷ୍ଟିକ୍‌ ଖାତା ଶେଷ ହୋଇନି । ଏହି ଖାତା ମୂଲ୍ୟାୟନ ଶୀଘ୍ର ଶେଷ କରିବାକୁ ସ୍ୱତନ୍ତ୍ର ଭାବେ ଖାତା ଦେଖାଯିବ । ଏଥିପାଇଁ ଅଧ୍ୟାପକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ୮୦ଜଣ ଅଧ୍ୟାପକ ଏହି ଦୁଇଟି ବିଷୟ ଖାତା ଦେଖିବା ପାଇଁ କେନ୍ଦ୍ରରେ ଯୋଗ ଦେଇଛନ୍ତି । ଆସନ୍ତାକାଲି ଆହୁରି ଅନେକ ଅଧ୍ୟାପକ ଯୋଗ ଦେବେ । ଦୁଇ ଦିନ ଭିତରେ ଖାତା ଦେଖା ଶେଷ ହୋଇଯିବ । ମେ ଶେଷ ସୁଦ୍ଧା ଫଳ ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି । ବିଜ୍ଞାନ ଫଳ ପ୍ରକାଶ ପାଇବାର ୧୦-୧୫ ଦିନ ଭିତରେ ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା