୨୩ କୋଚିଂ ସେଂଟରକୁ ନୋଟିସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସୁରଟର ଏକ କୋଚିଂ ସେଂଟରରେ ନିଆଁ ଲାଗିବା ପରେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି । ସୋମବାର କଟକ ଓ ଭୁବନେଶ୍ୱରରେ ଥିବା କୋଚିଂ ସେଂଟରଗୁଡିକ ଉପରେ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଦୁଇ ସହରରେ ଥିବା ୨୩ଟି ଶିକ୍ଷାନୁଷ୍ଠାନ ଉପରେ ବିଭାଗ ପକ୍ଷରୁ ଚଢଉ କରାଯାଇଥିବା ବେଳେ ପ୍ରାୟ କୌଣସି କୋଚିଂ ସେଂଟରରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିବା ଜାଣିବାକୁ ପାଇଛି । ସେସବୁ ଶିକ୍ଷାନୁଷ୍ଠାନକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକରେ ଥିବା କୋଚିଂ ସେଂଟର ଉପରେ ଚଢଉ କରାଯାଇଛି । ଭୁବନେଶ୍ୱରରେ ୧୫ ଓ କଟକରେ ୮ଟି କୋଚିଂ ସେଂଟର ଉପରେ ଚଢଉ କରାଯାଇଥିଲା । ଚଢଉରେ ୨୨ଟି ଟିମ ସାମିଲ ଥିଲା । ପ୍ରତି ଟିମରେ ଜଣେ ଅଫିସରଙ୍କ ସହ ୫ଜଣ କର୍ମଚାରୀ ସାମିଲ ଥିଲେ । ଭୁବନେଶ୍ୱରରେ ୧୨ ଓ କଟକରେ ୧୦ଟି ଟିମ ଚଢଉ କରିଥିଲା । ତେବେ ଚଢଉ ବେଳେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଠିକ ନଥିବା ଜଣାପଡିଛି । ସେହିପରି ଅନେକ କୋଚିଂ ସେଂଟରରେ ଆବଶ୍ୟକ ଅନୁଯାୟୀ ଅଗ୍ନିନିର୍ବାପକ ବ୍ୟବସ୍ଥା ନାହିଁ । କେତେକ ସ୍ଥାନରେ ଯନ୍ତ୍ରପାତି ଥିଲେ ମଧ୍ୟ ତାହା କାମ କରୁନାହିଁ । ବହୁ ସ୍ଥାନରେ ଘର, ଅଗଣା କିମ୍ବା ସିଡ଼ି ନିକଟରେ ଦହନୀୟ ପଦାର୍ଥ ଅର୍ଥାତ ଟାୟାର, କାର୍ଟୁନ, କାଠ, କାଗଜ ଓ କପଡ଼ା ଆଦି ପଡି ରହିଛି, ଯାହା ଯିବା ଆସିବା ବାଟକୁ ଅବରୋଧ କରୁଛି । ଏପରି କୌଣସି ସ୍ଥାନରେ ପିଲାଙ୍କ ଲାଗି ସତର୍କ ସୂଚନା ଫଳକ ମଧ୍ୟ ନାହିଁ । ଏଭଳି ଅବ୍ୟବସ୍ଥା ଘେରକରେ ଥିବା କୋଚିଂ ସେଣ୍ଟରଗୁଡିକୁ ୧୫ଦିନିଆ ନୋଟିସ ଜାରି କରାଯାଇଛି । ତୁରନ୍ତ ଅଗ୍ନିନିରାପତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି । ଏଥିସହିତ ପିଲାମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ନିଆଁ ଲାଗିଲେ କେମିତି ନିଜକୁ ବଂଚାଇବେ ଓ ନିଆଁକୁ କିପରି ଆୟତ କରିବେ ସେନେଇ ସଚେତନ କରାଯାଇଛି । ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଓ ପରିଚାଳନା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । କେବଳ ଛାତ୍ରଛାତ୍ରୀ ନୁହେଁ ବରଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଚେତନ କରାଯାଇଥିଲା । ତେବେ ଏହି ଚଢଉ ଆଗକୁ ଜୋରଦାର କରାଯିବା ସହ ପିଲାମାନଙ୍କୁ ସଚେତନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଭଳି କରିବା ଦ୍ୱାରା ରାଜ୍ୟର ବହୁମୂଲ୍ୟ ଧନଜୀବନକୁ ରକ୍ଷା କରାଯାଇପାରିବ ବୋଲି ବିଭାଗ ଆଶା ରଖିଛି ।

ରିପୋର୍ଟ : ଆକାଶ ମିଶ୍ର