୩୦ତମ ଗ୍ରାମୀଣ ମେଳାରେ ଆୟୋଜିତ ହେଲା ଉତ୍କଳ-ବଙ୍ଗ ମୈତ୍ରୀ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏକତା, ବନ୍ଧୁତ୍ୱ, କଳା, ସଂସ୍କୃତି ଓ ଭାଷା ସୁରକ୍ଷା କ୍ଷେତ୍ରରେ ଉତ୍କଳ-ବଙ୍ଗ ମୈତ୍ରୀ ଉତ୍ସବ ଏକ ବଳିଷ୍ଠ ମାଧ୍ୟମ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଗତକାଲି ଉପାନ୍ତ ଦାନ୍ତୁନଠାରେ ୩୦ତମ ଗ୍ରାମୀଣ ମେଳାର ୫ମ ଦିବସରେ ଆୟୋଜିତ ମୈତ୍ରୀ ଉତ୍ସବରେ କମିଟିର ମୁଖ୍ୟ ଉପଦେଷ୍ଟା ଅଲୋକ ନନ୍ଦୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଏହି ଗ୍ରାମୀଣ ମେଳା କ୍ରମେ କ୍ରମେ ଆନ୍ତର୍ଜାତୀୟ ମେଳାରେ ପରିବର୍ତ୍ତନ ହୋଇଛି ବୋଲି ପ୍ରକାଶ କରିଥିଲେ । ସାର୍କ ସମୁହର ଦେଶମାନଙ୍କ ମଧ୍ୟରୁ ଚଳିତ ବର୍ଷ ଭାରତକୁ ଛାଡିଦେଲେ ନେପାଳ, ବଙ୍ଗଳାଦେଶ, ଭୁଟାନ୍ ଓ ଆଫଗାନିସ୍ଥାନର ପ୍ରତିନିଧି ମାନଙ୍କ ସହିତ ଦେଶର ୨୦ଟି ରାଜ୍ୟର କଳାକାରମାନେ ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକ ମାନଙ୍କ ମନୋରଂଜନ କରିବା ସଂଗେ ସଂଗେ ଭାତୃତ୍ୱର ବନ୍ଧନକୁ ସୁଦୃଢ କରିପାରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ସଭ୍ୟ ଅଧ୍ୟାପକ ରବିନ୍ଦ୍ର କୁମାର ବେହୁରିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍କଳ ସମ୍ମିଳନୀର କୋଷାଧ୍ୟକ୍ଷ ବିମଳ ଚନ୍ଦ୍ର ଷଡଙ୍ଗୀ, ଉତ୍କଳ-ବଙ୍ଗ ମୈତ୍ରୀ ସଙ୍ଗଠନର ସମ୍ପାଦକ ସୁକୁମାର ରଣା, ଉତ୍କଳ ସମ୍ମିଳନୀ ବାଲେଶ୍ୱର ଜିଲାର କାର୍ଯ୍ୟକର୍ତ୍ତା ନିରଞ୍ଜନ ରାଉତ, ବ୍ରଜକିଶୋର ପ୍ରଧାନ, ଭଦ୍ରକ ଜିଲାର ସମ୍ପାଦକ ବାବୁଲାଲ ଦାସ, ଫକୀରମୋହନ ସାହିତ୍ୟ ପରିଷଦର ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ, ଶୋଭାରାମପୁର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ବେହେରା, କବି ସୁର୍ଯ୍ୟକୁମାର ନନ୍ଦୀ, ଶିବଶଙ୍କର ସେନାପତି, ଜୀବନକୃଷ୍ଣ ଦାସ ଅଧିକାରୀ ପ୍ରମୁଖ ଅତିଥିରୂପେ ଯୋଗ ଦେଇ ଉଦବୋଧନ ଦେବା ସଂଗେ ସଂଗେ ଓଡିଆ ଓ ବଂଗଳା ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ । ଓଡିଶାରୁ ଯାଇଥିବା ଅଧ୍ୟାପକ ଡ. ଶଙ୍କର ଚରଣ ରାଉତ, ପ୍ରଦୀପ କୁମାର ଦାସ, ଜଳଧର ଭଞ୍ଜ, ନଳିନୀ ମହାପାତ୍ର, ନରୋତ୍ତମ ପ୍ରଧାନ ଓ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ସହିତ ପଶ୍ଚିମବଙ୍ଗର ବିଶ୍ୱଜିତ୍ ଘୋଷ, ପ୍ରଭୁପଦ ପାଣିଗ୍ରାହୀ, ତରୁଣ ସିଂହ ମହାପାତ୍ର, ନବୀନ କୁମାର ପାଲ, ଦେବାଶିଷ ଦାସ ପ୍ରମୁଖ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ପଶ୍ଚିମବଙ୍ଗର ବିଭିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଖୋଲାଯାଇଥିବା ଚାଟଶାଳୀରେ ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ପରିବେଷଣ କରିଥିଲେ । ପ୍ରାରମ୍ଭରେ ସବ୍ୟସାଚୀ ତ୍ରିପାଠୀ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଶେଷରେ ସୁବାଷ ଚନ୍ଦ୍ର ବେରା ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଓଡିଶାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା