ଜଳେଶ୍ୱର (ସମୃଦ୍ଧ ଓଡିଶା) ୩୫-ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୪୯ଟି ବୁଥ ହୋଇଥିବା ବେଳେ ଜଳେଶ୍ୱର ବ୍ଲକର ୧୬୧ଟି, ପୌରପରିଷଦର ୨୦ଟି ଓ ବସ୍ତା ବ୍ଲକର ୬୮ଟି ବୁଥ୍ ରହିଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ୫ଟି ବୁଥକୁ ପ୍ରଥମଥର ପାଇଁ ସଖୀ ବୁଥରୂପେ ପରିଗଣିତ କରାଯାଇ ସଂପୃକ୍ତ ବୁଥ ମାନଙ୍କରେ ମହିଳାମାନଙ୍କୁ ପ୍ରିଜାଇଡିଙ୍ଗ ଓ ପୋଲିଙ୍ଗ ଅଫିସର ରୂପେ ନିଯୁକ୍ତି ପ୍ରଦାନ କରାଯାଇଛି । ସଂପୃକ୍ତ ବୁଥ୍ମାନଙ୍କରେ ଭୋଟର ମାନଙ୍କ ସୁବିଧାପାଇଁ ପାନୀୟ ଜଳ ବ୍ୟବସ୍ଥା, ଛାଇରେ ବସିବାର ବ୍ୟବସ୍ଥା ସାଙ୍ଗକୁ ସମସ୍ତ ଭୋଟରମାନଙ୍କୁ ଗୋଲାପଫୁଲ ଦେଇ ସ୍ୱାଗତ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ସେଗୁଡିକ ହେଲା ଶିଖରପୁର ହାଇସ୍କୁଲ, ଯତୀନ୍ଦ୍ରନାଥ ନୋଡାଲ ୟୁପି ସ୍କୁଲ, ବିରେଶପୁର, ବୈରାଟଆଡି ପ୍ରାଇମେରୀ ସ୍କୁଲ, ଆମ୍ବଳିଅଠା ୟୁଜିୟୁନି ସ୍କୁଲ ଓ ସୁଗୋ ହାଇସ୍କୁଲ ବୋଲି ବିଡିଓ ନିତ୍ୟାନନ୍ଦ ସାହୁ ପ୍ରକାଶ କରିଛନ୍ତି । ଜଳେଶ୍ୱର ବ୍ଲକର ୧୬୧ଟି ବୁଥ୍ ମଧ୍ୟରୁ ୩୮ଟି ସମ୍ବେଦନଶୀଳ ବୁଥି ରହିଥିବାରୁ ବ୍ୟାପକ ପୁଲିସ୍ ବନ୍ଦୋବସ୍ତ କରାଯାଇଛି । ସେହିପରି ଜଳେଶ୍ୱର ପୌରପରିଷଦ ଅଂଚଳରେ ୬ଟି ସଖୀ ବୁଥ୍ ମଧ୍ୟରୁ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ୨ଟି, ଟାଉନ୍ ହାଇସ୍କୁଲରେ ୨ଟି ଓ ଅଲାଲପୁର ମ.ଇ. ବିଦ୍ୟାଳୟରେ ୨ଟି ହେବାର ନିର୍ବାଚନ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ୍ ଅଫିସର ହୃଷିକେଶ ପାଣି ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା