୪ ବନ୍ଧୁକ ବେପାରୀ ଗିରଫ, ୫ ବନ୍ଧୁକ, ୧୩ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର(ସମୃଦ୍ଧ ଓଡିଶା):- ରାଜଧାନୀରେ ବାରମ୍ବାର ଗୁଳି ଫୁଟିଲା ପରେ କମିଶନରେଟ ପୋଲିସ ବନ୍ଧୁକ ବେପାରୀଙ୍କୁ  ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି। ସୋମବାର ବିଳମ୍ବିତ ରାତିରେ ସ୍ପେଶାଲ ସ୍କ୍ବାଡ୍‌ ଏବଂ ପୋଲିସ ମିଣି ୪ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ପୋଲିସ ୫ ବନ୍ଧୁକ, ୧୩ ଗୁଳି, ଗୋଟିଏ ଅଟୋ ଏବଂ ଏକ କାର ଜବତ କରିଛି। ଜବତ ବନ୍ଧୁକ ମଧ୍ୟରେ ୨ଟି ଦେଶୀ ବନ୍ଧୁକ ଥିବାବେଳେ ୩ଟି ପିସ୍ତଲ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲା କଣାସ ଅଞ୍ଚଳର ରାମଚନ୍ଦ୍ର ବାରିକ(୩୦), ଡେଲାଙ୍ଗ କୁଆପଦାର ସଞ୍ଜୟ କୁମାର ଜେନା(୨୫), ଟାଙ୍ଗୀ ପଳାସପୁର ପାଟଣା ଅଞ୍ଚଳର ଜ୍ଞାନରଞ୍ଜନ ସିଂ(୩୫) ଓ  ତାରିଣୀନଗର ସାଲିଆସାହିର ଗୌରାଙ୍ଗ ଚରଣ ସେଠୀ(୩୫)। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ସଞ୍ଜୟ ଖଣ୍ଡଗିରି ଥାନା ନାକାଗେଟ୍‌ ନିକଟରେ ଏକ କାରରେ ବସିଥିଲେ। ସେମାନେ କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଥିଲେ। ଖବର ପାଇ ସ୍ପୋଶାଲ ସ୍କ୍ବାଡ୍‌ ଓ ଖଣ୍ଡଗିରି ପୋଲିସ ସେଠାରେ ଅତର୍କିତ ଚଢାଉ କରିଥିଲେ। ସେମାନଙ୍କୁ ଯାଞ୍ଚ କରାଯିବା ପରେ ସେମାନଙ୍କଠାରୁ ୨ଟି ବନ୍ଧୁକ ଜବତ କରାଯାଇଥିଲା।  ଉଭୟେ ବନ୍ଧୁକ ଡିଲର ବୋଲି ଜଣାପଡିଥିଲା। ସେମାନଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଦଫା ୨୫(ଆଇ)(ବି) ଆମର୍‌ସ ଆକ୍ଟରେ ଏକ ମାମଲା(୫୦୧/୧୮) ରୁଜୁ କରାଯାଇଛି। ସେହିଭଳି ଜ୍ଞାନରଞ୍ଜନ ସିଂ କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ବିକ୍ରି କରିବାକୁ ଯୋଜନା କରିଥିଲେ। ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଥିଲା।ସେହିପରି ସୋମବାର ରାତି ପ୍ରାୟ ସାଢ଼େ ୧୧ଟାରେ ନୟାପଲ୍ଲୀ ଥାନା ଦୁର୍ଗାମଣ୍ଡପ ନିକଟରେ ଗୌରାଙ୍ଗ ଏକ ଅଟୋରେ ବସି ବନ୍ଧୁକ ବେପାର କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଖବର ପାଇ ନୟାପଲ୍ଲୀ ପୋଲିସ ଚଢାଉ କରି ତାଙ୍କୁ ଯାଞ୍ଚ କରିବା ପରେ ତାଙ୍କଠାରୁ ବନ୍ଧୁକ ମିଳିଥିଲା। ଏସବୁ ବନ୍ଧୁକ ବେପାରୀ କେଉଁଠୁ ବନ୍ଧୁକ ଆଣୁଥିଲେ ଏବଂ କେଉଁମାନଙ୍କୁ ଚୋରା ବନ୍ଧୁକ ଯୋଗାଉଥିଲେ ସେନେଇ ପୋଲିସ ଖୋଳତାଡ଼ କରୁଛି। ପୋଲିସ ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ଯେଉଁମାନଙ୍କ ନାମ ପଦାକୁ ଆସିଛି ସେମାନେ ଫେରାର ହୋଇଯାଇଥିବା ଜଣାପଡିଛି।

ରିପୋର୍ଟ:ଆକାଶ ମିଶ୍ର