୪ ବ୍ଲକର ୫ ଲକ୍ଷଲୋକ ନିର୍ଭର କରୁଥିବା ଛତ୍ରପୁର ମେଡିକାଲ ଆଜି ଅବ୍ୟବସ୍ଥା ଘେରରେ: ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକରେ ଉପଜିଲ୍ଲାପାଳଙ୍କ ଉଦବେଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ କମିଟିର ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୪ଟି  ବ୍ଲକର ପ୍ରାୟ ୫ ଲକ୍ଷଲୋକ ନିର୍ଭର କରୁଥିବା ଛତ୍ରପୁରର ଏହି ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଆଜି ଘୋର ଅବ୍ୟବସ୍ଥା ଘେରରେ ଗତିକରୁଥିବାରୁ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକରେ ଉପଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟକୁ ଉନ୍ନତ ମାନର ଚିକିତ୍ସାଳୟ ଭାବେ ଗଢିବା ନିମନ୍ତେ ଡାକ୍ତରମାନଙ୍କ ଠାରୁ ଆରମ୍ଭ ସମସ୍ତ କର୍ମଚାରୀମାନେ ନିଜର ଗୁରୁ ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବା ସହ  ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ଦିଗରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀମାନେ ଆନ୍ତରିକତା ସହ କାର୍ଯ୍ୟକରିବାକୁ ହେବ ବୋଲି ଉପଜିଲ୍ଲାପାଳ କଡା  ନିର୍ଦେଶ ଦେଇଥିଲେ । ଖାଲି ପଡିଥିବା ଡାକ୍ତର ଓ ଅନ୍ୟାନ୍ୟ  କର୍ମଚାରୀ ପଦବୀ ଗୁଡିକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଚିକିତ୍ସାଳୟର ପରିପାଶ୍ୱର୍ ସ୍ୱଚ୍ଛତା, ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ପ୍ରଦାନ, ଆମ୍ବୁଲାନ୍ସ ସେବା ଓ ଅନ୍ୟାନ୍ୟ ସେବା ଉପରେ ଆଲୋଚନା କରିଥିଲେ । ଚିକିତ୍ସାଳୟ ପରିସରରେ ପୁର୍ତ୍ତ ବିଭାଗ ଦ୍ୱାରା ଚାଲିଥିବା ଓପିଡି କୋଠା, ଆଇପିଡି କୋଠା, ପ୍ରଶାସନିକ କୋଠା ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ନିର୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚିକିତ୍ସାଳୟରେ ରହିଥିବା ମୁଖ୍ୟ ଡ୍ରେନଜ୍ ସମସ୍ୟାକୁ ତୁରନ୍ତ ସମାଧାନ କରିବା ଓ ବାକି ରହିଥିବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କମିଟିର ସଦସ୍ୟମାନଙ୍କ ମତାମତ ନେଇ ସମ୍ପାଦାନ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାର ସଦର ମହକୁମା ଛତ୍ରପୁର ହସ୍ପିଟାଲରେ ଦୀର୍ଘ ବର୍ଷ ଧରି ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଏହି ଚିକିତ୍ସାଳୟ ଉପରେ ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ବ୍ଲକ, ଏନ୍ଏସିର ଜନସାଧାରଣ ଏପରିକି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣ ମଧ୍ୟ  ନିର୍ଭର କରନ୍ତି । ୨୨ ଡାକ୍ତରଙ୍କ ଜାଗାରେ ମାତ୍ର ୮ଜଣ ଡାକ୍ତର ରହିଥିବା ବେଳେ ଆଉ ଜଣେ ଡାକ୍ତର ପାର୍ଟ ଟାଇମ୍ ସପ୍ତାହରେ ୨ ଦିନ ରୋଗୀଙ୍କୁ ସମୟ ଦେଉଛନ୍ତି । ସେହିପରି ୨୦ ଷ୍ଟାପ ନର୍ସ ଜାଗାରେ ୧୩ ଜଣ ଅଛନ୍ତି । ଲେବ୍ରୋଟାରୀ ବୈଷୟିକ ୪ ଜଣ ଜାଗାରେ ୨ ଜଣ ଅଛନ୍ତି । ଆଟେଣ୍ଡର ୮ ଜଣ ଜାଗାରେ ୩ ଜଣ ଏବଂ ସୁଇପର ୮ ଜଣ ଜାଗାରେ ୩ ଜଣ ଅଛନ୍ତି । ଏଭଳି ସ୍ଥିତିରେ ଚିକିତ୍ସାଳୟରେ ରୋଗୀଙ୍କ ସେବା କ୍ଷେତ୍ରରେ ବାହ୍ୟାତ ଘଟୁଛି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଏହାର ସୁଧାର ଆଣିବା ପାଇଁ ବାରାମ୍ବାର ଜନସାଧାରଣ ଦାବି କରୁଥିଲେ ସୁଦ୍ଧା ତାହା ପୂରଣ ହୋଇପାରୁନାହିଁ । ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଖାଲି  ପଦବୀ ଗୁଡିକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅନୁଷ୍ଠିତ ବୈଠକରେ ପ୍ରତିଶୃତି ଦେଇଥିଲେ । ବୈଠକର ଆରମ୍ଭରେ ମେଡିକାଲ ଅଧ୍ୟକ୍ଷ କାହ୍ନୁ ଚରଣ ପାତ୍ର ସ୍ୱାଗତ ଭାଷଣ ଦେବାସହ ରୋଗୀ କଲ୍ୟାଣ ସମିତି ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରିଥିଲେ । ହସ୍ପିଟାଲର ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଗତ ବୈଠକର ବିବରଣୀ ପାଠ କରି ଚଳିତ ବୈଠକର ଏଜେଣ୍ଟା ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତା, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜଗୋପାଳ, ଏବିଇଓ ସିତାରାମ ପାତ୍ର, ଜନସ୍ୱାସ୍ଥ୍ୟ ବିଭାଗର ଡିଇଇ ଦେବଦତ୍ତ ସାହୁ, ସ୍ୱାସ୍ଥ୍ୟ ନିରୀକ୍ଷକ ଗୌରହରୀ ପଣ୍ଡା, ରୋଗୀ କଲ୍ୟାଣ ସମିତିର ସଦସ୍ୟ ପଦ୍ମ ଚରଣ ବେହେରା, ରବୀନ୍ଦ୍ର ନାଥ ପଣ୍ଡା , ବସନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା