ଛତ୍ରପୁର (ସମୃଦ୍ଧ ଓଡିଶା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମର ଭୁଜବଳ ସାହିର ପାଞ୍ଚ ବର୍ଷର ଝିଅ ମାମା ନାୟକ ପେଟରେ ମାଂସ ପିଣ୍ଡୁଳା ବଢୁଥିବା ସମ୍ପର୍କିତ ଖବର ଗତ ୧୧/୧୦/୨୦୨୦ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଗୁନିଆପଡା ବିଡ଼ିଓ ଓ କୋଦଳା ତହସିଲଦାରଙ୍କୁ ଏହାର ତଦନ୍ତ ପାଇଁ ନିର୍ଦେଶ ଦେବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିର୍ଦେଶ ଆସିବା ପରେ କୋଦଳାର ପ୍ରାକ୍ତନ ତହସିଲଦାର ପ୍ରଭାତ କୁମାର ପରିଡା ଓ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ ମାମା ଘରେ ପହଞ୍ଚି ତାକୁ ରେଡ଼କ୍ରସ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା ଦେବା ସହ ତା ପାଇଁ ଏକ ସ୍ୱତନ୍ତ୍ର ରାସନ କାର୍ଡ ମଧ୍ୟ କରାଯାଇଥିବା ଜଣାପଡିଛି । ଏହାସହ ତାକୁ ଚିକତ୍ସା କରାଇବା ପାଇଁ କୋଦଳା ମେଡିକାଲର ରାଷ୍ଟ୍ରୀୟ ବାଲ ସୁରକ୍ଷା ଯୋଜନାରେ ଥିବା ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଥିଲା l ଉକ୍ତ ଡାକ୍ତର ମାମାକୁ ନେଇ ପ୍ରଥମେ ବ୍ରହ୍ମପୁର ଏମକେସିଜିରେ ଦେଖାଇବା ପରେ ତାକୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା । ପରେ ତାକୁ କଟକ ନିଆଯିବା ପରେ ଘରକୁ ଅଣାଯାଇଥିଲା । ଚିକତ୍ସାରେ ବିଳମ୍ବ ହେବା ପରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ଜୟ ଜଗନ୍ନାଥ ଗ୍ରୁପ‘ ବର୍ତ୍ତମାନ ମାମାର ଚିକତ୍ସା ପାଇଁ ସାହାଯ୍ୟର ହାତ ବଢେଇଥିବା ଜଣାପଡିଛି । ଆଗରୁ ମାମାକୁ ମେଡିକାଲ ନେବା ପାଇଁ ତାକୁ ୪୦୦୦/- ଦେବା ପରେ ଗତକାଲି ତାକୁ ବ୍ରହ୍ମପୁର ଏମକେସିଜିକୁ ନେଇ ପରେ ସିଡିଏମଓଙ୍କ ସହ ମିଶି ତାକୁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ଆଣିବା ସହ ସିଡିଏମଓଙ୍କ ସହ ଆଲୋଚନା କରି କୋଦଳା ସ୍ଥିତ ଆରବିଏସକେ ଡାକ୍ତରଙ୍କ ସହ ଆଲୋଚନା କରି ଆସନ୍ତାକାଲି ତାକୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ନେବା ପାଇଁ କହିଛନ୍ତି ଓ ଏହା ଜୟ ଜଗନ୍ନାଥ ଗ୍ରୁପର ସଦସ୍ୟଙ୍କ ଉପସ୍ଥିତିରେ ହେବ ବୋଲି ଉକ୍ତ ସଂସ୍ଥାର ମୁଖ୍ୟ ଶିବ ଶଙ୍କର ଦାଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପିଲାଟିର କଷ୍ଟ ଦିନକୁ ଦିନ ବୃଦ୍ଧି ପାଉଛି ଏଣୁ ତାର ଚିକତ୍ସାରେ ବିଳମ୍ବ ଯୋଗୁଁ ସେମାନେ ଏହି ମହତ କାମକୁ ହାତକୁ ନେଇଛନ୍ତି । ଆଜି ସେମାନେ ପିଲାଟିକୁ ଧରି ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସକାଶେ ଆବେଦନ କରିବା ପାଇଁ ଯାଇଥିଲେ କିନ୍ତୁ ସେ ମିଟିଙ୍ଗରେ ବାହାରେ ଥିବା ଯୋଗୁଁ ଜିଲ୍ଲାପାଳଙ୍କ ସହ ଦେଖା ହୋଇପାରିଲା ନାହିଁ । କିନ୍ତୁ ପର ମୁହୂର୍ତ୍ତରେ ସେମାନେ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି କହିଛନ୍ତି ।ଅପର ପକ୍ଷରେ ଆସନ୍ତାକାଲି ମାମାକୁ ଏମ୍ସ ନିଆଯିବା ସହ ସେଠାରେ ତାର ଚିକତ୍ସା କରାଯିବ ବୋଲି ସେ କହିଛନ୍ତି କିନ୍ତୁ ସରକାରୀ ସହାୟତା ମଧ୍ୟ ଆବଶ୍ୟକ ରହିଛି ବୋଲି କହିଛନ୍ତି । ଏହାସହ ମାମାର ଚିକତ୍ସା ପାଇଁ ସମସ୍ତେ ସହଯୋଗର ହାତ ବଢାଇବା ସହ ତା ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିବାକୁ ସେ କହିଛନ୍ତି । ମାମାର ବାପା ନିରଞ୍ଜନ ନାୟକ ଓ ମାଆ ଝୁମୁରି । ତାଙ୍କର ୩ଟି ଝିଅ ।ମାମା ଜନ୍ମ ବେଳେ ତାର ପେଟରେ ଏକ ଛୋଟ ଆବୁ ଦେଖାଦେଇଥିଲା ଏବଂ ତାହା ଧୀରେ ଧୀରେ ବଡ ହୋଇ ଚାଲିଥିଲା କିନ୍ତୁ ତାଙ୍କର ଅର୍ଥ ଅଭାବ ରହିଥିବା ଯୋଗୁଁ ପରିବାର ଲୋକେ ମାମାର ଚିକତ୍ସା କରାଇପାରିନଥିଲେ । ବର୍ଷ ପରେ ବର୍ଷ ବିତି ବର୍ତ୍ତମାନ ମାମାକୁ ୫ ବର୍ଷ ବୟସ ଚାଲିଛି l ତିନି ବର୍ଷ ପୂର୍ବେ ସ୍ୱତନ୍ତ୍ର ମେଡିକାଲ ପ୍ରତିନିଧି ଆସି ତାକୁ ଚିକତ୍ସା ପାଇଁ କହିଥିଲେ ବି ତାହା ସମ୍ପୂର୍ଣ୍ଣ କରିନଥିଲେ l ଦୁଇ ବର୍ଷ ପୂର୍ବେ ବାପା ନିରଞ୍ଜନ କୁଆଡେ ଯାଇଛନ୍ତି ଯେ ତାଙ୍କର ଖୋଜ ଖବର ନାହିଁ । ମାମା ବିଦ୍ୟାଳୟ ଯିବା ବୟସ ହୋଇଥିଲେ ବି ଏହି ମାଂସ ପିଣ୍ଡୁଳାକୁ ବୋହି ଚାଲିପାରିବା ତା ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତାଙ୍କ ପରିବାର ସମ୍ପୂର୍ଣ୍ଣ ଗରିବ ଶ୍ରେଣୀର ହୋଇଥିବା ବେଳେ ରୋଜଗାର ବିନା ଚାରି ପ୍ରାଣୀ ଚଳିବା ବହୁତ କଷ୍ଟ ହୋଇପଡୁଛି । ୫ ହାତର ଘର ଉପରେ ଆଜବେଷ୍ଟସ ପଡିଛି ସିନା ଚଟାଣ ମାଟି ଲିପା ହୋଇଛି । ସେପଟେ ମାମାର କଷ୍ଟ ଦେଖି ମା ଅସହ୍ୟ କଷ୍ଟ ପାଉଥିଲେ ବି ପିଲାର ଚିକତ୍ସା ପାଇଁ ଅର୍ଥର ଅଭାବ ତାଙ୍କ ପାଇଁ ବିରାଟ ଚିନ୍ତାର ପାହାଡ ଠିଆ କରିଛି । ଏଣୁ ମାମାର ଚିକତ୍ସା ପାଇଁ ପ୍ରଶାସନ ସହାୟତାର ହାତ ବଢାଇବା ପାଇଁ ଝୁମୁରି ନିବେଦନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା