ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ଭୋର ୪ଟା ସମୟରେ ୬୦ନଂ ଜାତୀୟ ରାଜପଥର ଏକତାଳିଠାରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଚିପ୍ସ ବୋଝେଇ ଡମ୍ପରକୁ ଏକ ମିନିଟ୍ରକ ପଛପଟୁ ବାଡେଇବାରୁ ଏହାର ଡ୍ରାଇଭର ତଥା ମାଲିକ ପଶ୍ଚିମବଂଗର ଚୌଧୁରୀପଡା ଗାଁର ସ୍ୱର୍ଗତ ଭୋଳା ରାଜଭରଙ୍କ ଏକମାତ୍ର ପୁତ୍ର ଗୌତମ ରାଜଭର (୨୬) ମୃତ୍ୟୁବରଣ କରିଛନ୍ତି । ଘଟଣାରୁ ପ୍ରକାଶ ବାଲେଶ୍ୱରରୁ କଲିକତା ଅଭିମୂଖେ ଯାଉଥିବା ଡବ୍ଲୁବି-୨୩ଇ-୭୩୦୧ ମିନି ଟ୍ରକ୍ଟି ଏକତାଳିଠାରେ ଡମ୍ପରକୁ ବାଡେଇଥିଲା । ଦୁର୍ଘଟଣାଗ୍ରସ୍ଥ ମିନି ଟ୍ରକରେ ପାଣି ବୋତଲ ତିଆରି ସାମଗ୍ରୀ ଯାଉଥିବା ବେଳେ ଦୁର୍ଘଟଣାରେ ସେ ଗୁଡିକ ରାସ୍ତାପାଖରେ ବିଛାଡି ହୋଇ ପଡିଥିଲା । ଘଟଣା ଜଣାଯିବା ପରେ ଜଳେଶ୍ୱର ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ସ୍ଥାନୀୟ ଜିକେଭଟ୍ଟର ଡାକ୍ତରଖାନାରେ ଭତ୍ତି କରିଥିଲା । ମାତ୍ର ସେଠାରେ ଥିବା କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଶବକୁ ବ୍ୟବଚ୍ଛେଦ କଲାପରେ ପଶ୍ଚିମବଂଗର ୨୪ ପ୍ରଗଣା ଜିଲାର ଗୋଲା ଅଂଚଳର ଆଶିଷ କୁମାର ଆଚାର୍ଯ୍ୟଙ୍କୁ ହସ୍ତାନ୍ତର କରିଛି । ମାତ୍ର ଚିପ୍ସ୍ ବୋଝେଇ ହୋଇଥିବା ଡମ୍ପରଟି ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାଯାଇଛି । ଦୁର୍ଘଟଣା ସଂପର୍କରେ ଏଏସ୍ଆଇ ସତ୍ୟନାରାୟଣ ବଳ ଜଳେଶ୍ୱର ଥାନାରେ ଶ୍ରୀ ଆଚାର୍ଯ୍ୟଙ୍କ ଅଭିଯୋଗ ମୂଳେ ଏକ କେସ୍ ୭୬/୧୯ ରୁଜୁ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା