ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦେଶରେ କରୋନା କବଳରେ କବଳିତ ଥିବା ବେଳେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏଥିରେ ଶିଶୁ, ବୟସ୍କ ଓ ବୃଦ୍ଧମାନେ ଅଧିକାଂଶ କ୍ଷେତ୍ରରେ ଆକ୍ରାନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁବାର ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଆଇନଜୀବୀ କୋର୍ଟ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସଂପୃକ୍ତ ଆଇନଜୀବୀମାନଙ୍କୁ ଅନୁରୋଧ କରାଯିବ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଆଜି ହାଇକୋର୍ଟ ରେଜିଷ୍ଟ୍ରି, ଆଡଭୋକେଟ ଜେନେରାଲ ଓ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତିନିଧିଙ୍କ ମଧ୍ୟରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତି ଆଧାରରେ ୬୫ ବର୍ଷରୁ ଅଧିକ ବୟସ୍କ ଆଇନଜୀବୀଙ୍କୁ କୋର୍ଟକୁ ନ ଆସିବାକୁ ଅନୁରୋଧ କରାଯାଇଛି । ଯଦି ଏଭଳି ବୟସ୍କ ଆଇନଜୀବୀ ଘରେ ଥାଇ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ କୋର୍ଟରେ ଉପସ୍ଥିତ ରହି ମାମଲା ପରିଚାଳନା ପାଇଁ ଚାହିଁବେ, ତେବେ ସେମାନଙ୍କୁ ସେଣ୍ଟ୍ରାଲ ପ୍ରୋଜେକ୍ଟ କୋଅର୍ଡିନେଟର ଲିଙ୍କ୍ ପ୍ରଦାନ କରିବେ । ଏ ନେଇ ଆଇନଜୀବୀଙ୍କୁ ଇ-ମେଲ ମାଧ୍ୟମରେ ସବିଶେଷ ତଥ୍ୟ ଲିଖିତ ଆକାରରେ ହାଇକୋର୍ଟରେ ଦାଖଲ କରିବାକୁ ପଡିବ । କେସ୍ ନମ୍ବର, ଲିଷ୍ଟର ଆଇଟମ୍ ନମ୍ବର, ଖଣ୍ଡପୀଠ, ଯୋଗାଯୋଗ ମୋବାଇଲ ନମ୍ବର, ଯେଉଁ ଇ-ମେଲ ଆଇଡିକୁ ଭିଡିଓ କନଫରେନ୍ସିଂ ଲିଙ୍କ ପଠାଯିବ ତାର ଠିକଣା ଦାଖଲ କରିବାକୁ ହେବ । ଏହାସହ କାର୍ଯ୍ୟ ଶେଷ ହେବା ପରେ କୋର୍ଟ ପରିସରରେ ଉପସ୍ଥିତ ନ ରହିବାକୁ ବାର୍ ଆସୋସିଏସନ୍ ପକ୍ଷରୁ ସମସ୍ତ ଆଇନଜୀବୀଙ୍କ ଅନୁରୋଧ କରାଯିବ । ଆହୁରି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ସମୟରେ ଭିଡିଓ କନଫରେନ୍ସ କୋର୍ଟ ହଲରେ ସାମାଜିକ ଦୂରତ୍ବ ବଜାୟ ରଖି ୪ରୁ ୫ ଜଣ ଆଇନଜୀବୀ ଉପସ୍ଥିତ ରହିବା କୁ ଅନୁରୋଧ କରାଯାଇଛି । ଯଦି କୌଣସି ସେକ୍ସନରେ ୫ ଜଣରୁ ଅଧିକ କର୍ମଚାରୀ, ଆଇନଜୀବୀ, ମହକିଲ ଏକତ୍ରିତ ହୋଇଥିବେ ତେବେ ସଂପୃକ୍ତ ସ୍ଥାନକୁ ଯଥାଶୀଘ୍ର ନିୟମିତ ଭାବେ ସାନିଟାଇଜ୍ କରାଯିବା ନେଇ ଆସିଷ୍ଟାଣ୍ଟ ରେଜିଷ୍ଟର ସୁନିଶ୍ଚିତ କରିବେ । ଉପଯୁକ୍ତ ସାନିଟାଇଜେସନ୍ ପରେ କେସ୍ ରେକର୍ଡ ବିଚାରପତିଙ୍କ ନିକଟରେ ଉପସ୍ଥାପନ ସୁନିଶ୍ଚିତ କରାଯିବ ।
ରିପୋର୍ଟ : ଆକାଶ ମିଶ୍ର