୭ହାତୀ ମୃତ୍ୟୁ ମାମଲାରେ ୬ଜଣ ନିଲମ୍ବନ, ଜଣଙ୍କର ଚାକିରୀ ଗଲା…

ଢେଙ୍କାନାଳ (ଶୁଭମ ପାଣି): ଓଡ଼ିଶାରେ ହାତୀମାନଙ୍କ ପାଇଁ ଏବେ ବିପଦ ଘନେଇଛି । ବିଦ୍ୟୁତ ଆଘାତରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ଗୋଟି  ହାତୀଙ୍କର ମୃତ୍ୟୁ ଘଟିଛି । ଯାହା କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱର ବନ୍ୟପ୍ରାଣୀ ପ୍ରେମୀଙ୍କୁ ଦାରୁଣ ଆଘାତ ଦେଇଛି । ଏହି ଘଟଣାରେ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ବହିଷ୍କୃତ କରିଥିବା ବେଳେ ୬ ଜଣଙ୍କୁ ନିଲମ୍ବିତ କରିଛନ୍ତି । ସେସୁର ଢେଙ୍କାନାଳ ସର୍କଲର ଇଲେକ୍ଟ୍ରିକାଲ୍‌ ଜିଏମ୍‌ ନରେଶ ଚନ୍ଦ୍ର ପଟ୍ଟନାୟକ, ଚାଇଁପାଳ ଏସ୍‌ଡିଓ ଆର୍ତ୍ତତ୍ରାଣ ନାୟକ, ଲାଇନ୍‌ ମ୍ୟାନ ଫିରୋଜ ପଣ୍ଡା, ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳୀ ଫରେଷ୍ଟର ପ୍ରଭାକର, ମେରାମୁଣ୍ଡଳୀ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମେରାମୁଣ୍ଡଳୀ କନିଷ୍ଠ ଅଧିକାରୀ ସଞ୍ଜୟ ମହାନ୍ତିଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀମାନେ ଗ୍ରାମାଭିମୁଖୀ ହେଉଛନ୍ତି। ଗତକାଲି ରାତିରେ ଢେଙ୍କାନାଳ ସଦର ରେଞ୍ଜରୁ ୧୩ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ। ମାତ୍ର ଅଳ୍ପ ଉଚ୍ଚରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ହାତୀମାନେ ପଳାଇ ଯାଇଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ପିସିସିଏଫ ସନ୍ଦୀପ ତ୍ରିପାଠୀ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି । ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପିସିସିଏଫ୍‌ ପ୍ରେସ୍‌ ରିଲିଜ୍‌ରେ କହିଛନ୍ତି। ସେହିପରି ଟ୍ରାନ୍ସମିଶନ ଲାଇନ୍‌କୁ ମଧ୍ୟ କେବୁଲିଂ କରାଯାଇ ନାହିଁ । ଗତବର୍ଷ ଏ ସମ୍ପର୍କରେ ଢେଙ୍କାନାଳ ଡିଏଫ୍ଓ ସେସୁକୁ ଜଣାଇଥିଲେ। ହେଲେ ସେସୁ କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ପିସିସିଏଫ୍‌ କହିଛନ୍ତି। ୭ ହାତୀଙ୍କ ମୃତ୍ୟୁ ଘଟଣାରେ ୩ଟି ବିଭାଗକୁ ରିପୋର୍ଟ ତଲବ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ରେଳ ବିକାଶ ନିଗମ, ସେସୁ ଓ ବନବିଭାଗକୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥିପାଇଁ ସିଧାସଳଖ ସେସୁକୁ ଦାୟୀ କରିଛନ୍ତି । ସେ କହିଛନ୍ତି-“ପିସିସିଏଫ୍‌ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ସତ୍ୟ। ତାର ଓହଳିଥିବା ନେଇ ପୂର୍ବରୁ ସେସୁ ପାଖରେ ଅଭିଯୋଗ କରାଯାଇଥିଲା। ଏପରିକି ସ୍ଥାନୀୟ ଲୋକେ ମଧ୍ୟ ସେସୁ ପାଖରେ ଆପତ୍ତି ଜଣାଇଥିଲେ। କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। ଯେଉଁଥିପାଇଁ ଆଜି ଏତେବଡ଼ ଦୁର୍ଘଟଣା ଘଟିଲା। ଅନ୍ୟପକ୍ଷରେ ଜଙ୍ଗଲ ଭିତରେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ ତାର କେବୁଲିଂ ଓ ଖୁଣ୍ଟ ସିଧା କରିବା ପାଇଁ ୨୦୧୩ ମସିହାରୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ ମଧ୍ୟ ସେମାନେ ଅବହେଳା କରୁଛନ୍ତି।” ସେପେଟ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି-“ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଢେଙ୍କାନାଳ ପଠା ଯାଇଛି। ସେମାନେ ତଦନ୍ତ କରି ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି, ସେହି ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଦିଆଯାଇନାହିଁ। ରେଳ ବିଭାଗର କନ୍‌ଷ୍ଟ୍ରକ୍‌ସନ୍‌ କାମକୁ ଅସ୍ଥାୟୀ ଭାବେ ବିଜୁଳି ଯୋଗାଇ ଦିଆଯାଇଥିଲା। ହାତୀ ମୃତ୍ୟୁ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି ଦୁଇ ବିଦ୍ୟୁତ ଡିଭିଜନ୍‌। ଢେଙ୍କାନାଳ ବିଦ୍ୟୁତ୍‌ ଡିଭିଜନ୍‌, ତାଳଚେର ଡିଭିଜନ୍‌କୁ ଦୋଷ ଦେଉଥିବା ବେଳେ ତାଳଚେର ଡିଭିଜନ୍‌ ଢେଙ୍କାନାଳ ଡିଭିଜନ ଉପରେ ଦୋଷ ଲଦିଛି। ଯେଉଁ ଜାଗାରେ ହାତୀଗୁଡ଼ିକ ପ୍ରାଣ ହରାଇଛନ୍ତି ସେହି ଜାଗାକୁ ନେଇ ଦୁଇ ଡିଭିଜନ ଭିତରେ ଟଣାଓଟରା ଲାଗିଛି। ୭ଟି ହାତୀ ମରି ଯାଇଥିଲେ ମଧ୍ୟ କେହି ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। କାହା ଭୁଲ୍‌ ଯୋଗୁ ଏତେ ବଡ଼ ଘଟଣା ଘଟିଲା, ତାକୁ ସ୍ୱୀକାର କରିବାକୁ ଦୁଇ ଡିଭିଜନର ଅଧିକାରୀ ନାରାଜ। ଗତ ୧୮ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଆଘାତରେ ୧୭୫ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି। ବର୍ଷକୁ ହାରାହାରି ୧୧ରୁ ଅଧିକ ହାତୀ ବିତ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି। ଗତ ସେପ୍ଟେମ୍ୱର ୫ ତାରିଖରେ ଯାଜପୁର ଡାଲିଯୋଡ଼ା ରେଞ୍ଜର ବଡ଼ପୋଖରୀ ଗାଁରେ ବିଦ୍ୟୁତ ଆଘାତରେ ୨ଟି ହାତୀର ମୃତ୍ୟୁ ହୋଇଥିଲା। ସେପ୍ଟେମ୍ୱର ୧୯ ତାରିଖରେ ବଲାଙ୍ଗିର ଜିଲ୍ଲା ଦେଓଗାଁର ଉପରଝରା ଗାଁରେ ବିଦ୍ୟୁତ ତା’ର ଲାଗି ଗୋଟିଏ ହାତୀ ପ୍ରାଣ ହରାଇଥିଲା। ୨୦୧୭ରେ ଝାରସୁଗୁଡ଼ାରେ ବିଦ୍ୟୁତ ଆଘାତରେ ୧୩ଟି ହାତୀ ପ୍ରାଣ ହରାଇଥିଲେ। ୨୦୧୭ ଅକ୍ଟୋବର ୨୩ ତାରିଖରେ ଝାରସୁଗୁଡ଼ା ବାଗିଡିହିରେ ମାଆ ଓ ଶିଶୁ ହାତୀ ବିଦ୍ୟୁତ ତାରରେ ଲାଗି ପ୍ରାଣ ହରାଇଥିଲେ। ୨୦୧୭ ଜୁନ୍ ୧୦ତାରିଖରେ ଢେଙ୍କାନାଳ ରେଞ୍ଜରେ ତିନିଟି ହାତୀ ବିଦ୍ୟୁତ ଆଘାତରେ ମରିଥିଲେ। ୨୦୧୬ ଜୁନ୍ ୭ରେ ହିନ୍ଦୋଳରେ ଗୋଟିଏ ହାତୀ ବିଦ୍ୟୁତ ତାର ଲାଗି ପ୍ରାଣ ହରାଇଥିଲା। ୨୦୧୬ ଜୁଲାଇ ୧୦ ତାରିଖରେ ଡାଲିଯୋଡ଼ା ରେଞ୍ଜର ଶ୍ରୀକ୍ଷେତ୍ର ଗାର୍ଡେନ ପରିସରରେ ଦୁଇଟି ହାତୀ ପ୍ରାଣ ହରାଇଥିଲେ।