୭୨ ତମ ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ମହା ସମାରୋହରେ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାମାଜିକ ଦୂରତ୍ବ, ମାସ୍କ ପରିଧାନ ଓ ସାନିଟାଇଜର୍ ବ୍ୟବହାର କରି କୋଭିଡ୍ କଟକଣା ନିୟମ ଅନୁଯାୟୀ ଜନରାଜ୍ୟ ଦିବସ ପାଳନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରାପ୍ତ ନିର୍ଦ୍ଦେଶ ଅନୁସାରେ ଛତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ ସାଇନ୍ ମାଧ୍ୟମରେ ସାଧାରଣଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜନରାଜ୍ୟ ଦିବସ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ୍ ପରିବେଷଣ, ଘ.୭.୧୫ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟ ଅତିଥି ପୂର୍ବାହ୍ନ ଘ.୮.୩୦ମି. ସମୟରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି କରୋନା ଯୋଦ୍ଧା ଓ ଉପସ୍ଥିତ ସିମୀତ ଜନତାଙ୍କୁ ଉଦ୍ବୋଧନ ଦେବା ସହ ଅଭିବାଦନ ଗ୍ରହଣ କରିବେ । କରୋନା କଟକଣା ଯୋଗୁଁ ପ୍ୟାରେଡ୍ ରେ କେବଳ ପୋଲିସ୍ ବାହିନୀ ଦ୍ବାରା ଅଭିବାଦନ ଗ୍ରହଣ କରାଯିବ । ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଗତ ସ୍ବାଧୀନତା ଦିବସରେ ଯେପରି କୋଭିଡ୍ ନିୟମ ଅନୁଯାୟୀ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ସେହିପରି ଚଳିତ ଜନରାଜ୍ୟ ଦିବସରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ତିନିଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ପତାକା ଉତ୍ତୋଳନ କରାଇବେ । କୋଭିଡ୍ ଯୋଦ୍ଧା ମାନଙ୍କୁ ବ୍ଲକ୍ ସ୍ତରରେ ସମ୍ମାନୀତ କରାଯିବ । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଜାନୁୟାରୀ ୨୬ ତାରିଖ ସଂଧ୍ୟା ସମୟରେ ସମସ୍ତ ସରକାରୀ ପ୍ରତିଷ୍ଠାନ, ବ୍ୟାବସାୟୀକ ପ୍ରତିଷ୍ଠାନ ଏବଂ ସହର ଦୋକାନ ବଜାରରେ ଆଲୋକ ସଜ୍ଜା କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଲାଇନ୍ ବିଭାଗୀୟ ଅଧିକାରୀ କର୍ମକର୍ତ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଗଣ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମର ପ୍ରସ୍ତାବ ଆଗତ କରି ବୈଠକଟିକୁ ପରିଚାଳନା କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା