

କଟକ (ସମୃଦ୍ଧ ଓଡିଶା) ୭୨ ତମ ରାଜ୍ୟସ୍ତରୀୟ ପୋଲିସ କ୍ରୀଡା ପ୍ରତିଯୋଗିତା ଆଜି ଅପରାହ୍ନରେ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆନୁଷ୍ଠାନିକ ଭାବରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ କୃତୀ କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟ ଅତଥିି ଅଜୟ ତାଙ୍କ ବକ୍ତବ୍ୟରେ ଖେଳାଳିମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହିତ ଓଡିଶା ପୋଲିସର ନାମ ଉଜ୍ୱଳ କରିବାକୁ ପରାମର୍ଶ ଦେଇଥିଲେ । ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତୀ ଖେଳାଳିଙ୍କୁ ଅଭୟ ଅଭିନନ୍ଦନ ଜଣାଇଥିଲେ । ଚଳିତ ବର୍ଷ ଓଡିଶା ପୋଲିସ ପାଇଁ ଗୌରବ ଆଣିଥିବା କିଛି କୃତୀ କ୍ରୀଡାବିତ୍ ଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ବ୍ରହ୍ମପୁର ପୋଲିସ ଜିଲ୍ଲାର କନଷ୍ଟେବଳ ମିନତୀ କୁମାରୀ ମିଶ୍ର, ଗଞ୍ଜାମ ପୋଲିସ ଜିଲ୍ଲାର କନଷ୍ଟେବଳ ଜୀତେଶ କୁମାର ଦାଶ, ପୁରୀ ପୋଲିସ ଜିଲ୍ଲାର କନଷ୍ଟେବଳ ରଶ୍ମି ରଞ୍ଜନ ସାହୁ, ୮ମ ସ୍ୱତନ୍ତ୍ର ଆଇ.ଆର ବାଟାଲିୟନର କନଷ୍ଟେବଳ ଅଶୋକ ଦଣ୍ଡ ସେନା, କଟକ ପୋଲିସ ଜିଲ୍ଲାର ସବ୍-ଇନିସପେକ୍ଟର ପ୍ରମିଳା ପ୍ରଭା ମିଞ୍ଜ ଓ କନଷ୍ଟେବଳ ସଂଯୁକ୍ତା ଡୁଙ୍ଗ୍ ଡୁଙ୍ଗ୍, କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର କନଷ୍ଟେବଳ ମଞ୍ଜୁଳା ସେସ, ୨ୟ ଆଇ.ଆର ବାଟାଲିୟନ ରାୟଗଡାର ହାବିଲଦାର ବିଷ୍ଣୁ ଶ୍ରେଷ୍ଠ, ଓ.ଆଇ.ଏସ.ଏଫ ର କନଷ୍ଟେବଳ ବର୍ଷା ନାଥ, ସମ୍ବଲପୁର ପୋଲିସ ଜିଲ୍ଲାର କନେଷ୍ଟବଳ ତପସ୍ୱିନୀ ପଟେଲ, ୨ୟ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ କେନ୍ଦୁଝରର ଭିସ୍ତୀ ଜୟଦେବ ମଲ୍ଲିକ ଓ ଓଡିଶା ପୋଲିସ ହକି ଦଳର ଖେଳାଳିଙ୍କୁ ଏହି ଅବସରରେ ସେମାନଙ୍କ ଜାତୀୟ ସ୍ତରର ସଫଳତା ପାଇଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଷଷ୍ଠ ଓ.ଏସ.ଏ.ପି ବାଟାଲିୟନ କଟକ ପୁରୁଷ ବିଭାଗରେ ଦଳଗତ ଚମ୍ପିୟାନ ଟ୍ରଫି ହାସଲ କରିଥିବା ବେଳେ, ୪ର୍ଥ ଓ.ଏସ.ଏ.ପି ବାଟାଲିୟନ ରାଉରକେଲାକୁ ରନର୍ସଅପ ଟ୍ରଫି ମିଳିଛି । ସେହିପରି ମହିଳା ବିଭାଗରେ ଓଡିଶା ଶିଳ୍ପ ନିରାପତ୍ତା ବଳକୁ ଚମ୍ପିୟାନ ଟ୍ରଫି ମିଳିଥିବା ବେଳେ କମିଶନରେଟ୍ ପୋଲିସ (କ) ଦଳକୁ ରନର୍ସଅପ ଟ୍ରଫି ମିଳିଛି । ଶ୍ରେଷ୍ଠ ପୁରୁଷ ଖେଳାଳୀ ଭାବେ ୪ର୍ଥ ଓ.ଏସ.ଏ.ପି ବାଟାଲିୟନ ରାଉରକେଲାର ସିପାହୀ ଆଶୁତୋଷ କୁମାର ଓ ଶ୍ରେଷ୍ଠ ମହିଳା ଖେଳାଳୀ ଭାବେ କମିଶନରେଟ୍ ପୋଲିସ (କ) ର କନେଷ୍ଟବଳ ବୋନୀତା ଲାକ୍ରା ହୋଇଛନ୍ତି । ଚଳିତ ବର୍ଷ ୬ଟି ପ୍ରତିଯୋଗିତା ବିଭାଗରେ ନୂତନ ରେକର୍ଡ ସ୍ଥାପନ କରାଯାଇଛି । ପୁରୁଷ ବିଭାଗ ହାମର ଥ୍ରୋରେ ଦ୍ଵିତୀୟ ଓ ତୃତୀୟ ଓ.ଏସ.ଏ.ପି ବାଟାଲିୟନ କୋରାପୁଟର ସିପାହୀ ଯୁଗେଶ କୁମାର ଦାସ ପ୍ରଥମ ସ୍ଥାନ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ହାମର ଥ୍ରୋରେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଖେଳାଳିମାନେ ମଧ୍ୟ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ମହିଳା ହାଇଜମ୍ପରେ ଓଡିଶା ଶିଳ୍ପ ନିରାପତ୍ତା ବଳର କନେଷ୍ଟବଳ ରଶ୍ମିତା ବେହେରା ପ୍ରଥମ ସ୍ଥାନ ହାସଲ କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେହିପରି ମହିଳା ୨୦୦ ମିଟର ଦୌଡରେ କମିଶନରେଟ୍ ପୋଲିସ (କ) ର କନେଷ୍ଟବଳ ବୋନୀତା ଲାକ୍ରା ପ୍ରଥମ ସ୍ଥାନ ଅଧିକାର କରି ନୂଆ ରେକର୍ଡ ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ସମୁଦାୟ ୫୪ ଟି ଦଳରୁ ମୋଟ ୯୪୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଷଷ୍ଠ ଓ.ଏସ.ଏ.ପି ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ ସମ୍ପାଦିକୀୟ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ ଡି.ସି.ପି ତ୍ରିନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ, ଜନସାଧାରଣ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ବୋଲି ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








