ଗାଙ୍ଗପୁର (ସମୃଦ୍ଧ ଓଡିଶା) ଗାଙ୍ଗପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଗତକାଲି ଏକ ଟ୍ରକ୍ ଯୋଗେ ମୋହନାରୁ ଗଞ୍ଜେଇ ଚୋରାଚାଲାଣ ନେଇ ବିଶେଷ ସୂତ୍ରରୁ ସୂଚନା ପାଇ ଏସଂପର୍କରେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଗଞ୍ଜାମ ଏସପି ଓ ଭଞ୍ଜନଗର ଏସଡିପିଓଙ୍କୁ ଖବର ଦେଇଥିଲେ । ଏସପି ବ୍ରିଜେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପୋଲିସ ଟିମ୍ ସହ ସିଙ୍ଗିପୁର-ଇନ୍ଧନପୁର ରାସ୍ତାରେ ଗାଡିକୁ ଅଟକାଇଥିଲେ । ଗାଡିକୁ ଥାନାକୁ ଆଣି ଜେରା କରିଥିଲେ ମଧ୍ୟ ଗଞ୍ଜେଇର ସୁରାକ ପାଇନଥିଲେ । ଭଞ୍ଜନଗର ଏସଡିପିଓ ଉକ୍ରଳ କେଶରୀ ଦାଶ, ଏସଆଇ ସୁଶାନ୍ତ ପ୍ରଧାନ, ଏସଆଇ ସତ୍ୟଜିତ ବେଣିଆ, ଏଏସଆଇ ପତିତପାବନ ପ୍ରଧାନ ଓ ଉଦୟନାଥ ପ୍ରଧାନ ପ୍ରମୁଖ ବାରମ୍ବାର ଜେରା କରିବା ପରେ ଗାଡିରେ ଥିବା ତିନିଜଣ ବ୍ୟକ୍ତି ଗାଡି କ୍ୟାବିନକୁ ଲାଗି ଏକ ସୁଡଙ୍ଗ ଭିତରେ ଗଞ୍ଜେଇ ଥିବା ସ୍ୱୀକାର କରିଥିଲେ ଏବଂ ଗଞ୍ଜେଇ ଗଚ୍ଛିତ ଥିବା ପୋଲିସକୁ ଦେଖାଇଥିଲେ । ସେଠାରେ ୨୫ଟି ବସ୍ତାରେ ପ୍ୟାକିଂ ହୋଇଥିବା ୭୯୪.୧୩୫ କେଜି ଗଞ୍ଜେଇ ସହ ୩ ଲକ୍ଷ ୨୪ ହଜାର ଟଙ୍କାର ୫୦୦ ଟଙ୍କିଆ ନୋଟ୍, ତିନୋଟି ସ୍ମାର୍ଟ ଫୋନ୍, ୨ଟି ଅତ୍ୟାଧୁନିକ ଯନ୍ତ୍ରପାତି ଜବତ କରିବା ସହ ଗାଡି ଡ୍ରାଇଭର ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖାଲାସି ସାହିର ଜି. କାଳିବାବୁ (୩୮), ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ମଳିପଡା ଗ୍ରାମର ରୋହିତ ଗଜେନ୍ଦ୍ର (୪୨), ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ନାରାୟଣ ମନ୍ଦିର ରୋଡର ସୁଶାନ୍ତ ଦିଗାଲ (୩୨)କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଉକ୍ରଳ କେଶରୀ ଦାଶ, ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଲଗୁଣ୍ଠା ତହସିଲଦାର ସୁବଳ ଚରଣ ବେହେରା, ଏଆଇ ସୁଶାନ୍ତ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଗିରଫ ବ୍ୟକ୍ତିମାନଙ୍କୁ ଆସିକା କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଏତେ ପରିମାଣରର ଗଞ୍ଜେଇ ଜବତ ଘଟଣା ଜିଲ୍ଲାରେ ପ୍ରଥମ ବୋଲି ଏସଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନଧି ନିମାଇଁ ଚରଣ ପଣ୍ଡା